ରେଣ୍ଢା ନୃସିଂହ ମନ୍ଦିରରୁ ଲୁଟ୍‌ ଘଟଣା : ପାଚେରି କଡ଼ରୁ ମିଳିଲା ଠାକୁରଙ୍କ ମୂର୍ତ୍ତି

ବ୍ରହ୍ମଗିରି : ତିନି ମାସ ତଳେ ରେଣ୍ଢା ନୃସିଂହନାଥ ମନ୍ଦିରରୁ ହୋଇଥିବା ଚୋରି ଘଟଣାରେ ଆଜି ଭୋର୍‌ରୁ ଠାକୁରଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଛି। ମନ୍ଦିର ପାଖରେ ଏକ ବ୍ୟାଗ୍‌ରୁ ସ୍ଥାନୀୟ ଲୋକେ ମୂର୍ତ୍ତିଟିକୁ ଉଦ୍ଧାର କରିଛନ୍ତି। କିନ୍ତୁ ଲୁଟ୍‌ ହୋଇଥିବା ସୁନା, ରୁପା, ଅଳଙ୍କାର ମିଳି ନାହିଁ। ପୁରୀ ସଦର ଥାନା ଅର୍ନ୍ତଗତ ରେଣ୍ଢା ଠାରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥଙ୍କ ମନ୍ଦିରରୁ ଗତ ଜାନୁୟାରି ୮ ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିଲା। ଘଟଣା ପରଦିନ ଅର୍ଥାତ୍‌ ୯ ତାରିଖ ସକାଳୁ ଜଣାପଡ଼ିଥିଲା। ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ସହିତ ୩ଶହ ବର୍ଷର ପୁରୁଣା ଶ୍ରୀଲକ୍ଷ୍ମୀ, ନୃସିଂହ, ୩ଟି ଶ୍ରୀକୃଷ୍ଣ, ୨ଟି ଶ୍ରୀରାଧାଙ୍କ ଚଳନ୍ତି ବିଗ୍ରହ, ୧୦ କେଜି ରୁପାରେ ନିର୍ମିତ ଠାକୁର ବସୁଥିବା ଆସ୍ଥାନ, ୩ଟି ସୁନା କିରିଟୀ, ଦୁଇଟି ସୁନା ହାର ଏବଂ ଦାନବାକ୍ସରେ ଥିବା ଲକ୍ଷାଧିକ ଲୁଟ୍‌ ହୋଇଥିବା ମନ୍ଦିର ପରିଚାଳନା କମିଟି ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଏକ ଲୁଟ୍‌ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ବି ଏପର୍ଯ୍ୟନ୍ତ ଲୁଟ୍‌ର କିଛି ସୁରାକ ପାଇ ପାରି ନାହିଁ। ତେବେ ଆଜି ଭୋର୍‌ରୁ ଗାଁର ଆଶିଷ ପ୍ରସାଦ ପାତ୍ର ଓ ଟୁଟୁ ପାତ୍ରଙ୍କ ସହିତ ଦୁଇ ଜଣ ମହିଳା ମନ୍ଦିର ପାଖରେ ଚାଲୁଥିବା ବେଳେ ପାଚେରି କଡରେ ଏକ ବ୍ୟାଗ ଥିବା ଦେଖି ମନ୍ଦିର ପୂଜକଙ୍କୁ ଡାକ ପକାଇଥିଲେ। ପୂଜକ ଆସି ବ୍ୟାଗ୍‌କୁ ମନ୍ଦିର ଭିତରକୁ ନେଇଥିଲେ। ଆଉ ବ୍ୟାଗ ଭିତରେ ଶ୍ରୀ ନୃସିଂହ, ଶ୍ରୀ ଲକ୍ଷ୍ମୀ, ତିନୋଟି ଶ୍ରୀକୃଷ୍ଣ, ଦୁଇଟି ଶ୍ରୀରାଧା ଏବଂ ଠାକୁର ବସୁଥିବା ପିତ୍ତଳର ଆସ୍ଥାନ ପାଇଥିଲେ। କିନ୍ତୁ ଲୁଟ୍‌ ହୋଇଥିବା ଅନ୍ୟ ସବୁ ଜିନିଷ ମିଳି ନାହିଁ।

ସମ୍ବନ୍ଧିତ ଖବର