ପୁରୀ: ବର୍ଷେ କି ଦୁଇ ବର୍ଷ ନୁହେଁ, ୧୦ ବର୍ଷ ହେଲା ଶ୍ରୀମନ୍ଦିରରେ ରାସାୟନିକ ସଂରକ୍ଷଣ (କେମିକାଲ୍‌ ପ୍ରିଜରଭେସନ୍‌) କାମ ହୋଇନି।  ଅତୀତରେ ଯେଉଁ ରାସାୟନିକ ପ୍ରଲେପ ଦିଆଯାଇଥିଲା, ତାହା ବହୁଦିନ ଅତିକ୍ରାନ୍ତ ହୋଇଗଲାଣି। ଫଳସ୍ବରୂପ ଶ୍ରୀମନ୍ଦିର, ପାର୍ଶ୍ବ ଦେବଦେବୀ ମନ୍ଦିର ଓ ମେଘନାଦ ପାଚେରି ମଳିନ ଦେଖାଯିବା ସାଙ୍ଗକୁ ଅନେକ ଜାଗାରେ ଫାଟ ସୃଷ୍ଟି ହୋଇଛି। ବଡ଼କଥା ହେଉଛି, ଶ୍ରୀମନ୍ଦିରର ରାସାୟନିକ ସଂରକ୍ଷଣ କାର୍ଯ୍ୟ ପାଇଁ ପୁରୀରେ ୪୦ ବର୍ଷ ଧରି ଚାଲି ଆସୁଥିବା କାର୍ଯ୍ୟାଳୟକୁ ୨ ବର୍ଷ ତଳେ ବନ୍ଦ କରି ଦିଆଯାଇଛି। ଭୁବନେଶ୍ବର ମଣ୍ଡଳ କାର୍ଯ୍ୟାଳୟରୁ ଠିକାଦାରଙ୍କ ଜରିଆରେ ଏହାକୁ ନିୟନ୍ତ୍ରଣ କରାଯାଉଛି। ଶ୍ରୀମନ୍ଦିର ପ୍ରତି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଏଭଳି ଚରମ ଅବହେଳାକୁ ନାପସନ୍ଦ କରିଛନ୍ତି ସେବାୟତ। ୧୨ଶହ ଖ୍ରୀଷ୍ଟାବ୍ଦରେ ନିର୍ମିତ ଶ୍ରୀମନ୍ଦିରର କଳାସ୍ଥାପତ୍ୟ ଅନନ୍ୟ। ଯେଉଁ ସମୟରେ ଲୁହା ଛଡ଼, ସିମେଣ୍ଟ ପ୍ଲାଷ୍ଟର ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ନଥିଲା, ସେହି ସମୟରେ କେବଳ ପଥର ଯୋଡ଼େଇ କରି ଉକ୍ତ ବିଶାଳ ମନ୍ଦିର ନିର୍ମାଣ କରାଯାଇଥିଲା। ସମୁଦ୍ରର ଲୁଣି ପାଣି, ପବନ ଓ ଅନ୍ୟାନ୍ୟ ଅବକ୍ଷୟରୁ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରସ୍ତର ଉପରେ ଚୂନ, ଗୁଡ଼ ଆଦିର ମିଶ୍ରଣରେ ପ୍ରସ୍ତୁତ ମୋଟା ପ୍ରଲେପ ଦିଆଯାଇଥିଲା।

Advertisment

ଲୁଣି ପବନ ଯୋଗୁଁ ୧୨ଶହ ଖ୍ରୀଷ୍ଟାବ୍ଦ କଳାସ୍ଥାପତ୍ୟର ଅବକ୍ଷୟ

୪୦ ବର୍ଷର କେମିକାଲ୍‌ କାର୍ଯ୍ୟାଳୟକୁ ବନ୍ଦ କରିଦେଲା ଏଏସ୍‌ଆଇ

 ଯାହା ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରକୁ ସୁରକ୍ଷା ଦେଇ ଆସୁଛି। ୧୯୭୫ ମସିହାରେ ଏଏସ୍ଆଇ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ନେବା ପରେ ୧୯୮୧ ମସିହାରୁ ପ୍ରସ୍ତର ଉପରେ ଦିଆଯାଇଥିବା ଚୂନ ଓ ଅନ୍ୟାନ୍ୟ ମିଶ୍ରଣର ପ୍ରଲେପକୁ ଛଡ଼ାଇବା ପ୍ରକ୍ରିୟା ଆରମ୍ଭ କରିଥିଲା। ଏହା ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଦର୍ଶାଇଥିଲା ଏଏସ୍‌ଆଇ। ମଝିରେ ଚୂନ ପ୍ରଲେପ ଛଡ଼ାଇବାକୁ ନେଇ ବାଦବିବାଦ ଭିତରେ କିଛି ବର୍ଷ ବିଳମ୍ବ ପରେ ପୁନର୍ବାର ଚୂନ ପ୍ରଲେପ ଛଡ଼ାଇବା କାମ ଜାରି ରହିଥିଲା। ଏହା ପରେ ଶ୍ରୀମନ୍ଦିର ସହ ଅନ୍ୟ ଦେବଦେବୀ ମନ୍ଦିରର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ରାସାୟନିକ ପ୍ରଲେପ ଦିଆଯାଇଥିଲା। ୧୯୯୫ ମସିହାରେ ଶ୍ରୀମନ୍ଦିରରୁ ପଥର ଖସିବା ପରେ ପୁଣି ବିବାଦ ମୁଣ୍ଡ ଟେକିଥିଲା। ସେ ସମୟରେ ରାସାୟନିକ ପ୍ରଲେପ ଓ ଗ୍ରାଉଟିଂ କାମ କରାଯାଇଥିଲା। ୨୦୧୩ ମସିହାରେ ବାକି ରହିଯାଇଥିବା ଅଂଶରୁ ଚୂନ ଛଡ଼ାଇ ରାସାୟନିକ ପ୍ରଲେପ ଦିଆଯାଇଥିଲା। ଏହି କାମ ୨୦୧୪-୧୫ ମସିହାରେ ଶେଷ ହୋଇଥିଲା। ଏହା ଥିଲା ଏଏସ୍‌ଆଇର ଶେଷ ରାସାୟନିକ ପ୍ରଲେପଦିଆ କାର୍ଯ୍ୟ। ସେବେଠୁ ଆଉ ଶ୍ରୀମନ୍ଦିରକୁ ରାସାୟନିକ ପ୍ରଲେପ ଦିଆଯାଇନି କି ରକ୍ଷଣାବେକ୍ଷଣ କଥା ଚିନ୍ତା କରାଯାଇନି। ଫଳରେ ଶ୍ରୀମନ୍ଦିରର ପୁରାତନ ପ୍ରସ୍ତର ସବୁ ଅବକ୍ଷୟ ହେବାରେ ଲାଗିଛି। ରାସାୟନିକ ପ୍ରଲେପର କାମ ହେଉଛି, ପଥରକୁ ଲୁଣି ପାଣି, ପବନ ଆଦିରୁ ସୁରକ୍ଷା ଦେବା ସହ ପଥରକୁ ଦୀର୍ଘସ୍ଥାୟୀ କରିବ। କିନ୍ତୁ ଏହି କାମଟି ବନ୍ଦ ହୋଇ ଯାଇଥିବାରୁ ଲୁଣି ପବନ ଶ୍ରୀମନ୍ଦିର ପଥରକୁ ଖାଇବାରେ ଲାଗିଛି।

ଶ୍ରୀମନ୍ଦିରରେ ରାସାୟନିକ ପ୍ରଲେପ, ସଂରକ୍ଷଣ, ପରୀକ୍ଷଣ ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଏଏସ୍‌ଆଇର ଏକ ସ୍ବତନ୍ତ୍ର କେମିକାଲ୍‌ କାର୍ଯ୍ୟାଳୟ ରହିଥିଲା। ଏହି କାର୍ଯ୍ୟାଳୟର କାମ ଥିଲା, ପଥର କେଉଁଠି ଖରାପ ହେଉଛି, କାରଣ ଅନୁଧ୍ୟାନ ଓ ପରୀକ୍ଷଣ କରିବା ସହ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା। ଏହି କାର୍ଯ୍ୟାଳୟରେ ଦୁଇଜଣ ବୈଜ୍ଞାନିକ, ୪ ଜଣ କର୍ମଚାରୀ ମଧ୍ୟ ରହିଥିଲେ। କିନ୍ତୁ ୨ ବର୍ଷ ତଳେ ଏହି କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ ଓ କାର୍ଯ୍ୟ କ୍ଷେତ୍ରରେ ଅଭିଜ୍ଞ ଜଣେ ବରିଷ୍ଠ ସେବାୟତଙ୍କ କହିବା ମୁତାବକ, ଯେହେତୁ ଶ୍ରୀମନ୍ଦିର ଲୁଣି ଅଞ୍ଚଳରେ ରହୁଛି; ଏହାର ରକ୍ଷଣାବେକ୍ଷଣ ପାଇଁ ଅନ୍ତତଃ ୩ରୁ ୫ ବର୍ଷରେ ଥରେ ରାସାୟନିକ ପ୍ରଲେପ ଦିଆଯିବା କଥା। କିନ୍ତୁ ମେଘନାଦ ପାଚେରି ହେଉ କି ଶ୍ରୀମନ୍ଦିର ଅବା ପାର୍ଶ୍ବ ଦେବଦେବୀ ମନ୍ଦିର; ବହୁବର୍ଷ ହେଲା ରାସାୟନିକ ପ୍ରଲେପ ଦିଆଯାଇନି। ଯାହା ଶ୍ରୀମନ୍ଦିରକୁ ଅସୁରକ୍ଷିତ କରି ଦେଇଛି। କେମିକାଲ୍‌ କାର୍ଯ୍ୟାଳୟକୁ କାହିଁକି ବନ୍ଦ କରି ଦିଆଗଲା ତାହା ଏବେ ବଡ଼ ପ୍ରଶ୍ନବାଚୀ। ଅନ୍ୟପକ୍ଷରେ ଏଏସ୍‌ଆଇ ପୁରୀ କାର୍ଯ୍ୟାଳୟର ସହକାରୀ ସଂରକ୍ଷକ ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି, ନିକଟରେ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ରାସାୟନିକ ପ୍ରଲେପ ଦିଆଯାଇ ନଥିଲେ ମଧ୍ୟ ଆବଶ୍ୟକ ଅନୁସାରେ ପ୍ରଲେପ ଦିଆଯାଉଛି ଓ ମରାମତି କରାଯାଉଛି।