ଆଜି ବି ଦଳିତଙ୍କୁ ମନ୍ଦିର ମନା, ମୁକ୍ତେଶ୍ୱର ମନ୍ଦିରରୁ ଦଳିତ ଯୁବକଙ୍କୁ ତଡ଼ି ଦେଲେ

୩ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ଜାତିଭେଦ ପ୍ରତି ଅସହିଷ୍ଣୁ ନୁହେଁ ସମାଜ

ଭୁବନେଶ୍ୱର/ବାଲିପାଟଣା : ‘ଚୁପ୍‌ ହୋଇଯାଅ, ତୁମେ ହରିଜନ। ଏଠି ଆମର ନିୟମ ରହିଛି, ହରିଜନ ଲୋକ ମନ୍ଦିରରେ ପଶି ପାରିବେ ନାହିଁ। ତୁମ ବାପାମା’ଙ୍କୁ ପଚାର, ସେମାନେ ମନ୍ଦିରେ ପଶିନାହାନ୍ତି। ଗାଁର ଅନ୍ୟମାନଙ୍କୁ ପଚାର। ସେମାନେ ପ୍ରଥା ପରମ୍ପରା ବିଷୟରେ କହିବେ। ଭଗବାନ ସବୁ ଦେଖୁଛନ୍ତି, ତୁମକୁ କିଭଳି ଆଶୀର୍ବାଦ ଦେବେ?’ ସ୍ନାତକ ପାସ୍ କରିବା ପରେ ଏୟାର୍‌ପୋର୍ଟରେ ଚାକିରି କରିଥିବା ରିଙ୍କୁ ଭୋଇ (୨୨)ଙ୍କୁ ଏମିତି ଅପମା‌ନିତ କରି ମନ୍ଦିରରୁ ତଡ଼ି ଦିଆଯାଇଥିଲା। ଗତ ୧୬ ତାରିଖ ଦିନ ପବିତ୍ର କାର୍ତ୍ତିକ ସଂକ୍ରାନ୍ତିରେ ରିଙ୍କୁଙ୍କୁ ଏମିତି ଅପମାନିତ ହେବାକୁ ପଡ଼ିଥିଲା ବାଲିପାଟଣା ଘାସିଅନ୍ଧଟିସ୍ଥିତ ମୁକ୍ତେଶ୍ବର ମହାଦେବ ମନ୍ଦିରରେ। କେତେ ମନ କରି ମହାଦେବଙ୍କ ପୂଜା ପାଇଁ ଜଳାଭିଷେକ କରିବାକୁ ଯାଇ ରିଙ୍କୁଙ୍କୁ ଏହିଭଳି ଭାବରେ ଅପମାନଜନକ ସ୍ଥିତିରେ ପଡ଼ିବାକୁ ହୋଇଥିଲା। ସାମାଜିକ ପରମ୍ପରାର ଦ୍ବାହି ଦେଇ ମନ୍ଦିରର ପୂଜକ ଓ ଗାଁର ସବର୍ଣ୍ଣମାନେ ତାଙ୍କୁ ମନ୍ଦିରରୁ ବାହାର କରି ଦେଇଥିଲେ। ଏହା କୌଣସି ପୁରୁଣା ମାନ୍ଧତା ଅମଳର ଉଗ୍ରଜାତିବାଦର ଚିତ୍ର ନୁହେଁ କି ଓଡ଼ିଶାର କୌଣସି ଉପାନ୍ତ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳର କଥା ନୁହେଁ। ରାଜଧାନୀଠାରୁ ମାତ୍ର ୨୦ କିଲୋମିଟର ଦୂର ଅନୁସୂଚିତ ଜାତି ସଂରକ୍ଷିତ ଜୟଦେବ ନିର୍ବାଚନମଣ୍ଡଳୀର ତୁରିନ୍ତରାରେ ଆଜିର ଚିତ୍ର। ହରିଜନଙ୍କ ପ୍ରତି ଆଜି ବି ଏଠିକା ମନ୍ଦିର ପ୍ରବେଶ ଉପରେ ବାରଣ ଥିବାର ଚିତ୍ର। ପୂର୍ବରୁ ଯେଉଁଭଳି ଚଳଣି ଥିଲା, ଆଜି ବି ତାହା ରହିଛି। କଳଙ୍କିତ ଅସ୍ପୃଶ୍ୟତା ଆଜି ବି କିଭଳି ରହିଛି, ବାଲିପାଟଣାର ଏହି ଘଟଣା ତାର ଏକ ନଗ୍ନ ନମୁନା ଅଟେ।

ଐତିହାସିକ ରୋବିନ୍‌ ଜେଫ୍ରିଙ୍କ ଅନୁସାରେ ୧୮୬୦ ମସିହାରୁ ଦେଶରେ ଦଳିତ ହରିଜନ ମନ୍ଦିର ପ୍ରବେଶ ଆନ୍ଦୋଳନ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥିଲା। ୧୯୨୭ ମସିହାରେ ବି. ଆର୍‌. ଆମ୍ବେଦକରଙ୍କ ଆନ୍ଦୋଳନ ସାମାଜିକ ନ୍ୟାୟ ଆନ୍ଦୋଳନର ମୋଡ଼ ବଦଳାଇ ଦେଇଥିଲା। ମାତ୍ର ପରିତାପର କଥା ଆଜି ରାଜଧାନୀ ଉପକଣ୍ଠରେ ପୁଣି
ସେହି କୁତ୍ସିତ ପ୍ରଥା ବଞ୍ଚି ରହିଛି।

ଦଳିତ ସମ୍ପ୍ରଦାୟର ହୋଇଥିବାରୁ ରିଙ୍କୁଙ୍କ ସମେତ ତାଙ୍କର ଅନ୍ୟ ୫ବନ୍ଧୁଙ୍କୁ ସେଦିନ ମନ୍ଦିରରୁ ତଡ଼ି ଦିଆଯାଇଥିଲା। ଖୋଦ୍ ପୂଜକ ଓ ଗାଁ ଲୋକେ ସେମାନଙ୍କୁ ବାରମ୍ବାର ହରିଜନ ହରିଜନ ବୋଲି ଆକ୍ଷେପ କରି ମନ୍ଦିରରେ ପୂଜା କରିବାକୁ ଦେଇନଥିଲେ। ଏମିତିକି ସେମାନଙ୍କ ହାତକୁ ପାଦୁକ ପାଣି କି ପ୍ରସାଦ ବି ଦେଇନଥିଲେ। ବହୁ କାକୁତିମିନତି କରିବା ପରେ ବି ସେମାନଙ୍କୁ ଜାତିଆଣ ଆକ୍ଷେପ କରି ଅପମାନିତ କରାଯାଇଥିଲା ଓ ମନ୍ଦିର ବେଢ଼ାରୁ ବାହାର କରି ଦିନଆଯାଇଥିଲା। ଜାତି ଆଧାରରେ ଦଳିତ ହରିଜନଙ୍କୁ ମନ୍ଦିରରେ ପ୍ରବେଶ କରାଇ ନଦେବା, ଏହା ପ୍ରଥମ ଘଟଣା ନୁହେଁ। କେବଳ ମୁକ୍ତେଶ୍ବର ମନ୍ଦିରରେ ଯେ ଏଭଳି ପ୍ରଥା ରହିଛି, ତା’ ନୁହେଁ, ନିକଟସ୍ଥ ଅନେକ ମନ୍ଦିରରେ ଆଜି ବି ଦଳିତଙ୍କ ପାଇଁ ମନ୍ଦିରର ଦ୍ବାର ବନ୍ଦ। ସ୍ଥାନୀୟ ଅଧିବାସୀମାନେ ମଧ୍ୟ ଏହାକୁ ଅଲିଖିତ ନିୟମ ଭାବରେ ଗ୍ରହଣ କରି ନେଇଛନ୍ତି। ଜଣେ ମଣିଷକୁ ପୁଣି ହିନ୍ଦୁ ବୋଲି କୁହାଯାଉଥିବା ଅସବର୍ଣ୍ଣକୁ ମନ୍ଦିର ମନା କରିବା ଭଳି କୁପ୍ରଥା ଯେ ଏକ ଅମାନବୀୟ ଓ କଳଙ୍କିତ ପ୍ରଥା ବୋଲି କେହି ବୁଝିବାକୁ ନାରାଜ। ଦଳିତ ରିଙ୍କୁ ଭଳି କେହି ପ୍ରଭୁଙ୍କୁ ଭକ୍ତିଅର୍ଘ୍ୟ ଦେବା ପାଇଁ ଭଗବାନଙ୍କ ଶରଣାଗତ ହେଲା ବେଳେ ସେମାନଙ୍କୁ ଏହିଭଳି ଘୃଣ୍ୟ ମାନସିକତାର ଶିକାର ହେବାକୁ ପଡ଼େ। ବଡ଼ ନିଷ୍ଠୁର ଭାବେ ମନ୍ଦିର ବେଢ଼ାରୁ ବାହାରକୁ ତଡ଼ି ଦିଆଯାଏ।

ଆହୁରି ଦୁର୍ଭାଗ୍ୟଜନକ ଘଟଣା ହେଲା, ଏହି ଅଞ୍ଚଳରେ ଜାତିଭେଦ ଆଜି ଏତେ ଘୃଣ୍ୟ ସ୍ଥିତିରେ ଥିଲେ ମଧ୍ୟ ଏହାକୁ ଦୂର କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଘଟଣାର ୩ଦିନ ପରେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇନାହିଁ। ଏ ନେଇ ପୁଲିସରେ ଏତଲା କରାଯାଇଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଛି। ପୁଣି ବଡ଼ ଆଶ୍ଚର୍ଯ୍ୟର କଥା ହେଲା, ଦଳିତ ସମ୍ପ୍ରଦାୟର ଟାଣୁଆ ନେତା ଅରବିନ୍ଦ ଢାଲି ଏହି ଅଞ୍ଚଳକୁ ପ୍ରତିନିଧିତ୍ବ କରୁଥିଲେ ବି ଏହି କଳଙ୍କିତ ଘୃଣ୍ୟ ପ୍ରଥା ନେଇ ତାଙ୍କ ସ୍ବର ଆଜି ପର୍ଯ୍ୟନ୍ତ ଶୁଣାଯାଇନାହିଁ।

ବାଲିପାଟଣା ଥାନାରେ ରିଙ୍କୁ ଦେଇଥିବା ଏତଲା ଅନୁଯାୟୀ ତୋଟାସାହିର ସୁଜିତ ଭୋଇ(୨୪), ସରୋଜ ଭୋଇ(୨୧), ବିଚିତ୍ର ବେହେରା(୨୩), ଅକ୍ଷୟ ଦାସ ଓ ସେ ନିଜେ ସକାଳ ୧୦ଟାରେ ସଂକ୍ରାନ୍ତି ପୂଜା ପାଇଁ ମୁକ୍ତେଶ୍ବର ମହାଦେବ ମନ୍ଦିରକୁ ଯାଇଥିଲେ। ମହାଦେବଙ୍କଠାରେ ଜଳାଭିଷେକ କରିବା ପାଇଁ ରିଙ୍କୁ ପୂଜକଙ୍କୁ ୧୦ ଟଙ୍କା ଦେଇଥିଲେ। ପୂଜକ ବାବୁଲି ପଣ୍ଡା ରିଙ୍କୁଙ୍କୁ ତାଙ୍କ ନାଁ, ଘର, ଜାତି ଓ ଗୋତ୍ର ସମ୍ପର୍କରେ ପଚାରିଥିଲେ। ରିଙ୍କୁ ନିଜକୁ ବାଉରି ସମ୍ପ୍ରଦାୟର ବୋଲି କହିବା ପରେ ପୂଜକ ବାବୁଲି ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ। ବିଭିନ୍ନ ଭାଷାରେ ଗାଳିଗୁଲଜ କରି ମନ୍ଦିର ବେଢ଼ାରୁ ବାହାରକୁ ଚାଲି ଯିବା ପାଇଁ କହିଥିଲେ। ଘଟଣା ବାବଦରେ ଶୁଣି ମନ୍ଦିର କମିଟିର ଅନ୍ୟ ସଦସ୍ୟମାନେ ସେଠାରେ ପହଞ୍ଚି ଏହି ଦଳିତ ଯୁବକମାନଙ୍କୁ ଜାତିଆଣ ତଥା ଅପମାନଜନକ ଭାଷାରେ ଗାଳି ଦେଇଥିଲେ। କଥା ସେତିକିରେ ଅଟକି ନଥିଲା, ମନ୍ଦିରକୁ ପଶିବା ପାଇଁ ସାହସ କରିଥିବାରୁ ଗାଁ ଲୋକେ ସେମାନଙ୍କ ମୋବାଇଲ ଫୋନ୍‌ ଭାଙ୍ଗିବା ସହିତ ଅକ୍ଷୟଙ୍କ ହାତ ପାପୁଲିକୁ ବାଡ଼େଇ ଫଟେଇ ଦେଇଥିଲେ। ପୁଣି ମନ୍ଦିରର ଶୋଧନ ପାଇଁ ସେମାନଙ୍କ ଠାରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ଲାଗିଥିଲେ। ଏ ନେଇ ସେମାନେ ବାଲିପାଟଣା ଥାନାରେ ଏତଲା ଦେଇଥିଲେ ମଧ୍ୟ ଏତଲା ରଖି ପୁଲିସ ଚୁପ୍‌ ବସିଛି। ୧୮ ତାରିଖ ରାତିରେ ବିଏଫ୍‌ଓ୍ବାଇଏଫ୍‌ ବହୁଜନ ଛାତ୍ର ଓ ଯୁବକ ସଂଘ ସମେତ ସ୍ଥାନୀୟ ମୂଳନିବାସୀ ଏବଂ ଦଳିତ ସଙ୍ଗଠନର ହସ୍ତକ୍ଷେପ ପରେ ପୁଲିସ ବାଧ୍ୟବାଧକତାରେ ଅନୁସୂଚିତ ଜାତି ଜନଜାତି ଆଟ୍ରୋସିଟି ଆକ୍ଟ୍‌ରେ ମାମଲା ରୁଜୁ କରିଛି। କିନ୍ତୁ ତଦନ୍ତ ଚାଲିଛି ବାହାନାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏସିପି ଅନନ୍ତ ରାୟ ମାମଲାର ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ୨୦୧୬ ମସିହାରେ କ୍ଷେତ୍ରପାଳ ମନ୍ଦିରରେ ଦଳିତ ପ୍ରବେଶ ନେଇ ବାରଣ କରାଯିବାରୁ ଥାନାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ପରେ ଆପୋସ ବୁଝାମଣା ହୋଇଯାଇଥିଲା। ଏ ନେଇ ମୁକ୍ତେଶ୍ବର ମନ୍ଦିର ପୂଜକ ଓ କମିଟିର କର୍ମକର୍ତ୍ତାମାନଙ୍କୁ ଯୋଗାଯୋଗ କରାଯାଇଥିଲା। ଦଳିତ ସମ୍ପ୍ରଦାୟର ଯୁବକଙ୍କୁ ମନ୍ଦିର ବେଢା ଭିତରକୁ ପ୍ରବେଶ ବାରଣ ଘଟଣାକୁ ସେମ‌ାନେ ସ୍ବୀକାର କରିଛନ୍ତି। ସଫେଇ ଦେବାକୁ ଯାଇ ସେମାନେ କହିଛନ୍ତି ଯେ ଏହି ମନ୍ଦିର ସର୍ବସାଧାରଣଙ୍କର ନୁହେଁ। ଦୁଇଟି ମୌଜାର ମନ୍ଦିର ଅଟେ।

ସମ୍ବନ୍ଧିତ ଖବର