ମନ୍ଦିର ଲୁଟ୍‌: ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ ସନ୍ଦେହ, ଡମ୍ପ ସିଡ଼ିଆର ଆଧାରାରେ ହେବ ତଦନ୍ତ

ବାଲିଅନ୍ତା: ସ୍ଥାନୀୟ ଅଞ୍ଚଳରେ ଘନଘନ ମନ୍ଦିର ଲୁଟ ଘଟଣା କମିସନରେଟ ପୁଲିସ ଆଖିରୁ ନଦ ହଜାଇ ଦେଇଛି। ଲୁଟେରା ଐତିହ୍ୟ  ମନ୍ଦିରକୁ ଟାର୍ଗେଟ କରି ଅଷ୍ଟଧାତୁ ମୂର୍ତ୍ତି କଳାକନା ବୁଲାଉଥିବାରୁ ଏହା କୌଣସି ସାଧାରଣ ଲୁଟେରା ଗ୍ୟାଙ୍ଗ ନୁହେଁ ଏଥିରେ ଆନ୍ତଃରାଜ୍ୟ ପେସାଦାର ଲୁଟେରା ଗ୍ୟାଙ୍ଗ ସଂପୃକ୍ତ ବୋଲି ପୁଲିସ ସନ୍ଦେହ କରୁଛି। ଏମିତିକୁ ଲକ୍ଷ ଳକ୍ଷ ଟଙ୍କା ବିନିମୟରେ ବିଦେଶକୁ ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ପଠା ଯାଉଥିବା କୁହାଯାଉଛି।

ସ୍ଥାନୀୟ ଅଞ୍ଚଳର ଦଲାଲଙ୍କ ମୂର୍ତ୍ତି ଚୋର ଗ୍ୟାଙ୍ଗ ସହ  ସଂପୃକ୍ତି ରହିଥିବା ନେଇ ମଧ୍ୟ ପୁଲିସ ସନ୍ଦେହ କରୁଛି।  ସିସି କ୍ୟାମେରା ଆଧାରରେ ଏହି ଗ୍ୟାଙ୍ଗକୁ ଠାବ କରିବା ସମ୍ଭବ ହେଉନଥିବାରୁ  ସେହି ସମୟରେ କେଉଁ ଟାୱାରରେ କାହା ମୋବାଇଲରୁ ଘଟଣାସ୍ଥଳକୁ କଲ ଆସିଛି ତାହା ଜାଣିବା ପାଇଁ ଡମ୍ପ ସିଡ଼ିଆର ରିପୋର୍ଟ ଆଧାରରେ ସମ୍ଭବ ହେବ ବୋଲି ସ୍ପେଶାଲ ସ୍କ୍ବାର୍ଡ଼ର ଜଣେ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

ସିସି କ୍ୟାମେରା ଫୁଟେଜରେ ବିଳମ୍ବତ ରାତିରେ କାର: ସିସି କ୍ୟାମେରା ଫୁଟେଜରେ ଆଖଣ୍ଡଳେଶ୍ବର ମନ୍ଦିର ଓ ନୃସିଂହ ନାଥ ମନ୍ଦିର ରାସ୍ତା ଓ ଫିରିଫିରା ରାସ୍ତାରେ ରାତି ୩ଟା ସମୟରେ ଏକ ଧଳା ରଙ୍ଗର କାର ଯାତାୟତ କରୁଥିବାରୁ ପୁଲିସ ଉକ୍ତ କାରକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଫିରିଫିରା ରାସ୍ତା ଦେଇ କାର ଅଡ଼ଶପୁର ଅଭିମୁଖେ ପଳାଇଥିଲା। ତେଣୁ ପୁଲିସ କାର ନମ୍ବରକୁ ଆଧାର କରି ତଦନ୍ତ ଚଳାଇଛି। ସେହିପରି ଲକ୍ଷ୍ମୀ ନୃସିଂହ ନାଥ ମନ୍ଦିର ନିକଟରେ ଦୁଇଜଣ ଅପରିଚିତ ବ୍ୟକ୍ତି ଦୀର୍ଘ ସମୟ ଧରି ଠିଆ ହୋଇଥିବା ଦେଖିଥିବା ଗ୍ରାମର ଜଣେ ବ୍ୟକ୍ତି ପୁଲିସ ଆଗରେ କହିଛନ୍ତି।

ସମ୍ବନ୍ଧିତ ଖବର