ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ପୁରାତନ ଶୈବପୀଠ ପାଇକପଡ଼ାସ୍ଥିତ ପାତାଳେଶ୍ବର ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ମନ୍ଦିରର ପଶ୍ଚିମଦ୍ବାର ଗେଟ୍ ତାଲା ଭାଙ୍ଗି ଭିତରକୁ ପଶି ଦୁଇଟି ଆଲମିରା ଓ ଦାନ ହୁଣ୍ଡି ଭାଙ୍ଗିଛନ୍ତି ଦୁର୍ବୃତ୍ତ। ଦାନହୁଣ୍ଡିରୁ ସୁନା, ରୂପା ଅଳଙ୍କାର ସହ ଭକ୍ତଙ୍କ ଦାନ ଟଙ୍କାକୁ ଲୁଟି ନେଇଛନ୍ତି। ଏଥି ସହିତ ଭଙ୍ଗା ଯାଇଥିବା ଆଲମିରାରୁ ପିତଳ ସାମଗ୍ରୀ ଓ ଠାକୁରଙ୍କ ଲୁଗାପଟାକୁ ନେଇ ମନ୍ଦିରରୁ ୨୦୦ ମିଟର ଦୂରରେ ଫୋପାଡ଼ି ଦେଇ ଚାଲି ଯାଇଛନ୍ତି। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗତକାଲି ସଂଧ୍ୟା ଆଳତୀ ପରେ ପୂଜକ ପହୁଡ଼ ପକାଇ ମନ୍ଦିର ବନ୍ଦ କରି ଘରକୁ ଯାଇଥିଲେ। ଆଜି ପାଳିଆ ସେବକ ଭୋର ୫ଟାରେ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିରର ପଶ୍ଚିମ ଗେଟ୍ ସହ ଦାନ ହୁଣ୍ଡି ଓ ଆଲମିରା ଭଙ୍ଗାଯାଇଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ପୂଜକ ଚୋରି ସଂପର୍କରେ ମନ୍ଦିର କମିଟି ଓ ଟ୍ରଷ୍ଟିଙ୍କୁ ସୂଚନା ଦେଇଥିଲେ। ଟ୍ରଷ୍ଟି ଗୋକୁଳ କାର୍ଜି ଚୋରି ସଂପର୍କରେ ଥେରୁବାଲି ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ମନ୍ଦିରରୁ ୨୦୦ ମିଟର ଦୂରରେ ପଡିଥିବା ଠାକୁରଙ୍କ ପିତଳ ସାମଗ୍ରୀ ଓ ଲୁଗା ବସ୍ତ୍ର ଉଦ୍ଧାର ହୋଇଛି। କିନ୍ତୁ ଦାନ ହୁଣ୍ଡିରୁ ଚୋରି ହୋଇଥିବା ସୁନା, ରୂପା ଅଳଙ୍କାର ଓ ଦାନ ଟଙ୍କାର ପରିମାଣ ସଂପର୍କରେ କୌଣସି ସୁରାକ୍ ମିଳିନି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଚୋରି ସଂପର୍କରେ ଖବର ପାଇ ରାୟଗଡ଼ା ତହସିଲଦାର ତାପସ କୁମାର ରାଉତ, କୋଲନରା ତହସିଲଦାର ମାନସୀ ଜେନା ମନ୍ଦିରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ପ୍ରତି ୨/୩ ମାସରେ ଥରେ ମନ୍ଦିରରୁ ଚୋରି ହେଉଥିବାରୁ ରୋକିବାକୁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ପୂଜକମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/d91d4c7f-93d4-4fde-9ed9-cfea02b5949e.jpg)