ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯାଇନାହିଁ

ଶ୍ରୀମନ୍ଦିର ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଆଗକୁ ନାଗାର୍ଜୁନ ବେଶ ଥିବାରୁ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ଆଶା ନାହିଁ। ତେବେ ବି ଆଗକୁ ଜିଲ୍ଲାପାଳଙ୍କ ନିର୍ଦେଶ ଓ ଗାଇଡ୍‌ଲାଇନ୍‌ ମୁତାବକ ଏ ସମ୍ପର୍କରେ ସ୍ପଷ୍ଟ କରାଯିବ।
ଜିତେନ୍ଦ୍ର କୁମାର ସାହୁ , (ଶ୍ରୀମନ୍ଦିର ନୀତି ପ୍ରଶାସକ)

ଲିଙ୍ଗରାଜ ମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି ନିଯୋଗ ମୁଖ୍ୟ
କାର୍ତ୍ତିକ ମାସ ଆରମ୍ଭ ହେଉଛି। ତେଣୁ ଲିଙ୍ଗରାଜ ମନ୍ଦିର ଖୋଲିଲେ ଭକ୍ତ ମାନିବେ ନାହିଁ। ମନ୍ଦିରକୁ ଭକ୍ତ ଆସିଲେ, ସଂକ୍ରମଣ ଯେ ନବଢ଼ିବ ‌କହି ହେବ ନାହିଁ। ସେବାୟତମାନ ବି କରୋନା କବଳରେ ପଡ଼ିବାର ଆଶଙ୍କା ରହିଛି। ସେବାୟତ ନଆସିଲେ ଠାକୁରଙ୍କ ନୀତିକାନ୍ତିରେ ସମସ୍ୟା ଦେଖାଯିବ। ତେଣୁ ମନ୍ଦିର ଖୋଲିବା ନିଷ୍ପତ୍ତି ଠିକ୍ ହେବ ନାହିଁ।
କାଶୀନାଥ ପୂଜାପଣ୍ଡା (ପୂଜାପଣ୍ଡା ନିଯୋଗ ସଭାପତି, ଲିଙ୍ଗରାଜ ମନ୍ଦିର)

ସମଲେଶ୍ବରୀ ମନ୍ଦିର କାର୍ତ୍ତିକ ପୂର୍ଣ୍ଣିମା ଯାଏ ବନ୍ଦ
ମନ୍ଦିର ଟ୍ରଷ୍ଟ ବୋର୍ଡ ପାଇଁ ଭକ୍ତ ଓ ପୂଜକଙ୍କ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ। ଶୀତଦିନେ ଅଧିକ ସଂକ୍ରମଣ ଆଶଙ୍କା କରି ନିଜେ ପୂଜକମାନେ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ବୈଠକରେ ପ୍ରସ୍ତାବ ଦେଇଥିଲେ। ତେଣୁ ବର୍ତମାନ ପାଇଁ ମନ୍ଦିର ବନ୍ଦ ରଖିବା ନେଇ ସମସ୍ତେ ଏକମତ।
ସଞ୍ଜୟ ବାବୁ (ସଭାପତି, ମା’ ସମଲେଶ୍ବରୀ ଟ୍ରଷ୍ଟ୍‌ ବୋର୍ଡ)

ଶ୍ରୀବଳଦେବ ଜିଉ ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇନାହିଁ
ଶ୍ରୀବଳଦେବ ଜିଉ ମନ୍ଦିର ସେବାୟତ ଓ ପ୍ରଶାସନ ମଧ୍ୟରେ ‌ବୈଠକ ହୋଇଥିବା ବେଳେ ସେଥିରେ ମନ୍ଦିର ନଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ବଳବତ୍ତର ରହିଛି। ଆଜି ଏସଂକ୍ରାନ୍ତରେ ନିଷ୍ପତ୍ତି ହୋଇପାରିନାହିଁ। ତେବେ ଆଗକୁ ଜିଲ୍ଲା ପ୍ରଶାସନର ନିର୍ଦେଶ ମୁତାବକ ନିଷ୍ପତ୍ତି ନିଆଯିବ।
ଜ୍ୟୋତିଶଙ୍କର ମହାପାତ୍ର (ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ)

ତାରିଣୀ ମନ୍ଦିର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତିକୁ ଅପେକ୍ଷା
ରାଜ୍ୟ ସରକାର କଟକଣାରେ କୋହଳ କରିବା ପରେ ତାରିଣୀ ମନ୍ଦିର ଖୋଲିବା ନେଇ ଆଶା ଜନ୍ମିଛି। ତେବେ ଅଦ୍ୟାବଧି ଜିଲ୍ଲା ପ୍ରଶାସନ ଏ ନେଇ କୌଣସି ନିଷ୍ପତ୍ତି ନେଇନଥିବାରୁ ଆସନ୍ତାକାଲିଠାରୁ ମନ୍ଦିର ଖୋଲିବ ନାହିଁ। ଜିଲ୍ଲା ପ୍ରଶାସନ ନିଷ୍ପତ୍ତିକୁ ଅପେକ୍ଷା କରିବୁ।
ରାଜେନ୍ଦ୍ର କୁମାର ପଟ୍ଟନାୟକ (ସଭାପତି, ତାରିଣୀ ମନ୍ଦିର ଟ୍ରଷ୍ଟ)

ଧବଳେଶ୍ବର ମନ୍ଦିର ଖୋଲିବା ନେଇ ପ୍ରଶାସନର ନିରବତା କଷ୍ଟ ଦେଉଛି
ଧ‌ବଳେଶ୍ବର ମନ୍ଦିରରେ କାର୍ତ୍ତିକରେ ପ୍ରବଳ ସମାଗମ ହୁଏ। ତେବେ କରୋନା କଟକଣାକୁ ଦୃଷ୍ଟିରେ ରଖି ଏବେ କେବଳ ନୀତିକାନ୍ତି କରାଯାଉଛି। ଯଦିଓ ସରକାର କଟକଣା କୋହଳ କରି ମନ୍ଦିର ଖୋଲିବା ନେଇ ଘୋଷଣା କରିଛନ୍ତି, କିନ୍ତୁ ଜିଲ୍ଲା ପ୍ରଶାସନ ନିରବ ରହିବା ବହୁତ କଷ୍ଟ ଦେଉଛି।
ବିଷ୍ଣୁଚରଣ ପତ୍ରୀ (ସଭାପତି, ଧବଳେଶ୍ବର ପୂଜକ ସମିତି)

ସମ୍ବନ୍ଧିତ ଖବର