ଭୁବନେଶ୍ବର: ଓଡ଼ିଶାର ଅଧିକାଂଶ ଧାର୍ମିକସ୍ଥଳ ବନ୍ଦ ରହିଥିବା ହେତୁ ସେଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ତ ଦୂରର କଥା ,କାହାରିକୁ ଦେଖିବାକୁ ମିଳି ନଥିଲା। ଆଉ କେତେକ ସ୍ଥାନରେ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଥିବା ବେଳେ ତାହା ବନ୍ଦ ଥିବା ଯୋଗୁ ଫେରୁଥିବାର ଦେଖିବାକୁ ମିଳିଛି।
ଆଜି ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ବନ୍ଦ ଥିଲା। ଆଜିଠାରୁ ଏହା ଦର୍ଶନାର୍ଥଙ୍କ ଲାଗି ଏପ୍ରିଲ୍ ୧ ତାରିଖ ଯାଏଁ ବନ୍ଦ ରହିବ। ଠିକ୍ ସେହପରି ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରେ ବି ସମାନ କଥା ଦେଖିବାକୁ ମିଳିଛି। ତେବେ କୋଣାର୍କ ମନ୍ଦିରରେ କୌଣସି ପର୍ଯ୍ୟଟକ ପହଞ୍ଚି ନ ଥିବା ଜଣାଯାଇଛି।
ଭଦ୍ରକ ଜିଲ୍ଲାର ଆରଡ଼ି ମନ୍ଦିର ବି ବନ୍ଦ ଥିବା ହେତୁ ବହୁ ଶ୍ରଦ୍ଧାଳୁ ସେଠାରେ ନିରାଶ ହୋଇ ଫେରୁଥିବା ଜଣାଯାଇଛି।
ଠିକ୍ ସେହିପରି ଭଦ୍ରକାଳୀ ମନ୍ଦିରକୁ ବି ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିବାର ଖବର ମିଳିଛି। କଟକର ଚଣ୍ଡୀ ମନ୍ଦିର , ଗଡ଼ଗଡ଼େଶ୍ବର ମନ୍ଦିର ସମେତ ଅଧିକାଂଶ ମନ୍ଦିର ବି ଖାଁ ଖାଁ ଲାଗୁଛି। ଅନୁଗୁଳର ଜଗନ୍ନାଥ ମନ୍ଦିର ବନ୍ଦ ରହିଥିବା ବେଳେ ସେଠାକାର ମସଜିଦ୍ ବି ବନ୍ଦ ରହିଛି।