ଶ୍ରୀଜଗନ୍ନାଥ ମନ୍ଦିର ସହିତ ସମସ୍ତ ଦେବାଦେବୀ ମନ୍ଦିର ଖୋଲିବା ପ୍ରସଂଗ : ୨ ମାମଲାର ଏକତ୍ର ଶୁଣାଣି ୧୦ରେ

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ସମସ୍ତ ଦେବାଦେବୀଙ୍କ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ପ୍ରସଂଗକୁ ‌ନେଇ ଦାୟର ମାମଲାର ଆଜି ହାଇକୋର୍ଟରେ ପ୍ରାରମ୍ଭିକ ଶୁଣାଣି ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରସଂଗକୁ ନେଇ ଆଉ ଏକ ମାମଲା ଦାୟର ହୋଇଥିବାବେଳେ ଉଭୟ ମାମଲାର ଅଗଷ୍ଟ ୧୦ରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତ୍ରିଲୋଚନ ରଥଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଭୂତାଣୁ ସଂକ୍ରମଣ ସ୍ଥିତିରେ ରାଜ୍ୟର ସମସ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଏପରି ନିୟମକୁ ଚାଲେଞ୍ଜ କରି ପୁରୀର ଶ୍ରୀ ରଥ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଅନୁସାରେ ଧର୍ମାନୁଷ୍ଠାନ ଖୋଲା ରହିପାରିବ। କିନ୍ତୁ ରାଜ୍ୟ ସରକାର ଜୁଲାଇ ୩୧ରେ ଜାରି କରିଥିବା ନିୟମାବଳୀରେ ପୂର୍ବ ଭଳି ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଥିଲେ। ରାଜ୍ୟ ସରକାର ମଦ ଦୋକାନଠାରୁ ଆରମ୍ଭ କରି ସପିଂ ମଲ୍ ଖୋଲିବାକୁ ଅନୁମତି ଦେଇ ସାରିଛନ୍ତି। ଏଥିସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ମଧ୍ୟ କଟକଣା ନିୟମ ମାନି ଜାରି ରଖିବାକୁ ଅନୁମତି ମିଳିଛି। ଏଭଳି ସ୍ଥିତିରେ ନିୟମ ପାଳନ କରି ମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଅନୁମତି ଦେବାରେ କିଛି ବାଧା ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ଜୁଲାଇ ୩୧ରେ ରାଜ୍ୟ ସରକାର ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ଉପରେ ଜାରି କରିଥିବା କଟକଣା ସଂପର୍କିତ ନିୟମକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର, ଦେବୋତ୍ତର କମିସନର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର