ନବରଙ୍ଗପୁର/ଚନ୍ଦାହାଣ୍ଡି : ଓଡ଼ିଶା ସୀମାରେ ଅନୁପ୍ରବେଶ କରି ଓଡ଼ିଶାର ଧାନକୁ ଧରିବା ପାଇଁ ଛତିଶଗଡ଼ ସରକାର ପକ୍ଷରୁ କରାଯାଇଥିବା ଅସ୍ଥାୟୀ ଫାଟକ ହଟିଛି । ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସୀମାକୁ ନେଇ ମାପଚୁପ କରାଯିବା ପରେ ଛତିଶଗଡ଼ର ପ୍ରଶାସନିକ ଅଧିକାରୀ ଅସ୍ଥାୟୀ ଫାଟକକୁ ଉଠାଇ ନେବାକୁ ବାଧ୍ୟ ହୋଇଛନ୍ତି । ଓଡିଶା ସୀମା ଭିତରେ ଅନୁପ୍ରବେଶ କରି ଫାଟକ ନିର୍ମାଣ କରିବା ଘଟଣାକୁ ନେଇ ଗତ ଦୁଇ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଆଜି ଏହାର ପରିସମାପ୍ତି ଘଟିଛି ।
ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତର ଖପରାଡିହି ଗ୍ରାମରେ ଛତିଶଗଡ଼ ପକ୍ଷରୁ ଏକ ଅସ୍ଥାୟୀ ତନଖି ଫାଟକ ନିର୍ମାଣ କରାଯାଇଥିଲା । ଓଡ଼ିଶାର ଧାନ ଛତିଶଗଡ଼କୁ ଚାଲିଯାଉଥିବା ଯୋଗୁଁ ଏହାକୁ ଜଗିବା ପାଇଁ ଛତିଶଗଡ଼ ପ୍ରଶାସନ ଏହି ଫାଟକ ନିର୍ମାଣ କରିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତ ଦୁଇ ଦିନ ଧରି ‘ସମ୍ବାଦ’ରେ ଏଥିନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ଚନ୍ଦାହାଣ୍ଡି ତହସିଲଦାର ହୃଦାନନ୍ଦ ସିଂ ମାଝୀ, ଖଇରବାଡ଼ି ରାଜସ୍ବ ନିରୀକ୍ଷକ ରୂପେନ୍ଦ୍ର ନାଗେଶ ଓ ଦଣ୍ଡାମୁଣ୍ଡା ରାଜସ୍ବ ନିରୀକ୍ଷକ ଗଣପତି ମାଳି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଜମି ମାପଚୁପ କରିବା ପରେ ଉକ୍ତ ସ୍ଥାନଟି ଓଡ଼ିଶାର ବୋଲି ସ୍ପଷ୍ଟ ହୋଇଥିଲା। ଏଭଳିକି ନିକଟରେ ଥିବା ନଦୀ ପର୍ଯ୍ୟନ୍ତ ଓଡ଼ିଶାର ଜମି ରହିଥିବା ଜଣାପଡିଥିଲା। ଫାଟକ ନିକଟରେ ଖପରାଡିହି ଗ୍ରାମର ଭରଦ୍ବାଜ୍ ଦାସ ଓ ଫଡ଼କା ମାଳିଙ୍କ ପଟା ଚାଷ ବି ଜମି ରହିଛି। ନଦୀ ପର୍ଯ୍ୟନ୍ତ ଓଡ଼ିଶା ସରକାର ପକ୍କା ପିଚୁ ରାସ୍ତା ନିର୍ମାଣ କରିଛି ଏବଂ ନଦୀ ଉପରେ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଲ ବି ନିର୍ମାଣ କରିଛନ୍ତି । ଆଜି ଯୁବ ନେତା କ୍ଷମରାଜ ବାଘ ଖପରାଡିହି ପହଞ୍ଚିବା ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଅସ୍ଥାୟୀ ଫାଟକ ନିର୍ମାଣକୁ ନେଇ ପ୍ରତିବାଦ କରିଥିଲେ। ଛତିଶଗଡ଼ ପଟୁଆରି(ଅମିନ) ଏହି ଫାଟକ ଛତିଶଗଡ଼ର ଜମିରେ ହୋଇଥିବା ନେଇ ଦାବି କରିବା ସହ ଛତିଶଗଡ଼ ଜମିରେ ଓଡିଶା ସରକାର ରାସ୍ତା ଓ ପୋଲ ନିର୍ମାଣ କରିଥିବା କହିଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଜି ସଂଧ୍ୟାରେ ଛତିଶଗଡ଼ର ଦେଓଭୋଗ ଏସଡିଏମ୍ ଅନୁପମ ଆଶିଷ ଟପୋ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଜମି ମାପଚୁପ କରାଯାଇଥିଲା। ମାପ ବେଳେ ଏହା ଓଡ଼ିଶାର ଜମି ବୋଲି ଚିହ୍ନଟ ହୋଇଥିଲା।
ଛତିଶଗଡ଼ର ଅନୁପ୍ରବେଶ ଧରାପଡ଼ିବା ପରେ ଅନ୍ତତଃ ୨ ମାସ ପାଇଁ ଏଠାରେ ଅସ୍ଥାୟୀ ଫାଟକ କରିବା ପାଇଁ ଚନ୍ଦାହାଣ୍ଡି ପ୍ରଶାସନକୁ ଅନୁରୋଧ କରିଥିଲେ । ତେବେ ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀ ଏହାକୁ ବାରଣ କରିବା ପରେ ଫାଟକକୁ ହଟାଇ ଛତିଶଗଡ଼ ସୀମାରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ତହସିଲଦାର ଶ୍ରୀ ମାଝୀ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ସ୍ତରରେ ଆଲୋଚନା ପରେ ଫାଟକକୁ ଛତିଶଗଡ଼ ସୀମାକୁ ସ୍ଥାନାନ୍ତର କରି ନିଆଯାଇଛି ଏବଂ ବର୍ତ୍ତମାନ ଏଠାରେ କୌଣସି ସୀମା ବିବାଦ ନାହିଁ । ପ୍ରକାଶ ଥାଉ କି ଛତିଶଗଡ଼ରେ ଧାନ ଦର ଓଡ଼ିଶାଠାରୁ ଅଧିକା ରହିଥିବାରୁ କାଳେ ଓଡିଶାର ଚାଷୀ ଛତିଶଗଡ଼କୁ ନେଇ ବିକ୍ରି କରିବେ ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର ଏଠାରେ ଅସ୍ଥାୟୀ ଫାଟକ ନିର୍ମାଣ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/DSCF5735.jpg)