ଭୁବନେଶ୍ବର : କୋଭିଡ୍‌ ଦ୍ବିତୀୟ ଲହରରେ ଅନେକ ପରିବାରରେ ବାପା-ମା' କୋଭିଡ୍‌ରେ ପ୍ରାଣ ହରାଇଲା ପରେ ପିଲାମାନେ ଅନାଥ ହୋଇଯାଉଛନ୍ତି। ସେହିପରି ବାପା-ମା' ସଂକ୍ରମିତ ହୋଇ ଚିକିତ୍ସିତ ହେବା ସମୟରେ ସେମାନଙ୍କ ପିଲାମାନେ ଅସହାୟ ହୋଇପଡ଼ୁଛନ୍ତି। କୋଭିଡ୍‌ ଆକ୍ରାନ୍ତ ପରିବାରର ଏହି ଶିଶୁମାନଙ୍କୁ ରଖିବା ପାଇଁ ମଧ୍ୟ କେହି ଆତ୍ମୀୟ ସ୍ବଜନ ଓ ନିକଟ ସମ୍ପର୍କୀୟ ଆଗେଇ ଆସୁ ନାହାନ୍ତି। ଏହି ପରିସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବର ୧୦୯୮ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ସହାୟତା ନମ୍ବର ୧୮୦୦-୩୪୫-୪୪୯୪ ସହ ରାଜ୍ୟ ହେଲ୍ପ ଲାଇନ୍ ନମ୍ବର ୧୦୪ ଜାରି କରାଯାଇଛି।

Advertisment

୧୮ ବର୍ଷରୁ କମ୍ ବୟସର ଅସହାୟ ଓ ବିପଦଗ୍ରସ୍ତ ଅବସ୍ଥାରେ ଥିବା ପିଲା କାହା ନଜରକୁ ଆସିଲେ ତୁରନ୍ତ ଉପରୋକ୍ତ ହେଲ୍ପ ଲାଇନ୍‌ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏଥିପାଇଁ ପ୍ରତି ଜିଲ୍ଲାରେ ସରପଞ୍ଚଙ୍କୁ ନେଇ ହ୍ବାଟ୍‌ସ୍‌ ଆପ୍ ଗ୍ରୁପ୍ ଗଠନ କରାଯାଇଛି। ଅସୁବିଧାରେ ଥିବା‌ ପ୍ରତ୍ୟେକ ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସେମାନଙ୍କୁ ସାମୟିକ ଭାବେ ସୁରକ୍ଷିତ କରି ରଖିବା ନିମନ୍ତେ ୩୦ଟି ଜିଲ୍ଲାରେ ୩୦ଟି ଅସ୍ଥାୟୀ ବାସସ୍ଥଳୀର ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ୍‌ ଅଫିସର୍‌ଙ୍କୁ ନିଯୁକ୍ତି କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।