ଉଚ୍ଚଶିକ୍ଷା ଅନୁଷ୍ଠାନର ଅସ୍ଥାୟୀ ସ୍ୱୀକୃତି ଅବଧି ବୃଦ୍ଧି ପ୍ରସଂଗରେ ସରକାରଙ୍କ ଜବାବ ଦାଖଲ

କଟକ: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ପ୍ରଦାନ କରାଯାଇଥିବା ସ୍ୱୀକୃତି (ରେକଗ୍ନିସନ୍‌) ଅବଧି ଅତିକମ୍‌ରେ ଏକ ବର୍ଷ ପାଇଁ ବୃଦ୍ଧି ପ୍ରସଂଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ବିଭାଗର ଉପସଚିବ ଏସ.ଏନ.ମହାପାତ୍ରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଦାଖଲ ଜବାବରେ ଦର୍ଶାଯାଇଛି ଯେ କରୋନା ସଂକ୍ରମଣ ସ୍ଥିତି ଉପୁଜିବା ପୂର୍ବରୁ ମଧ୍ୟ କେତେକ ଶିକ୍ଷାନୁଷ୍ଠାନ ସ୍ୱୀକୃତି ପାଇଁ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରୁ ନଥିଲେ। ଯଦି କୋଭିଡ-୧୯ କାରଣ ଦର୍ଶାଇ ସମସ୍ତ ଶିକ୍ଷାନୁଷ୍ଠାନର ସ୍ୱୀକୃତି ଅବଧି ଏକ ବର୍ଷ ବୃଦ୍ଧି କରାଯାଏ ତେବେ ପୂର୍ବରୁ ସର୍ତ୍ତାବଳୀ ପୂରଣ କରୁ ନଥିବା ଅନୁଷ୍ଠାନ ଗୁଡିକ ଏହାର ସୁଯୋଗ ନେବେ।

ଓଡ଼ିଶା ଏଜୁକେସନ୍‌ ଆକ୍ଟର ଧାରା ୬-ଏ’ରେ ସ୍ୱୀକୃତି ପାଇବା ପାଇଁ ଆବଶ୍ୟକ ସର୍ତ୍ତାବଳୀ ପୂରଣ ପ୍ରସଂଗରେ ଉଲ୍ଲେଖ ରହିଛି। ଧାରା ୫(୫) ଅନୁସାରେ ଗଠିତ ଉଚ୍ଚ କ୍ଷମତା ସଂପନ୍ନ କମିଟିର ଅନୁମୋଦନ ପରେ ଶିକ୍ଷାନୁଷ୍ଠାନକୁ ସରକାର ସ୍ୱୀକୃତି ପ୍ରଦାନ କରିଥାନ୍ତି। ସଂପୃକ୍ତ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଓ ପ୍ରାଧିକୃତ ଅଧିକାରୀଙ୍କ ଯୁଗ୍ମ ନିରୀକ୍ଷଣ ରିପୋର୍ଟ ଆଧାରରେ ସ୍ୱୀକୃତି ସଂପର୍କିତ ପ୍ରସ୍ତାବକୁ କମିଟି ବିଚାର କରିଥାଏ। ଆବଶ୍ୟକ ଜମି, କୋଠା, ଆସବାବପତ୍ର ଭଳି ସର୍ତ୍ତ ଯଦି କୌଣସି ଅନୁଷ୍ଠାନ ପୂରଣ କରୁ ନଥାଏ ତେବେ ତାକୁ ଆସ୍ଥାୟୀ ସ୍ୱୀକୃତି ପ୍ରଦାନ କରାଯାଇଥାଏ। ଅନ୍ୟପକ୍ଷରେ ଧାରା ୧୧(୨) ଅନୁସାରେ ଯଦି ନିର୍ଦ୍ଦିଷ୍ଟ ସଂଖ୍ୟକ ଛାତ୍ରଛାତ୍ରୀ କୌଣସି ଶିକ୍ଷାନୁଷ୍ଠାନରେ ନଥାନ୍ତି ତେବେ ସ୍ୱୀକୃତି ପାଇଁ ମନା କରାଯାଇ ପାରିବ। ଏଭଳି ସ୍ଥିତିରେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନର ସ୍ୱୀକୃତି ଅବଧି ଅଖିବୁଜି ବଢାଇବା ପାଇଁ ଅନୁମତି ଦେବା ଉଚିତ ହେବ ନାହିଁ।

ଅନ୍ୟପକ୍ଷରେ ପ୍ରକୃତରେ ପ୍ରଭାବିତ ଶିକ୍ଷାନୁଷ୍ଠାନ ଗୁଡିକ ଯଦି ବ୍ୟକ୍ତିଗତ ଭାବେ ଆବେଦନ କରନ୍ତି ତେବେ ବିଭାଗ ସେମାନଙ୍କ କଥା ବିଚାରକୁ ନେଇ ପାରେ ବୋଲି ଜବାବରେ ଉଲ୍ଲେଖ କରାଯାଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେଟର ୨୮ରେ କରବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟରେ ଏପରି ବହୁ ଶିକ୍ଷାନୁଷ୍ଠାନ ରହିଛି ଯେଉଁ ଗୁଡିକ ସର୍ତ୍ତମୂଳକ ଅସ୍ଥାୟୀ ସ୍ୱୀକୃତିରେ ଚାଲିଛନ୍ତି। କରୋନାକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତିରେ ଏହି ସବୁ ଅନୁଷ୍ଠାନର ସ୍ୱୀକୃତି ଅତି କମରେ ଏକ ବର୍ଷ ପାଇଁ ସରକାର ବୃଦ୍ଧି କରିବା ଉଚିତ ଦର୍ଶାଇ ଅନଙ୍ଗ କୁମାର ଓତା ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଆବେଦନରେ ଦର୍ଶାଯାଇଛି ଯେ ଗୋଟିଏ ସ୍ଥାନରେ ନିୟମିତ ଶିକ୍ଷା ଗ୍ରହଣ କରିବା ସହିତ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତ ହେବା ପାଇଁ ଛାତ୍ରଛାତ୍ରୀ ସୁବିଧା ପାଉଥିବାରୁ ଏଭଳି ଘରୋଇ ଶିକ୍ଷାନୁଷ୍ଠାନକୁ ପସନ୍ଦ କରାଯାଉଛି। ଏଥି ମଧ୍ୟରୁ ଅଧିକଂଶ ଆବାସିକ ଶିକ୍ଷାନୁଷ୍ଠାନଯ ସ୍ଥାୟୀ ସ୍ୱୀକୃତି ପାଇଁ ସରକାରୀ ନିୟମ ଅନୁସାରେ ଭିତ୍ତିଭୂମି ଓ ଅନ୍ୟାନ୍ୟ ସର୍ତ୍ତ ପୂରଣ କରିବାକୁ ଆବଶ୍ୟକ ଥିବା ବେଳେ ବହୁ ଶିକ୍ଷାନୁଷ୍ଠାନ କେତେକ ସର୍ତ୍ତ ପୂରଣ କରି ଅନ୍ୟ ସର୍ତ୍ତ ଭବିଷ୍ୟତରେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇ ଅସ୍ଥାୟୀ ସ୍ୱୀକୃତି ପାଇ ଚାଲିଛନ୍ତି।

ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ନିଜ ଖର୍ଚ୍ଚ ତୁଲାଇବା ପାଇଁ ଛାତ୍ରଛାତ୍ରୀଙ୍କ ଟିଉସନ୍‌ ଫି ଉପରେ ନିର୍ଭର କରୁଥିବା ବେଳେ ଏବେ ଏ ବାବଦ ଅର୍ଥ ଆଦାୟ ହୋଇ ପାରୁ ନାହିଁଯ କିନ୍ତୁ ଶିକ୍ଷାନୁଷ୍ଠାନର ଅଧ୍ୟାପକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ କର୍ମଚାରୀ, ୱାର୍ଡେନ୍‌, ପିଅନ, ସଫେଇ କର୍ମଚାରୀ, ରୋଷେୟା ଓ ଅନ୍ୟ କର୍ମଚାରୀଙ୍କୁ ଦରମା ଦିଆଯାଉଛି। ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ୨୦୨୦, ଜୁଲାଇ ୨୮ରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଆଦେଶନାମା ଜାରି କରି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକର ସରଜମିନ୍‌ ସ୍ଥିତି ଅନୁଧ୍ୟାନ (ସ୍ପଟ୍‌ ଭେରିଫିକେସନ୍‌) ପାଇଁ ଆଦେଶ ଦେଇଥିଲେ।

ସ୍ୱୀକୃତି ଅବଧି ବୃଦ୍ଧି ପ୍ରସଂଗକୁ ନେଇ ଶିକ୍ଷାନୁଷ୍ଠାନ ସର୍ତ୍ତପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରିଛି ତାହା ଅନୁଧ୍ୟାନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କୁ କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଏଭଳି କରାଯିବା ସମ୍ଭବ ନଥିବାରୁ ଏହି ଶିକ୍ଷା ବର୍ଷ ପାଇଁ ପୂର୍ବ ବର୍ଷ ସ୍ଥିତି ଆଧାରରେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନର ସ୍ୱୀକୃତି ଅବଧି ବୃଦ୍ଧି କରିବା ସହିତ କୋଭିଡ-୧୯କୁ ଦେଖି ଏଥି ପାଇଁ ସରକାର ସ୍ପଷ୍ଟ ନିୟମାବଳୀ ଜାରି କରିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏହା ଦ୍ଵାରା ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ର ପ୍ରଭାବିତ ହେବ ନାହିଁ ଓ ଘରୋଇ ଅନୁଷ୍ଠାନର କର୍ମଚାରୀ ମଧ୍ୟ ଚାକିରି ହରାଇବା ଆଶଙ୍କା ଦୂର ହେବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର