ଉଚ୍ଚଶିକ୍ଷା ଅନୁଷ୍ଠାନର ଅସ୍ଥାୟୀ ସ୍ବୀକୃତି ଅବଧି ବର୍ଷେ ବୃଦ୍ଧି ପ୍ରସଂଗ : ପକ୍ଷ ରଖିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ପ୍ରଦାନ କରାଯାଇଥିବା ସ୍ବୀକୃତି (ରେକଗ୍‌ନିସନ୍) ଅବଧି ଅତି କମ୍‌ରେ ଏକ ବର୍ଷ ପାଇଁ ବୃଦ୍ଧି ପ୍ରସଂଗକୁ ନେଇ ଦାୟର ମାମଲାର ହାଇକୋର୍ଟ ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୯କୁ ଧାର୍ଯ୍ୟ କରାଯାଇଛି।

ରାଜ୍ୟରେ ଅସ୍ଥାୟୀ ସ୍ବୀକୃତିରେ ଚାଲିଥିବା ଶିକ୍ଷାନୁଷ୍ଠାନ ଗୁଡିକର ସ୍ବୀକୃତି ନବୀକରଣ ପାଇଁ ସରଜମିନ ତଦନ୍ତ କରିବାକୁ ଜୁଲାଇ ୨୮ ତାରିଖରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ଗତ ମାର୍ଚ୍ଚ ମାସରୁ କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ବର୍ତ୍ତମାନ ସମୟରେ ଏହି ଶିକ୍ଷା ବର୍ଷ ପାଇଁ ପୂର୍ବ ବର୍ଷ ସ୍ଥିତି ଆଧାରରେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନର ସ୍ବୀକୃତି ଅବଧି ବୃଦ୍ଧି କରିବା ସହିତ କୋଭିଡ-୧୯କୁ ଦେଖି ଏଥିପାଇଁ ସରକାର ସ୍ପଷ୍ଟ ନିୟମାବଳୀ ଜାରି କରିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ସଚିବ, ନିର୍ଦ୍ଦେଶକ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର