କୋଣାର୍କରେ ହେବ ଅସ୍ଥାୟୀ ଟେଣ୍ଟ୍‌ ସହର, ମାସେ ବ୍ୟାପୀ ଚାଲିବ ସ୍ୱତନ୍ତ୍ର ପର୍ଯ୍ୟଟନ ଉତ୍ସବ

ସ୍ଥାନ ଚିହ୍ନଟ ପାଇଁ ବୁଲିଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

କୋଣାର୍କ/ଭୁବନେଶ୍ବର : ଅର୍କ କ୍ଷେତ୍ର କୋଣାର୍କରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏକ ନୂ୍ଆ ପ୍ରକଳ୍ପ ହାତକୁ ନେବାକୁ ଯାଉଛି। ବେଳାଭୂମିରେ ଅସ୍ଥାୟୀ ଟେଣ୍ଟ୍‌ ସହର ନିର୍ମାଣ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭାଗ ଯୋଜନା କରିଛି। ଏକ ମାସ ବ୍ୟାପୀ ଏକ ସ୍ବତନ୍ତ୍ର ପର୍ଯ୍ୟଟନ ଉତ୍ସବ ମାଧ୍ୟମରେ ଏହି ନିଆରା ସହରରେ ପର୍ଯ୍ୟଟକମାନଙ୍କୁ ରହିବାର ସୁଯୋଗ ମିଳିବ। ତାହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଆୟୋଜନ କରାଯିବ। ଏଥି ପାଇଁ ଜିଲ୍ଲା ପ୍ରଶାସନକୁ ୫୦ ଏକର ଜାଗା ଚିହ୍ନଟ କରିବାକୁ କୁହାଯାଇଛି। ଆଜି ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କୋଣାର୍କ ଯାଇ ବିଭିନ୍ନ ଜାଗା ପରିଦର୍ଶନ କରିଛନ୍ତି। ସମ୍ଭବତଃ ଜାନୁଆରି ପ୍ରଥମ ସପ୍ତାହରୁ ଏହି ଉତ୍ସବ ଆରମ୍ଭ ହେବ।

ଗତ ସପ୍ତାହରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ଏକ ସମୀକ୍ଷା ବୈଠକରେ କୋଣାର୍କରେ ଏପରି ଟେଣ୍ଟ୍‌ ସହର ନିର୍ମାଣ କରାଯିବା ନେଇ ଆଲୋଚନା ହୋଇଥିଲା। ବିଭାଗ ପକ୍ଷରୁ ହୋଇଥିବା ଯୋଜନା ଅନୁଯାୟୀ ଗୁଜୁରାଟର କଚ୍ଛ୍‌ରେ ହେଉଥିବା ପ୍ରସିଦ୍ଧ ରାନ୍ ଉତ୍ସବ ଶୈଳୀରେ ଏହି ସହର ନିର୍ମାଣ କରାଯିବ। ପାଖାପାଖି ୫୦ ଏକର ଜାଗାରେ ସମ୍ପୂର୍ଣ୍ଣ ଗ୍ରାମୀଣ ବାତାବରଣ ମଧ୍ୟରେ ୫୦ଟି ଟେଣ୍ଟ୍‌ ସ୍ଥାପନ କରାଯିବ। ଏକ ନିର୍ଦ୍ଦିଷ୍ଟ ପରିମାଣର ଦେୟ ପ୍ରଦାନ କରି ପର୍ଯ୍ୟଟକମାନେ ଏଠାରେ ରାତ୍ରିଯାପନ କରିପାରିବେ। ଏକ ମାସ ବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶାର କଳାକୃତୀ ପ୍ରଦର୍ଶନ, ହସ୍ତଶିଳ୍ପ ଓ ହସ୍ତତନ୍ତ ଷ୍ଟଲ୍‌, ଫୁଡ୍‌କୋର୍ଟ, ଜଳକ୍ରୀଡ଼ା, ବୋଟିଂ ଆଦିର ସୁବିଧା ଉପଲବ୍ଧ କରାଯିବ। ଫଳରେ ପର୍ଯ୍ୟଟକମାନେ ସେଠାରେ ରହିବା ସହ ଏସବୁର ମଜା ନେଇପାରିବେ। ଏହି କାର୍ଯ୍ୟକ୍ରମର ନାମ ‘ହ୍ବାଇଟ ସ୍ୟାଣ୍ଡ୍‌ ବିଚ ଫେଷ୍ଟିଭାଲ’ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ କୋଣାର୍କକୁ କେବଳ ଦିନବେଳା ହିଁ ପର୍ଯ୍ୟଟକମାନେ ଆସୁଛନ୍ତି। ସନ୍ଧ୍ୟା ପରେ ଏଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ପରି କୌଣସି ସୁଯୋଗ ସୃଷ୍ଟି ହୋଇ ନାହିଁ। କେବଳ ଲାଇଟ୍‌ ଆଣ୍ଡ୍‌ ସା‌ଉଣ୍ଡ୍‌ ସୋ’ ଦେଖିବାକୁ କିଛି ପର୍ଯଟକ ରାତି ପର୍ଯ୍ୟନ୍ତ ରହୁଛନ୍ତି। ତେଣୁ ଏପରି ଉତ୍ସବ ପର୍ଯ୍ୟଟକମାନଙ୍କୁ କୋଣାର୍କରେ ରାତ୍ରି ରହଣୀ ପାଇଁ ଆକୃଷ୍ଟ କରିବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି।

ଆଜି ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା ମନ୍ତ୍ରୀ ତୁଷା‌ରକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବିଶାଲ ଦେବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଓଟିଡିସିର ବରିଷ୍ଠ ବିତ୍ତ ଅଧିକାରୀ ପି.କେ. ଚାନ୍ଦ, ତହସିଲଦାର ପୃଥ୍ବୀରାଜ ମଣ୍ଡଳ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ବନାଞ୍ଚଳ ଅଧିକାରୀ ଆଦିତ୍ୟ ନାରାୟଣ ମିଶ୍ର, କୋଣାର୍କ ରାଜସ୍ବ ନିରୀକ୍ଷକ ସତ୍ୟବାଦୀ ଚିନ୍ନରା, ସୁତନ ରାଜସ୍ବ ନିରୀକ୍ଷକ ଯଶୋବନ୍ତ ନାୟକଙ୍କ ସମେତ ପର୍ଯ୍ୟଟନ ବିଭାଗର ସ୍ବତନ୍ତ୍ର ପରାମର୍ଶଦାତା କୋଣାର୍କରେ ପହଞ୍ଚି ଏହି ପ୍ରକଳ୍ପ ପାଇଁ ସ୍ଥାନ ନିରୂପଣ ନିମନ୍ତେ ଅନୁଧ୍ୟାନ କରିଥିଲେ। ସେମାନେ କୋଣାର୍କ ହେଲିପ୍ୟାଡ଼, ଚନ୍ଦ୍ରଭାଗା ‌ମାଘମେଳା ପଡ଼ିଆ, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ସନ୍ନିକଟ ଅଂଚଳ ଓ କୋଣାର୍କ – ପୁରୀ ବେଳାମାର୍ଗର ସାହୁଖଣତା ବାଙ୍କ ନିକଟରେ ଥିବା ବୋଟିଂ କମ୍ପ୍ଲେକ୍ସ ସନ୍ନିକଟ ସ୍ଥାନ ଏବଂ କୁଶଭଦ୍ରା ନଦୀ ଓ ବଙ୍ଗୋପସାଗରର ସଙ୍ଗମସ୍ଥଳୀ ମୁହାଣ ମୁହଁ ସନ୍ନିକଟ ସ୍ଥାନ ବୁଲି ଦେଖିଥିଲେ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ଜାଗାରେ ଉତ୍ସବ ହେବ, ତାହା ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର