ଭୁବନେଶ୍ୱର: ଆଜି ତାପମାତ୍ରାରେ ରେକର୍ଡ କରିଛି ସମ୍ବଲପୁର | ଆଜି ସମ୍ବଲପୁରରେ ତାପମାତ୍ରା ୪୬.୧ ଡିଗ୍ରି ସେଲ୍ସିୟସ ରେକର୍ଡ କରାଯାଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୪୪.୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି | ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୩.୮ ଡିଗ୍ରି ଏବଂ ଆର୍ଦ୍ରତା ୪୦% ରେକର୍ଡ କରାଯାଇଥିବାବେଳେ ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୫.୩ ଡିଗ୍ରି ଥିବାବେଳେ ଦିନର ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ ୪୪.୩ ଡିଗ୍ରି ଓ ୪୬.୧ ଡିଗ୍ରି ସେଲ୍ସିୟସ ରେକର୍ଡ କରାଯାଇଥିଲା |
ରାଜ୍ୟରେ ଆଜି ସମ୍ବଲପୁରରେ ସର୍ବାଧିକ ୪୬.୧ ଡିଗ୍ରି ସେଲସିୟସ, ହୀରାକୁଦରେ ୪୫.୬ଡିଗ୍ରି ସେଲସିୟସ, ସୋନପୁରରେ ୪୫ ଡିଗ୍ରି ସେଲସିୟସ, ବରଗଡରେ ୪୪.୯ ଡିଗ୍ରି ସେଲସିୟସ, ବଲାଙ୍ଗିର, ବୌଦ୍ଧ, ଟିଟିଲାଗଡ, ନୟାଗଡ, ତାଳଚେରରେ ୪୪ ଡିଗ୍ରି ସେଲସିୟସ, ଅନୁଗୁଳରେ ୪୩.୯ ଡିଗ୍ରି ସେଲସିୟସ, ଝାରସୁଗୁଡ଼ାରେ ୪୩.୪ ଡିଗ୍ରି ସେଲସିୟସ, ରାଉରକେଲା, କଟକ, ଢେଙ୍କାନାଳ, ନୂଆପଡାରେ ୪୩.୨ ଡିଗ୍ରି ସେଲସିୟସ, ସୁନ୍ଦରଗଡରେ ୪୨.୭ ଡିଗ୍ରି ସେଲସିୟସ, ଜଗତସିଂହପୁର,ଖୋର୍ଦ୍ଧାରେ ୪୨.୫ ଡିଗ୍ରି ସେଲସିୟସ, କେନ୍ଦ୍ରାପଡାରେ ୪୧.୮ ଡିଗ୍ରି ସେଲସିୟସ, ଫୁଲବାଣୀ, ଭଦ୍ରକ, ରାୟଗଡାରେ ୪୧.୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି |
ତେବେ ଆସନ୍ତା ୪ ଦିନ ଯାଏଁ ଏଭଳି ସ୍ଥିତି ଜାରି ରହିବ | ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସଙ୍କ ସୂଚନା ମୁତାବକ ଏବେ ଆଭ୍ୟନ୍ତରୀଣ ପଶ୍ଚିମ ସାଙ୍ଗକୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ସ୍ଥିତି ଜାରି ରହିଛି। ଆସନ୍ତା ଦୁଇ ଦିନ ପ୍ରବଳ ହିଟ୍ ୱେଭ୍ ରହିବ। ୧୪ ତାରିଖରେ କାଳବୈଶାଖୀ ସମ୍ଭାବନା ଥିବାରୁ ହିଟ୍ ୱେଭ୍ ସାମାନ୍ୟ କମିବ। ଉତ୍ତର ଆଭ୍ୟନ୍ତରୀଣରେ ଜାରି ରହିବ ହିଟ୍ ୱେଭ୍। ଆଜି ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମୌସୁମୀ ଟ୍ରାଞ୍ଜିସନ୍ ସମୟରେ ଜଳୀୟବାଷ୍ପ ସ୍ୱାଭାବିକ ଭାବେ ଆସିଥାଏ। ଏଣୁ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହୁଏ।