ଖସୁଛି ପାରଦ

ଦାରିଙ୍ଗିବାଡ଼ିରେ ୧୩.୫°, ଆଉ ୧୭ ସ୍ଥାନ ୨୦° ତଳେ

ଲଘୁଚାପ ପ୍ରଭାବରେ ୪/୫ରେ ଦକ୍ଷିଣରେ ସ୍ୱଳ୍ପ ବର୍ଷା

ଭୁବନେଶ୍ୱର : ଗତକାଲି ତୁଳନାରେ ଆଜି ଥଣ୍ଡା ସାମାନ୍ୟ ବଢ଼ିଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩.୫° ସେଲ୍‌ସିୟସ ଓ କୋରାପୁଟରେ ୧୪.୮° ରେକର୍ଡ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଯେ ୨୦° ତଳକୁ ଖସିଆସିଛି ଉପକୂଳ ବାଲେଶ୍ୱର, କଟକର ସର୍ବନିମ୍ନ ତାପମାତ୍ରା। ଆଜି ଶ୍ରୀଲଙ୍କା ଏବଂ ଆଖପାଖ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୪, ୫ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳବର୍ତୀ କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହା ପରେ ପାରଦ ଆହୁରି ଖସିବାର ସମ୍ଭାବନା ରହିଛି।

ସୂଚନାନୁସାରେ ଆଜି ରାଜ୍ୟର ୧୮ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ୨୦° ତଳକୁ ଖସି ଆସିଛି। ୧୨ଟି ସ୍ଥାନର ସର୍ବୋଚ୍ଚ ତାପମାତ୍ରା ବି ୩୦° ତଳେ ରହିଛି। ଏଥିରୁ ଥଣ୍ଡାର ପ୍ରକୋପ ଧୀରେ ଧୀରେ ବଢ଼ୁଥିବା ଲକ୍ଷ୍ୟ କରାଯାଇଛି। ୫ ତାରିଖ ପରେ ଆକାଶରୁ ମେଘ ହଟିଯିବ। ସେତେବେଳକୁ ଥଣ୍ଡାର ପ୍ରକୋପ କେତେକାଂଶରେ ବଢ଼ିବାର ସମ୍ଭାବନା ରହିଛି। ତେବେ ଥଣ୍ଡା ବୃଦ୍ଧି ହାର ଅତ୍ୟଧିକ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବର୍ତମାନ ଉତ୍ତର, ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହୁଛି। ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୧୫ କି.ମି. ରହିଛି।

ଆଜି ଦାରିଙ୍ଗିବାଡ଼ି, କୋରାପୁଟ ପରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୫° ରହିଛି। ହୀରାକୁଦରେ ୧୬.୩°, ସୁନ୍ଦରଗଡ଼ରେ ୧୭°, ଭବାନୀପାଟଣା, କେନ୍ଦୁଝରରେ ୧୭.୨°, ସମ୍ବଲପୁରରେ ୧୮.୭°, ବାଲେଶ୍ୱରରେ ୧୮.୮°, ବାରିପଦା, ସୋନପୁର, ଟିଟିଲାଗଡ଼ରେ ୧୯°, ଝାରସୁଗୁଡ଼ାରେ ୧୯.୨°, ବଲାଙ୍ଗୀରରେ ୧୯.୫°, ଅନୁଗୁଳ, କଟକ, ମାଲକାନଗିରିରେ ୧୯.୬°, ଢେଙ୍କାନାଳରେ ୧୯.୭° ରେକର୍ଡ ହୋଇଛି। ସେହିପରି ଦାରିଙ୍ଗିବାଡ଼ି, କୋରାପୁଟ, ବାଲେଶ୍ୱର, କଟକ, ଚାନ୍ଦବାଲି, ଫୁଲବାଣୀ, ଝାରସୁଗୁଡ଼ା, ସମ୍ବଲପୁର ଆଦି ୧୨ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦° ତଳେ ରହିଛି।

ସମ୍ବନ୍ଧିତ ଖବର