୧୧ ପରେ ରାତି ତାପମାତ୍ରା ବଢ଼ିବ

ଭୁବନେଶ୍ବର: ପ୍ରତିଦିନ ରାତିର ପାରଦ ଏପାଖସେପାଖ ରହୁଛି। କେଉଁ ଦିନ କମୁଛି ତ ଆଉ କେଉଁ ଦିନ ବଢ଼ିଯାଉଛି। ଗତ ୫ ଦିନ ହେଲା ଏଭଳି ସ୍ଥିତି ଲାଗିରହିଛି। ୩ ଦିନ ତଳେ ରାତିର ପାରଦ ବଢ଼ିଥିବା ବେଳେ ଆଜି ପୁଣିଥରେ ସାମାନ୍ୟ ହ୍ରାସ ପାଇଛି। ଦାରିଙ୍ଗବାଡ଼ିର ତାପମାତ୍ରା ୬.୫ ଡିଗ୍ରିକୁ ଖସି ଆସିଛି। ଫୁଲବାଣୀରେ ବି ପାରଦ ୭ ଡିଗ୍ରିକୁ ହ୍ରାସ ପାଇଥିବା ବେଳେ ଅନୁଗୁଳରେ କିନ୍ତୁ ଅପରିବର୍ତ୍ତିତ ୮ ଡିଗ୍ରି ରହିଛି। ଗତକାଲି ପରି ଆଜି ମଧ୍ୟ ୯ଟି ସହରର ପାରଦ ୧୦ ଡିଗ୍ରି ତଳେ ରହିଥିଲା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାତିର ପାରଦ ଗୋଟିଏରୁ ଦୁଇ ଡିଗ୍ରି କମିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ସେଭଳି ପରିବର୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ୧୬ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ସାମାନ୍ୟ ବଢ଼ିବ। ୧୧ ତାରିଖ ରାତିଠାରୁ ଗୋଟିଏରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାରେ ୧୩ରୁ ୧୫ ତାରିଖ ଯାଏ ପ୍ରଭାବ ପଡ଼ିବ। ପାରଦ ବଢ଼ିବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ବି ସମାନ ଭାବେ ତାପମାତ୍ରା ବୃଦ୍ଧି ପାଇବ। ଏବେ କମିବାର ସମ୍ଭାବନା କ୍ଷୀଣ।

ସମ୍ବନ୍ଧିତ ଖବର