ଭୁବନେଶ୍ବର: ଗରମ ଓ ଗୁଳୁଗୁଳିରେ ଦେହମୁଣ୍ଡ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଦେହରୁ ଝାଳ ଶୁଖୁନି କି ଘରେ କିମ୍ବା ବାହାରେ କେଉଁଠି ବି ଶାନ୍ତି ନାହିଁ। ତଣ୍ଟି ବାରମ୍ବାର ଶୁଖିଯାଉଛି। ଖରାରେ ୫ ମିନିଟ୍‌ ରହିଲେ, ଅଚେତ ହେବା ଭଳି ଲାଗୁଛି। ୨ ଦିନ ହେଲା ଏହିଭଳି ପାଗ ଉପକୂଳ ଓଡ଼ିଶାବାସୀଙ୍କୁ ସନ୍ତୁଳି ପକାଇଲାଣି। ଉପକୂଳ ଓଡ଼ିଶାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ରହିଥିବା ବେଳେ ୫୩ ଡିଗ୍ରି ତାପମାତ୍ରା ଭଳି ଅନୁଭୂତ ହେଉଛି। ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୬ ଡିଗ୍ରି ରହିଥିବା ବେଳେ ଆର୍ଦ୍ରତା ରହିଥିଲା ୬୫%। ଫଳରେ ରାଜଧା‌ନୀବାସୀ ଆଜି ୫୩ ଡିଗ୍ରି ପର୍ଯ୍ୟନ୍ତ ଗରମ ଅନୁଭବ କରିଥିଲେ। ତେବେ ଉପକୂଳରେ ତାପମାତ୍ରା ବଢ଼ିଲେ ଏହିଭଳି ଗୁଳୁଗୁଳି ଅନୁଭୂତ ହେବା ସାଧାରଣ କଥା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ନୋଆ (ନ୍ୟାସ୍‌ନାଲ୍‌ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ୍ ଆଡ୍‌ମିନିଷ୍ଟ୍ରେସନ୍‌)ର ତଥ୍ୟ ଅନୁସାରେ, ବାୟୁମଣ୍ଡଳର ଆପେକ୍ଷିକ ଆର୍ଦ୍ରତା ୬୦%ରୁ ଅଧିକ ରହିଲେ ସ୍ବାଭାବିକଠାରୁ ତାପମାତ୍ରା ପାଖାପାଖି ୭ଡିଗ୍ରିରୁ ଅଧିକ ଅନୁଭୂତ ହେବ। ଆଜି ଭୁବନେଶ୍ବରରେ ଆପେକ୍ଷିକ ଆର୍ଦ୍ରତା ୬୫% ଓ ତାପମାତ୍ରା ୩୬ ଡିଗ୍ରି ରହିଥିବାରୁ ତାପମାତ୍ରା ୫୩ ଡିଗ୍ରି ଯାଏ ଅନୁଭୂତ ‌ହୋଇଥିଲା। ଏଥିସହ ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଏହିଭଳି ଗୁଳୁଗୁଳି ପାଗ ଜାରି ରହିବ। ଏଣୁ ସତର୍କ ରହିବା ସହ ପ୍ରଚୁର ପରିମାଣରେ ପାଣି ଓ ତରଳଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଆଜି ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା। ଏଥିମଧ୍ୟରୁ ଅଧିକାଂଶ ସହର ପଶ୍ଚିମ ଓଡ଼ିଶାର। ଏବେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୪୨.୫ ଡିଗ୍ରି ‌ରେକର୍ଡ ହୋଇଛି। ସେହିଭଳି ଝାରସୁଗୁଡ଼ାରେ ୪୨.୪ ଡିଗ୍ରି, ବଲାଙ୍ଗୀରରେ ୪୧.୭ ଡିଗ୍ରି, ତାଳଚେରରେ ୪୧.୬ ଡିଗ୍ରି ସମ୍ବଲପୁରରେ ୪୧.୪ ଡିଗ୍ରି, ରାଉରକେଲାରେ ୪୧.୪ ଡିଗ୍ରି, ସୁନ୍ଦରଗଡ଼ରେ ୪୧.୧ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଫଳରେ ଗରମ ଯୋଗୁଁ ପଶ୍ଚିମ ଓଡ଼ିଶା ଅସ୍ତବ୍ୟସ୍ତ ହେଉଛି। ସେହିଭଳି ଆଜି ଭୁବନେଶ୍ବରର ଦିନ ତାପମାତ୍ରା ଆଜି ୩୮.୭ ଡିଗ୍ରି ରହିଥିବା ବେଳେ କଟକ ଓ ଜଗତସିଂହପୁରରେ ଥିଲା ୪୦ ଡିଗ୍ରି। କିନ୍ତୁ ଉପକୂଳରେ ଯେତିକି ତାପମାତ୍ରା ଥିଲା, ତା’ଠାରୁ ଆହୁରି ୧୦ଡିଗ୍ରି ଅଧିକ ତାପମାତ୍ରା ଉପକୂଳବାସୀ ଅନୁଭବ କରିଥିଲେ। ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଗରମ ଜାରି ରହିବ। ଆସନ୍ତାକାଲି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ। ଦିନର ସର୍ବୋଚ୍ଚ ତାପମାତ୍ରା‌ ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ। ଗୁଳୁଗୁଳି ଜାରି ରହିବ।

ଗତକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ଅଧିକ ଘନୀଭୂତ ହୋଇ ସେହି ଅଞ୍ଚଳରେ ହିଁ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲା। ଏହା ଆଜି ସଂଧ୍ୟା ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଆସନ୍ତାକାଲି ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେବ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସା‌ଗର ଓ ଆଣ୍ଡାମାନ ସାଗର ଉପରେ ରହିବ। ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧ ତାରିଖ ଯାଏ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ପ‌ରେ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ବାଂଲାଦେଶ ଓ ମ୍ୟାଁମାର ଉପକୂଳ ଆଡ଼କୁ ଗତି କରିବ। ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ।