ରାଜ୍ୟକୁ ପୁଣି ତାତି ଫେରୁଛି, ୩ ଦିନ ଜଳିବ ୧୧ ଜିଲ୍ଲା

ଭୁବନେଶ୍ବର: ରାଜ୍ୟକୁ ପୁଣି ତାତି ଫେରୁଛି। ବୁଧବାରଠାରୁ ୩ ଦିନ ଧରି ଜଳିବ ଓଡ଼ିଶା। ରାଜ୍ୟର ତାପମାତ୍ରା ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଏବଂ ଅତ୍ୟଧିକ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯିବ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା ଠାରୁ ଅଧିକ ରହିବ। ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାରେ ବାହାରକୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୮ ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଞ୍ଜାମ, କନ୍ଧମାଳ ଓ ମାଲକାନଗିରି‌ରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି।

୯ ତାରିଖ ଦିନ ମଧ୍ୟ ୧୧ ଜିଲ୍ଲାରେ ଯଥା କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କଟକ, ବାଲେଶ୍ବର, ଭଦ୍ରକ, ଗଜପତି, ଗଞ୍ଜାମ, ଅନୁଗୁଳ ଓ ଖୋର୍ଧା ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ମଧ୍ୟ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ବି ସମ୍ଭାବନା ରହିଛି। ସେହିଭଳି ୧୦ ତାରିଖ ଦିନ ମଧ୍ୟ ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏଣୁ କାଳବୈଶାଖୀର ସମ୍ଭାବନାକୁ ନେଇ ଏହି ୩ ଦିନ ପାଇଁ ଉକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ରାଜ୍ୟର ୯ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ଠାରେ ୪୨.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ବଲାଙ୍ଗୀର, ମାଲକାନଗିରି, ସୋନପୁର ଓ ବୌଦ୍ଧର ତାପମାତ୍ରା ୪୧ ଡିଗ୍ରି ଅତିକ୍ରମ କରିଛି। ଆଜି ରାଜଧାନୀର ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଥିଲା। ରାଜଧାନୀ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ଆଜି ୩୬.୬ ଡିଗ୍ରି ରେକର୍ଡ ହୋଇଥିବା‌ ବେଳେ ବୁଧବାର ଏହା ୩୮ ଡିଗ୍ରିକୁ ବୃଦ୍ଧି ଘଟିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର