ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ପଞ୍ଚାୟତ ଅନ୍ତର୍ଗତ ଆଗର୍ଦା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ଗୋଷ୍ଠୀର ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ ଦୁଇଟି ମାମଲା ରୁଜୁ କରି ୧୦ ଜଣଙ୍କୁ ଗିରଫ କରିଛି।
ଦୁଇଗୋଷ୍ଠୀ ମଧ୍ୟରେ କିଛିଦିନ ତଳେ ଗଣ୍ତଗୋଳ ହୋଇଥିଲା। ଉଭୟ ପକ୍ଷରୁ ଅନେକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏନେଇ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା। ସେହି ଘଟଣାକୁ କେନ୍ଦ୍ରକରି ଗତକାଲି ରାତି ୮ଟାବେଳେ ପୁଣି ଦୁଇଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ମାର୍ପିଟ୍ ହୋଇଥିଲା। ଉଭୟ ଗୋଷ୍ଠୀ ବିଭିନ୍ନ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଗୋଲକ ଯେନା (୫୭), ସଂଜୟ ଯେନା (୩୮), ଡାହାଣୀ ଯେନା (୪୦), ଟିମା ଯେନା (୬୦), ଝିଅ ପୂର୍ଣ୍ଣିମା ଜେନା (୨୮)ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ରାମଚନ୍ଦ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଆହତମାନଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଡାହାଣୀ ଯେନାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୁଲିସ କେସ୍ ନମ୍ବର ୨୮୮/୨୦୨୩ ଏବଂ ୨୮୯/୨୦୨୩ ରେ ଦୁଇଟି ମାମଲା ରୁଜୁ କରିଛି। ଗୋଟିଏ ଗୋଷ୍ଠୀରୁ ୬ଜଣ ଓ ଅନ୍ୟ ଗୋଷ୍ଠୀରୁ ୪ଜଣଙ୍କୁ ଗିରଫ କରାଯାଇଛି ବୋଲି ଆନନ୍ଦପୁର ଏସ୍ଡିପିଓ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।