ଯାଜପୁରସଦର: ଏକାଧିକ ଚୋରି ଘଟଣାରେ ସଂପୃକ୍ତ ଏକ ଚୋର ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହୋଇଛି। ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସଂପୃକ୍ତ ୭ ଅଭିଯୁକ୍ତ ଓ ଚୋରି ଜିନିଷ କିଣିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଯାଜପୁର ପୁଲିସ। ସେମାନଙ୍କ ନିକଟରୁ ବହୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ଜବତ ହୋଇଛି। ଟାଉନ ଥାନା ପରିସରରେ ଆଜି ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଅଭିଯୁକ୍ତମାନେ ହେଲେ ଜିତୁ ଚାତର(୨୩), ପୂର୍ଣ୍ଣ ଗାଗରିଆ(୧୯), ଜଗବନ୍ଧୁ ଦାସ(୨୭), ଚୁଇନ ଦାସ(୪୦), ରବି ଦାସ(୧୪), ଏସ୍‌କେ ମୁଜାହିଦ ଓ ଏସ୍‌କେ କାଲାମ। ଏମାନଙ୍କ ଘର ସ୍ଥାନୀୟ ଲଳିତେଶ୍ୱର, ଶୀତଳେଶ୍ୱର, ଅକରପଡ଼ା, କପାସି ଅଞ୍ଚଳରେ ବୋଲି ସୂଚନା ଦିଆଯାଇଛି। ସେହିପରି ଚୋରି ଜିନିଷ କିଣିବା ଅଭିଯୋଗରେ ବିଂଝାରପୁର ମହାଲକ୍ଷ୍ମୀ ସୁନା ଦୋକାନର ମାଲିକ ମାନସ ରଂଜନ ପାତ୍ର(୩୯), ମଇଁଦା ଆରଚିକ ଦୋକାନର ରବି ନାରାୟଣ ସାହୁ(୫୦) ଓ ଯାଜପୁର ଟାଉନ ବଡ଼ବଜାର ଅଞ୍ଚଳରେ ଥିବା ସୋମନାଥ ଜୁଏଲର୍ସର ପ୍ରୋପ୍ରାଇଟର ଅଜିତ କୁମାର ନାଥଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରାଯାଇଛି।

Advertisment

ଅଭିଯୁକ୍ତମାନଙ୍କ ନିକଟରୁ ସିସି କ୍ୟାମେରା, ପାଣି ମୋଟର, ୧୪୨ ଗ୍ରାମ୍‌ର ସୁନା ଅଳଙ୍କାର, ୩୨୧ ଗ୍ରାମ୍‌ର ରୁପା ଅଳଙ୍କାର, ନଗଦ ୧୨ ହଜାର ଟଙ୍କା, ଲୁଗା, ମୋବାଇଲ ଫୋନ ସମେତ ବହୁ ମୂଲ୍ୟବାନ ଜିନିଷ ଜବତ କରାଯାଇଛି। ୭ ଚୋରି ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୮୦ ଏବଂ ୪୫୭ ଅନୁଯାୟୀ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରାଯାଇଛି। ଚୁଇନ ଓ ଜଗବନ୍ଧୁ ନାଁରେ ବରୀ ରାମଚନ୍ଦ୍ରପୁର ଥାନାରେ ଏକାଧିକ ମାମଲା ରହିଛି ବୋଲି ଯାଜପୁର ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି। ଯାଜପୁର ଟାଉନ ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏହି ସବୁ ଜିନିଷ ଜବତ କରାଯାଇଥିବାରୁ ତାଙ୍କୁ ଏସଡିପିଓ ଧନ୍ୟବାଦ ଦେଇଥିଲେ।