କଟକ : ରାଜାବଗିଚା ରଣକ୍ଷେତ୍ର ପାଲଟିବାର ଦିନକ ପରେ ବାଦାମବାଡ଼ି ଥାନା ଅନ୍ତର୍ଗତ ହରିପୁର ଦାସ ସାହିରେ ସୃଷ୍ଟି ହୋଇଛି ଲଙ୍କାକାଣ୍ଡ। ଘର ତିଆରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି। ଇଟା ଓ ସେଣ୍ଟ୍ରିଂ ହେଇଥିବା ବାଉଁଶରେ ପରସ୍ପରକୁ ଆକ୍ରମଣ କରିଛନ୍ତି। ପୁଲିସ ଘଟଣାରେ ସମ୍ପୃକ୍ତ ୧୨ ଜଣଙ୍କୁ ଧରି ନେଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।
ସୂଚନା ଅନୁଯାୟୀ ହରିପୁର ଦାସ ସାହିର ବାଦଲ ଦାସ ନାମକ ଜଣେ ବ୍ୟକ୍ତି ଘର ନିର୍ମାଣ କରୁଥିଲେ । କିନ୍ତୁ ରାସ୍ତାକୁ ଘର ମାଡ଼ୁଥିବା ଅଭିଯୋଗ କରି ଏହାକୁ ସାହିର ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ। ନିର୍ମାଣ ହୋଇଥିବା ଘରର ଝରକା କିମ୍ବା ତାଜା ରାସ୍ତାକୁ ଯେଭଳି ନ ବାହାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ତାଙ୍କୁ କୁହାଯାଉଥିଲା । ସେହି ଅନୁଯାୟୀ ତଳ ମହଲାରେ ଝରକା କିମ୍ବା ତାଜା ତିଆରି କରିନଥିଲେ ବାଦଲ । କିନ୍ତୁ ଉପର ମହଲାରେ ସେ ତାଜା ନିର୍ମାଣ କରିଥିଲେ। ଏହାକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିବାରୁ ଶୁକ୍ରବାର ସନ୍ଧ୍ୟାରେ ସାହିରେ ବୈଠକ ବସିଥିଲା। ସାହିର କେତେକ ମୁରବୀ ଶ୍ରେଣୀୟ ଲୋକେ ରାତି ପ୍ରାୟ ୯ଟା ବେଳେ ବାଦଲଙ୍କ ଘର ନିକଟକୁ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ ।
କମିଟିର ମୁରବୀ ଶ୍ରେଣୀୟ ଲୋକେ ପହଞ୍ଚିବା ପୂର୍ବରୁ କିନ୍ତୁ ବାଦଲଙ୍କ ସପକ୍ଷ ଓ ତାଙ୍କ ବିରୋଧୀ କୁହାଯାଉଥିବା ପଡୋଶୀ ବାବୁ ଘୋଷଙ୍କ ସମର୍ଥକଙ୍କ ମଧ୍ୟରେ ବାଉଁଶ ଓ ଇଟାରେ ଛେଚାଛେଚି ଆରମ୍ଭ ହୋଇଯାଇଥିଲା। ପ୍ରାୟ ୧୦ ଜଣ ଯୁବକଙ୍କ ମୁଣ୍ଡ ଓ ମୁଁହରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ବାଦାମବାଡ଼ି ଥାନା ପୁଲିସକୁ ଘଟଣା ସମ୍ପର୍କରେ ଖବର ଦିଆଯିବା ପରେ ପୁଲିସ ସାହିରେ ପହଞ୍ଚି ପ୍ରଥମେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା। ଏହି ଘଟଣାରେ ପୁଲିସ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/cuttack-clash.jpg)