ରାଉରକେଲା/ବୀରମିତ୍ରପୁର: ଏକଦା ଝାଡ଼ଖଣ୍ଡ ମୁକ୍ତିମ‌ୋର୍ଚ୍ଚା (ଜେଏମ୍‌ଏମ୍‌)ର ଗଡ଼ କୁହାଯାଉଥିବା ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ଦଳ ସ୍ଥିତି ନୈରାଶ୍ୟଜନକ ରହିଛି। ଆଗାମୀ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ, ତାକୁ ନେଇ ଆଜି ବୀରମିତ୍ରପୁର ବିଏସ୍‌ଏଲ୍‌ କମ୍ପାନିର ଡାଇରେକ୍ଟର ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଥିଲା ପ୍ରଥମ କର୍ମୀସମ୍ମିଳନୀ ଓ ମିଶ୍ରଣ ପର୍ବ। ବୀରମିତ୍ରପୁର ବିଧାନସଭାକ୍ଷେତ୍ରର ଜେଏମ୍‌ଏମ୍‌ର ବହୁ ପୁରୁଖା‌ ନେତା ଓ କର୍ମୀ ସାମିଲ ହୋଇଥିଲେ। ଜେଏମ୍‌ଏମ୍‌ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ପଟେଲ ବାର୍ଲା ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଚାର୍‌ଲେସ୍‌ କିରୋ, କୁଆରମୁଣ୍ଡା ବ୍ଲକ ସମ୍ପାଦକ ମହମ୍ମଦ ସମିର, ବରିଷ୍ଠ ସଦସ୍ୟ ଲକ୍ଷ୍ମୀଧର ସା, ବାଗି ଲାକ୍ରା, ରେମିସ୍‌ ଯୋ‌ଯୋ, ଜୁଏଲ ଯୋଯୋ, ଜିଓନିକା ବା, ବିଶ୍ରାମ କଣ୍ଡୁଲନା ପ୍ରମୁଖ ନେତୃତ୍ବ ନେଇଥିଲେ।

Advertisment

ସମ୍ମିଳନୀରେ ଶତାଧିକ ନେତା ଓ କର୍ମୀ ଯୋଗଦେଇଥିଲେ। ପ୍ରଥମେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା। ଆଦିବାସୀ ମୂଳବାସୀ, ପଥରଗାଡ଼ି ସଙ୍ଗଠନର ନେତା ପିଟର ଟପ୍ନୋ, ଉଦୟ ପୂର୍ତ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶାନ୍ତିପ୍ରକାଶ କୁଜୁର, ଜେରାମ କେର୍କେଟା ଶତାଧିକ ସମର୍ଥକଙ୍କ ସହ ଜେଏମ୍‌ଏମ୍‌‌ରେ ସାମିଲ ହୋଇଥିଲେ। ପରେ ନେତାମାନେ କେମିତି ବୀରମିତ୍ରପୁରରେ ଦଳ କେମିତି ଭଲ ପ୍ରଦର୍ଶନ କରିବ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। କର୍ମୀସମ୍ମିଳନୀ ସରିବାକୁ ମାତ୍ର କିଛି ବାକି ଥିବାବେଳେ ମାଡ଼ି ଆସିଥିଲେ ମହୁମାଛି। ନେତା ଓ କର୍ମୀମାନଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ଭୟରେ ନେତା ଓ କର୍ମୀମାନେ ସଭାସ୍ଥଳ ଛାଡି ଦୌଡିବାକୁ ଲାଗିଥିଲେ। କେବଳ ସଭାସ୍ଥଳ ନୁହେଁ, ଭୋଜି ଭାତ ପ୍ରସ୍ତୁତ କରୁଥିବା ଲୋକମାନେ ମଧ୍ୟ ବାଦ୍‌ ପଡ଼ିନଥିଲେ। ମହୁମାଛି ଆକ୍ରମଣରେ ପ୍ରାୟ ୧୦ରୁ ଅଧିକ ଆହତ ହୋଇଥିଲେ। ଦୁଇଜଣଙ୍କୁ ଗୁରୁତର ହୋଇ ପଡିବାରୁ ସେମାନଙ୍କୁ ବୀରମିତ୍ରପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମହୁମାଛି ଆକ୍ରମଣ ଭୟରେ କର୍ମୀସମ୍ମିଳନୀକୁ ଅଧାରୁ ବନ୍ଦ କରିଦେବାକୁ ପଡ଼ିଥିଲା। ପ୍ରାୟ ଦୁଇଘଣ୍ଟା ପରେ ମହୁମାଛି ସଭାସ୍ଥଳ ଛାଡିଯିବା ପରେ ନେତା ଓ କର୍ମୀମାନେ ଭୋଜିଭାତ ଖାଇ ଘରକୁ ଫେରିଥିଲେ।