ଆଦର୍ଶ ବିଦ୍ୟାଳୟ ପାଇଁ ଦଶ ସୂତ୍ରୀ ଲକ୍ଷ୍ୟ

ଗୁରୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ନିଯୁକ୍ତି ପାଇଲେ ୪୪୩ ଶିକ୍ଷକ ଶିକ୍ଷୟିତ୍ରୀ
୧୦ ବର୍ଷିଆ ଭିଜନ ପ୍ରସ୍ତୁତ କରିବାକୁ ଆହ୍ବାନ

ଭୁବନେଶ୍ବର : ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ହେଉଛି ସରକାରଙ୍କର ଲକ୍ଷ୍ୟ। ଏହି ଉଦ୍ଦେଶ୍ୟରେ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜରିଆରେ ଇଂରାଜୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ଏହାଦ୍ବାରା ଗ୍ରାମାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ଗୁଣାତ୍ମକ ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଆଦର୍ଶ ବିଦ୍ୟାଳୟଗୁଡ଼ିକ ସାରା ଦେଶରେ ଏକ ରୋଲ ମଡେଲ୍‌ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ଗୁରୁ ଦିବସ ଅବସରରେ ଲୋକସେବା ଭବନର କନ୍‌ଭେନ୍ସନ୍‌ ସେଣ୍ଟରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ନବନିଯୁକ୍ତ ୪୪୩ଜଣ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନା‌ୟକ କହିଲେ ଯେ ଜାତୀୟସ୍ତରର ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ ଏହି ବିଦ୍ୟାଳୟଗୁଡ଼ିକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ପିଲାଙ୍କ ମନରେ ଯେପରି ଆଶା ଓ ଆତ୍ମବିଶ୍ବାସ ବୃଦ୍ଧି ହେବ, ସେମାନେ ଏହି ପ୍ରତିଯୋଗିତାମୂଳକ ଦୁନିଆରେ ସବୁପ୍ରକାର ବାଧାବିଘ୍ନକୁ ଅତିକ୍ରାନ୍ତ କରି ସଫଳତାର ପାହାଚ ଚଢ଼ିପାରିବେ, ତାହା ଆମର ଲକ୍ଷ୍ୟ। ପିଲାମାନଙ୍କୁ ଭବିଷ୍ୟତର ସଫଳତା ପାଇଁ ଠିକ୍‌ ଭାବେ ମାର୍ଗଦର୍ଶନ ଦେବା ଲାଗି ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଆଦର୍ଶ ବିଦ୍ୟାଳୟଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ଦଶସୂତ୍ରୀ ଲକ୍ଷ୍ୟ ଘୋଷଣା କରିଛନ୍ତି। ପିଲାମାନଙ୍କୁ ରକ୍ତଦାନ, ପରିବେଶ ସୁରକ୍ଷା, ସାକ୍ଷରତା ଅଭିଯାନରେ ସାମିଲ କରିବା, ଯୋଗ, କ୍ରୀଡ଼ା ଓ ସୁସ୍ଥ ଜୀବନଶୈଳୀ ପାଇଁ ଉତ୍ସାହିତ କରିବା, ଜାତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା, ସ୍କୁଲ ସମୟରୁ ଦକ୍ଷତାର ବିକାଶ ପ୍ରତି ଯତ୍ନବାନ ହେବା ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରାଯିବ। ଏହାବ୍ୟତୀତ ପ୍ରତି ଆଦର୍ଶ ବିଦ୍ୟାଳୟକୁ ଦଶ ବର୍ଷିଆ ଏକ ଭିଜନ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ୨୦୨୧ର ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଭଦ୍ରକ ଜିଲ୍ଲା ସ୍କୁଲର ସହକାରୀ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଓ ଛତ୍ରପୁର ୟୁପି ସ୍କୁଲର ପ୍ରଧାନଶିକ୍ଷକ ଅଜିତ କୁମାର ସେଠୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉଦ୍‌ବୋଧନ ଦେଇ ଆଦର୍ଶ ବିଦ୍ୟାଳୟ ପିଲାଙ୍କ ପ୍ରତିଭା ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତପ୍ରକାଶ କରିଥିଲେ।

ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ନବନିଯୁକ୍ତ ଅଧ୍ୟକ୍ଷ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଏହି ଲକ୍ଷ୍ୟ ପୂରଣ କରିବା ଦିଗରେ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି.କେ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ନିଯୁକ୍ତିପତ୍ର ପାଇଥିବା ୪୪୩ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରେ ୧୫୬ଜଣ ଶିକ୍ଷୟିତ୍ରୀ ରହିଛନ୍ତି।

ସମ୍ବନ୍ଧିତ ଖବର