୧୦ ବର୍ଷ ବିତିଲା, ତୁଟିଲାନି ରୁପା ଇଟା ବିବାଦ: ଜିଲ୍ଲା ଅସ୍ତ୍ରାଗାରରେ ରହିଛି ୫୨୨ ଖଣ୍ଡ ରୁପା ଇଟା

ସେବାୟତଙ୍କ ଦାବି, ଶ୍ରୀମନ୍ଦିର ଓ ମଠ ବିକାଶରେ ଲାଗୁ

ପୁରୀ: ୧୦ ବର୍ଷ ତଳେ ରୁପା ଇଟାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥିଲା ପୁରୀର ଏମାର ମଠ। ସିଂହଦ୍ବାରରେ ଥିବା ଏହି ମଠରୁ ୫୨୨ ଖଣ୍ଡ ରୁପା ଇଟା ମିଳିବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ସେ ସମୟରେ କୋଟି କୋଟି ଟଙ୍କାର ଏହି ଗୁପ୍ତଧନ କେଉଁଠି ଆସିଲା, ତାକୁ ନେଇ ଅନେକ ଖୋଳତାଡ଼ ଆରମ୍ଭ ହୋଇଥିଲା। ଗୁପ୍ତଧନକୁ ଲୁଚାଇ ରଖିବା ଅଭିଯୋଗରେ ମଠ ମହନ୍ତଙ୍କଠାରୁ ଆରମ୍ଭ କରି ଅନେକ ଶିଷ୍ୟ ଓ ମଠରେ କାମ କରୁଥିବା ବ୍ୟକ୍ତି ଗିରଫ ହେଲେ। ଏହି ଘଟଣାକୁ ୧୦ ବର୍ଷ ବିତିଲାଣି, ତଥାପି ନିଷ୍କର୍ସରେ ପହଞ୍ଚିପାରିନି ପୁଲିସ। ଏବେ ସୁଦ୍ଧା ରୁପା ଇଟା ଘଟଣାର ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ କରିନି ପୁଲିସ। ତଦନ୍ତ ଆଳରେ କେବଳ ସମୟ ପରେ ସମୟ ଗଡ଼ାଇ ଚାଲିଛି। ଫଳରେ କୋଟି କୋଟି ଟଙ୍କାର ଏହି ରୁପା ଇଟାର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ସେପଟେ ଏହାର ସୁରକ୍ଷା ଆଳରେ ଲକ୍ଷ ଲକ୍ଷ ଟଙ୍କା ବରବାଦ କରୁଛି ପୁଲିସ।

୨୦୧୧ ମସିହା ଫେବ୍ରୁଆରି ମାସ। ଜଣେ ବଣିଆଙ୍କୁ ରୁପା ଇଟା ବିକ୍ରି ଅଭିଯୋଗରେ ଢ଼େଙ୍ଗାନାଳ ଜିଲ୍ଲା କୁତ୍ତମ ଗାଁର ବରୁଣ ବରାଳ ଓ ଅକ୍ଷୟ ଦାସ ପୁଲିସ ହାତରେ ଧରାପଡ଼ିଥିଲେ। ଦୁଇଜଣ ଏମାର ମଠରେ କାମ କରୁଥିଲେ। ଦୁଇଜଣଙ୍କୁ ପୁଲିସର ଜେରା ପରେ ଖୋଲିଥିଲା ଏମାର ମଠର ରୁପା ଇଟା ରହସ୍ୟ। ବୟାନକୁ ଆଧାର କରି ଯାଞ୍ଚ ବେଳେ ଏମାର ମଠର ଏକ ବନ୍ଦ କୋଠରିରୁ ଗୋଟିଏ ପରେ ଗୋଟିଏ, ଏଭଳି ୫୨୨ ଖଣ୍ଡ ରୁପା ଇଟାର ସନ୍ଧାନ ପାଇଥିଲା ଜିଲ୍ଲା ପୁଲିସ। କୋଠରିକୁ ଭାଙ୍ଗିବା ପରେ ୪ଟି କାଠ ସିନ୍ଦୁକରେ ଭର୍ତ୍ତି ହୋଇ ରହିଥିଲା ଏହି ୫୨୨ ଖଣ୍ଡ ରୁପା ଇଟା। ମାପ ପରେ ପ୍ରତି ଇଟାର ଓଜନ ୩୫ରୁ ୪୦ କେଜି ପର୍ଯ୍ୟନ୍ତ ରହିଥିଲା। ଆକଳନ ପରେ ରୁପା ଇଟାର ସର୍ବମୋଟ ଓଜନ ୧୮ ଟନ୍‌ ୮୭ କେଜି ବୋଲି ଜଣାପଡ଼ିଥିଲା।

ଯେଉଁ ଇଟାରେ ବ୍ୟାଙ୍କକ୍‌, ସାଂଘାଇ, କାନାଡ଼ା ଭଳି ସ୍ଥାନର ନାମ ଉଲ୍ଲେଖ ରହିଥିଲା। ଶହ ଶହ ବର୍ଷର ଏହି ପୁରୁଣା ରୁପା ଇଟାର ସନ୍ଧାନ ମିଳିବା ପରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ରହିଥିବା ଏହି ମଠ ଦେଶ ବିଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଏହି ଘଟଣାରେ ରୁପା ଇଟା କିଣିଥିବା ବଣିଆକୁ ବି ପୁଲିସ ଗିରଫ କରିଥିଲା। ସେ ସମୟରେ ଏହି ରୁପା ଇଟାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। କିଏ କହିଥିଲା, ରାଜରାଜୁଡ଼ା ଶାସନ କାଳରେ ଦାନସୂତ୍ରରେ ମଠକୁ ମିଳିଛି ତ କିଏ କହିଥିଲା, ଧନୀ ମଠ ଏମାର ଶ୍ରୀମନ୍ଦିରକୁ ଆବଶ୍ୟକ ସମୟରେ ଧାନ ଆଦି ଖାଦ୍ୟ ସାମଗ୍ରୀ ଯୋଗାଇବା ପ୍ରତି ବଦଳରେ ରାଜାମାନେ ଏହି ଇଟା ଦାନ ଦେଇଛନ୍ତି। ଏହା ବାଦ୍‌ ଆହୁରି ଅନେକ ଚର୍ଚ୍ଚା ବି ଲୋକ ଲୋଚନକୁ ଆସିଥିଲା। ସେତେବେଳକୁ ଅନେକ ଇଟା ଏ ଭିତରୁ ଚୋରି ହୋଇ ସାରିଥିଲା। ଯାହାର ତଦନ୍ତ ବି ପୁଲିସ ଆଜି ପର୍ଯ୍ୟନ୍ତ କରୁଛି। ସେପଟେ ଇଟା ଜବତ ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ପୁଲିସ ଲାଇନ୍‌ ଜିଲ୍ଲା ଅସ୍ତ୍ରାଗାରରେ ସୁରକ୍ଷିତ ରଖାଯାଇଥିବା କୁହାଯାଉଛି। କିନ୍ତୁ କେଉଁଠୁ ଏହି ଇଟା ଆସିଲା, ୧୦ ବର୍ଷ ପରେ ବି ତାର ଖିଅ ବାହାର କରିପାରିନି ପୁଲିସ।

ଏଭଳି ସ୍ଥିତିରେ ସେବାୟତ ମହଲରେ ଏହାକୁ ନେଇ ସମାଲୋଚନା ଆରମ୍ଭ ହୋଇଗଲାଣି। ଜବତ ଇଟା ଶ୍ରୀମନ୍ଦିର ବିକାଶରେ ଲଗାଇବାକୁ ଦାବି ଉଠିଲାଣି। ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ସଭାପତି ହଜୁରି କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ ଏହି ଇଟାର ବର୍ତ୍ତମାନ ମୂଲ୍ୟ ପ୍ରାୟ ୧୧୯ କୋଟି ହେବ। କିନ୍ତୁ ଏତେ ଟଙ୍କାର ରୁପା ସାଇତି ରଖିବାର କୌଣସି ମୂଲ୍ୟ ନାହିଁ। ଏହାକୁ ଶ୍ରୀମନ୍ଦିର ବିକାଶରେ ବିନିଯୋଗ କରାଯାଉ। ଶ୍ରୀମନ୍ଦିର ପାଣ୍ଠି ବୃଦ୍ଧିରେ ବିନିଯୋଗ ହେଉ। ସେପଟେ ଯେଉଁ ଏମାର ମଠରୁ ଏହି ରୁପା ଇଟା ମିଳିଥିଲା, ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥା‌ରେ। ଏହି ମଠର ପୁନରୁଦ୍ଧାରରେ ବି ଏହି ରୁପା ଇଟା ବିନିଯୋଗ କରାଯାଉ ବୋଲି ଶ୍ରୀ ଖୁଣ୍ଟିଆ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର