କଟକ : ପୂର୍ବତଟ ରେଳବାଇ ଅଧିନରେ ନୂବ ରେଳପଥ ନିର୍ମାଣ ସମୟରେ ମେଟାଲ ବିଛାଇବା ନେଇ ଦିଆଯାଇଥିବା ଟେଣ୍ତରକୁ ବେଆଇନ ଭାବେ ବାତିଲ କରାଯିବା ଅଭିଯୋଗ ଉପରେ ଶୁଣାଣି କରି ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଜ୍ୟୋତିନ କୁମାର ସାହୁଙ୍କ ଦରଖାସ୍ତର ଶୁଣାଣି କରି ୪ ସପ୍ତାହ ଭିତରେ ପଦକ୍ଷେପ ନେବା ପାଇଁ ପୂବର୍ତଟ ରେଳବାଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲାର ବିବରଣୀରୁ ପ୍ରକାଶ ଯେ ବାରଙ୍ଗ, ରେତଙ୍ଗ, ଭୁବନେଶ୍ବରରେ ନୂତନ ରେଳପଥରେ ମେଟାଲ ବିଛାଇବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ୨୦୧୫ରେ ଟେଣ୍ତର ଆହ୍ବାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ଆବେଦନକାରୀ ସଫଳ ହେବା ପରେ ତାଙ୍କୁ ରେଳବାଇ ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ କରିଯାଇ ୯ମାସ ମଧ୍ୟରେ କାମ ସ˚ପୂର୍ଣ୍ଣ କରିବା ପାଇଁ କୁହାଯାଇଥିଲା। ଏ ନେଇ ମାସକ ମଧ୍ୟରେ ଚୁକ୍ତିନାମା କରିବା ପାଇଁ ଥିବାବେଳେ ରେଳବାଇ ପକ୍ଷରୁ ବିଳମ୍ବରେ ୨୦୧୭, ଡିସେମ୍ବର ୨୩ରେ ଚୁକ୍ତିନାମା କରାଯାଇଥିଲା। ପରବର୍ତ୍ତୀ ସମୟରେ ସମବାଇ ପକ୍ଷରୁ ୨୦୧୮, ଅକ୍ଟୋବର ୧୦ରେ ସମୟସୀମାକୁ ବୃଦ୍ଧି କରାଯାଇ ଡିସେମ୍ବର ୧୫ତାରିଖ ସୁଦ୍ଧା କାର୍ଯ୍ୟ ଶେଷ କରିବା ପାଇଁ କୁହାଯାଇଥିଲା। ଏହାପରେ ରେଳବାଇ ଆଉ ଏକ ନିର୍ଦ୍ଦେଶନାମା ଜାରି କରି ୭ଦିନ ମଧ୍ୟରେ କାମ ଶେଷ ନକଲେ କାର୍ଯ୍ୟାଦେଶ ବାତିଲ କରାଯିବ ବୋଲି ସ୍ପଷ୍ଟ କରିଥିଲା। ଏହା ପରେ ନଭେମ୍ବର ୨୩ରେ ପୁଣି ଏକ ନୋଟିସ ଦେଇ ରେଳବାଇ ୪୮ଘଣ୍ଟା ମଧ୍ୟରେ କାମ ଶେଷ ନକଲେ କାର୍ଯ୍ୟାଦେଶ ବାତିଲ କରାଯିବ ବୋଲି କହିଥିଲା।। ଆବେଦନାକରୀ ଏହାର ଜବାବ ରଖି ଆଉ କିଛି ସମୟ ଦେବା ପାଇଁ ନିବେଦନ କରିଥିଲେ। ଏହା ସତ୍ବେ ରେଳବାଇ ଟେଣ୍ତରକୁ ବାତିଲ କରିଦେଇଥିଲା। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।