‌ଯୋଗାଣ ବିଭାଗରେ ଟେଣ୍ଡର ଫିକ୍ସିଙ୍ଗ୍‌; ପ୍ରଶ୍ନ ଉଠାଇଲେ ସୁକିନ୍ଦା ବିଧାୟକ, ଏମ୍‌ଡିଙ୍କ ତଦନ୍ତ ନିର୍ଦ୍ଦେଶ

୫୨ ପ୍ରତିଶତ କମ୍‌ରେ ପରିବହନ ସମ୍ଭବ ତ?

ଯାଜପୁର/ସଦର : ଯାଜପୁର ଜିଲ୍ଲା ଯୋଗାଣ ବିଭାଗର ପରିବହନ ଭଡ଼ା ବାବଦ‌ ଟେଣ୍ଡରରେ ଫିକ୍ସିଂକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଜିଲ୍ଲାର ୩ଟି ଆରଆରସି(ରାଇସ ରିସିଭିଂ ସେଣ୍ଟର)ରୁ ଚାଉଳ ଓ ଗହମ ଖୁଚୁରା କେନ୍ଦ୍ରକୁ ପରିବହନ ପାଇଁ ୨୦୨୧ ରୁ ୨୦୨୩ ପାଇଁ ଏଲ-୨ ଠିକାଦାର ନିଯୁକ୍ତିରେ ଚଞ୍ଚକତା ହୋଇଛି। ସରକାରଙ୍କ ଧାର୍ଯ୍ୟ ଦରଠାରୁ ଅର୍ଦ୍ଧାଧିକ ଅର୍ଥାତ ୫୨ପ୍ରତିଶତ କମ୍‌ ଦର ଦେଇଥିବା ଠିକାଦାରଙ୍କ ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏପରିକି କଳା ତାଲିକାଭୁକ୍ତ ଠିକାଦାର ମଧ୍ୟ ଏଥର ଟେଣ୍ଡର ହାତେଇଛନ୍ତି। ଏହି ଟେଣ୍ଡର ଫିକ୍ସିଂ କାରବାରକୁ ନେଇ ଶାସକ ଦଳର ସୁକିନ୍ଦା ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡ଼େଇ ପ୍ରଶ୍ନ ଉଠାଇବା ପରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଶ୍ବଜିତ କେଶରୀ ଦାସ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଠାରୁ କୈଫିୟତ ତଲବ କରିଛନ୍ତି। ତଦନ୍ତ କରି ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ଯୋଗାଣ ବିଭାଗରେ ପରିବହନ ଠିକା ପାଇଁ ଟେଣ୍ଡର ଫିକ୍ସିଂର ଗୁମର ଖୋଲିଛି। ଯାଜପୁର ଜିଲ୍ଲା ଯୋଗାଣ ବିଭାଗ ସହିତ ନିର୍ଦ୍ଦିଷ୍ଟ କେତେକ ପରିବହନ ଠିକାଦାର ଅସାଧୁମେଣ୍ଟ କରି ଦୀର୍ଘ ବର୍ଷ ହେଲା ଅଭିନବ ଉପାୟରେ ଟେଣ୍ଡର ହାତେଇ ଚାଲିଛନ୍ତି। ଏବେ ତାହା ଲୋକଲୋଚନକୁ ଆସିଛି।

ସୂଚନା ଅନୁସାରେ, ଜିଲ୍ଲା‌ରେ ଥିବା ୩ଟି ଆରଆରସି ଧାନମଣ୍ଡଳ, ଯାଜପୁରରୋଡ ଓ ପାଣିକୋଇଲିରୁ ଚାଉଳ ଓ ଗହମ ପରିବହନ କରି ଖୁଚୁରା କେନ୍ଦ୍ରରେ ପହଞ୍ଚାଇବା ପାଇଁ ଗତ ଏପ୍ରିଲ ମାସରେ ଟେଣ୍ଡର ଆହ୍ବାନ ହୋଇଥିଲା। ଦଶରଥପୁର, ବିଂଝାରପୁର ଓ ଯାଜପୁର ପୌରପାଳିକା ପାଇଁ ପ୍ରଦୀପ କୁମାର କର, ବଡଚଣା ବ୍ଲକ ପାଇଁ ସତ୍ୟବ୍ରତ ଜେନା, ବରୀ,ଯାଜପୁର,ବ୍ୟାସନଗର ଓ କୋରେଇ ପାଇଁ ସମୀର କୁମାର ବିଶ୍ବାଳ, ସୁକିନ୍ଦା ବ୍ଲକ ପାଇଁ ସମରେଶ ପତି, ଦାନଗଦୀ ପାଇଁ ଜିତେନ୍ଦ୍ର କୁମାର ମହାନ୍ତି, ଧର୍ମଶାଳା ଓ ରସୁଲପୁର ବ୍ଲକ ପାଇଁ ଅକ୍ଷୟ କୁମାର ସ୍ବାଇଁ ଟେଣ୍ଡର ପାଇଛନ୍ତି। ଏହି ଟେଣ୍ଡର ପ୍ରକ୍ରିୟାରେ ଦାନଗଦି ବ୍ଲକ ପାଇଁ ବିଡର ଦିଲ୍ଲୀପ କୁମାର ସାମଲ, ସୁକିନ୍ଦା ବ୍ଲକ ପାଇଁ ପବିତ୍ର ମୋହନ ଘଡାଇ, ଯାଜପୁର ବ୍ଲକ ପାଇଁ ଶଙ୍କର୍ଷଣ ସାହୁଙ୍କ ସମେତ ୩୫ଟି ଆବେଦନ ହୋଇଥିଲା। ତେବେ ଡମି ବିଡରଙ୍କ ଜରିଆରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏକାଧିକ ସ୍ଥାନର ଟେଣ୍ଡର ହା‌ତେଇଛନ୍ତି। ରାଜ୍ୟ ସରକାର ପରିବହନ ଖର୍ଚ୍ଚକୁ କ୍ବିଣ୍ଟାଲ ପିଛା ୪୮ଟଙ୍କା ୮୫ପଇସା ଧାର୍ଯ୍ୟ କରିଥିବା ବେଳେ ଅଧାରୁ କମ୍‌ ମୂଲ୍ୟରେ ମଧ୍ୟ ଟେଣ୍ଡର ଚୂଡାନ୍ତ କରାଯାଇଛି। ରସୁଲପୁ‌ରରେ ଧାର୍ଯ୍ୟ ମୂଲ୍ୟଠାରୁ ୫୨ ପ୍ରତିଶତ କମ୍‌ ଦରରେ ଟେଣ୍ଡର ଚୂଡ଼ାନ୍ତ କରାଯାଇଛି। ସେହିପରି ଧର୍ମଶାଳାରେ ୪୭.୩୩ ପ୍ରତିଶତ କମ୍‌, ଯାଜପୁର ବ୍ଲକ ଓ ବ୍ୟାସନଗରରେ ୩୯.୯୯ ପ୍ରତିଶତ କମ୍‌, ବରୀରେ ୫୦.୯୦ ପ୍ରତିଶତ କମ୍‌ ଓ କୋରେଇରେ ୪୦ ପ୍ରତିଶତ କମ୍‌ ଦର ଦେଇଥିବା ଠିକାଦାରଙ୍କୁ ଟେଣ୍ଡର ପ୍ରଦାନ କରାଯାଇଛି। ଅନ୍ୟ ବ୍ଲକ୍‌ଗୁଡିକରେ ମଧ୍ୟ ଏହି ମୂଲ୍ୟ ୧୫ ପ୍ରତିଶତ କମ୍‌ ରହିଛି। ଏହିକ୍ଷେତ୍ରରେ ଟେଣ୍ଡର ନିୟମକୁ ପ୍ରହସନରେ ପରିଣତ କରାଯାଇଛି। ଗତ ୨୦୧୯ ମସିହାରେ ଏହି ଏଲ-୨ ପରିବହନ ଠିକାଦାର ଚୟନ ବେଳେ ନିର୍ଧାରିତ ଦର ଠାରୁ ୧୦ ପ୍ରତିଶତ କମ୍‌ ଦର ଦେଇଥିବା ବିଡରଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷ ଧାର୍ଯ୍ୟ ଦରଠାରୁ ୫୦ ପ୍ରତିଶତ କମ୍‌ ଦର ଦେଇଥିବା ନିର୍ଦ୍ଦିଷ୍ଟ ଠିକାଦାରଙ୍କ ଟେଣ୍ଡରକୁ କମିଟି କିପରି ଅନୁମୋଦନ କଲେ? ଡିଜେଲ, ପେଟ୍ରୋଲ୍‌ ଦର ଆକାଶଛୁଆଁ ହୋଇଥିବା ବେଳେ ୫୦ ପ୍ରତିଶତ କମ୍‌ ଦରରେ କିପରି ପରିବହନ କରିବେ? ଯାହାକି ଅସମ୍ଭବ। ଯାହାକି ସିଧାସଳଖ ଚୋରି ପାଇଁ ସାହାଣ ମେଲା କରାଯାଉଥିବା ଜଳଜଳ ଦେଖାଯାଉଛି ।

ଏହାକୁ ନେଇ ରାଜ୍ୟ ଯୋଗାଣ ନିଗମ ପାଖରେ ପବିତ୍ର ମୋହନ ଘଡାଇ ଓ ଦିଲ୍ଲୀପ କୁମାର ସାମଲ ଅଭିଯୋଗ କରିଥିଲେ। ଏହି ଜାଲିଆତିର ତଦନ୍ତ କରିବାକୁ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ ରାଜ୍ୟ ଯୋଗାଣ ନିଗମକୁ ଅନୁରୋଧ କରିଥିଲେ। ବିଭାଗର ପରିଚାଳନା ନିର୍ଦ୍ଦେଶକ ବିଶ୍ବଜିତ କେଶରୀ ଦାସ ଚିଠି ନମ୍ବର ୧୫୩୨୩/୨୯/୧୦/୨୦୨୧ରେ ଜିଲ୍ଲା ଯୋଗାଣ ବିଭାଗକୁ ତଦନ୍ତ ନିର୍ଦ୍ଦେଶ‌ ଦେଇଛନ୍ତି।

ସମ୍ବନ୍ଧିତ ଖବର