ମାଲକାନଗିରି: ଜିଲ୍ଲାର କୋରୁକୋଣ୍ଡା ବ୍ଲକରେ ଚଳିତ ମାସ ୧୦ ତାରିଖରେ ବ୍ଲକର ୪ଟି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ପତ୍ର ସଂଖ୍ୟା: ୩୪୪୧/୨୪ରେ ସର୍ବମୋଟ ୪୬ ଲକ୍ଷ ୫୦ ହଜାର ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ବିଜ୍ଞାପନ ଅନୁଯାୟୀ ଚଳିତ ମାସ ୧୨ ତାରିଖରୁ ୨୨ ତାରିଖ ତାରିଖ ପର୍ଯ୍ୟନ୍ତ ଉକ୍ତ ଟେଣ୍ଡର ନିମନ୍ତେ ଟେଣ୍ଡର ପେପର ବିକ୍ରି କରାଯାଇଥିଲା। କିନ୍ତୁ ଶେଷ ଦିନ ଅର୍ଥାତ ୨୨ ତାରିଖ ଅପରାହ୍ନରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଠିକାଦାର ବ୍ଲକ ପରିସର ମଧ୍ୟରେ ଏକତ୍ରିତ ହୋଇ ସରକାରଙ୍କ ଟେଣ୍ଡର ନିୟମକୁ ଅଣଦେଖା କରି ଉକ୍ତ ଟେଣ୍ଡର ଗୁଡିକୁ ଫିକ୍ସିଂ କରି ଆପୋଷ ବୁଝାମଣାରେ ନିଜ ମନ ମୁତାବକ ଏକ ବେଆଇନ କମିଟି ଗଠନ କରି ଲକ୍ଷାଧିକ ଟଙ୍କା ଆଦାୟ କରି ମୌଖିକ ଭାବେ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ନିଜ ନିଜ ମଧ୍ୟରେ ଟଙ୍କା କାରବାରକୁ ନେଇ ଗଣ୍ଡଗୋଳ କରୁଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ଭିଡିଓରେ ପୂର୍ବ ଟେଣ୍ଡର ଫିକ୍ସିଂ ଗୁଡିକର ଅର୍ଥରାଶିକୁ ନେଇ ନିଜ ନିଜ ମଧ୍ୟରେ ବାଣ୍ଟିବା ନେଇ ଆଲୋଚନା ହେଉଛି। ବିଡ଼ିଓଙ୍କ କାର୍ଯ୍ୟାଳୟ ବାହାରେ ଠିକାଦାରମାନଙ୍କ ମଧ୍ୟରେ ଅଶ୍ଳୀଳ ଭାଷା ପ୍ରୟୋଗ ସହ ହତାହାତି ହୋଇଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ପ୍ରତ୍ୟେକଟି କାର୍ଯ୍ୟରେ ୩ ଜଣ ଲେଖାଏଁ ଠିକାଦାର ଟେଣ୍ଡର ପେପର କିଣିଥିବା ବେଳେ ଅନ୍ୟ ଠିକାଦାରମାନଙ୍କୁ ମୋଟା ଅଙ୍କର ଅର୍ଥ କିମ୍ବା ଗୁଣ୍ଡା ରଖି ଭୟ ଦେଖାଇ ଟେଣ୍ଡର ପେପର କିଣିବାକୁ ଦିଆଯାଇନଥିବା ସୂଚନା ମିଳିଛି।

ତେବେ ଅନ୍ୟ ଜିଲ୍ଲାମାନଙ୍କରେ ଟେଣ୍ଡର ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହେଉଥିବା ବେଳେ ଏଠି ଅଫଲାଇନ ମାଧ୍ୟମରେ ଟେଣ୍ଡର କାହା ନିର୍ଦ୍ଦେଶରେ ହେଉଛି ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଏହି ଗୋଟିଏ ଟେଣ୍ଡର ନୁହେଁ ବ୍ଲକର ପ୍ରତ୍ୟେକ ଟେଣ୍ଡରରେ ବାଲିମେଳା ଏବଂ କୋରୁକୋଣ୍ଡା ଅଞ୍ଚଳର ହାତ ଗଣତି କିଛି ଠିକାଦାର ଏହି ଅଫଲାଇନ ଟେଣ୍ଡରରେ ଅଂଶଗ୍ରହଣ କରି ନିଜ ନିଜ ମଧ୍ୟରେ କାମ ବିକ୍ରି କରି ସରକାରଙ୍କ ଟିକସ ଟଙ୍କାକୁ ଫାଙ୍କିବାକୁ ଯାଇ ନିଜ ନିଜ ମଧ୍ୟରେ ଏପରି ଲକ୍ଷାଧିକ ଟଙ୍କା ବାଣ୍ଟି ଟେଣ୍ଡର କାର୍ଯ୍ୟ ହାତେଉଥିବା ଦେଖିବାକୁ ମିଳୁଛି। ଏହି ଟେଣ୍ଡର ପ୍ରକ୍ରିୟାକୁ ତୁରନ୍ତ ବାତିଲ କରିବା ସହ ଆଗାମୀ ଦିନରେ ବ୍ଲକରେ ଟେଣ୍ଡର ପ୍ରକ୍ରିୟା ସରକାରୀ ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ହେବା ସହ କଡା ସୁରକ୍ଷା ନିମନ୍ତେ ପୁଲିସ ପ୍ରଶାସନ ନିୟୋଜନ ସହ ଫିକ୍ସିଂ ମାମଲାରେ ଜଡିତ ଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ଏନେଇ କୋରୁକୋଣ୍ଡା ବିଡ଼ିଓ ସୁଜିତ ମିଶ୍ରଙ୍କୁ ପଚାରିବାରୁ ସେ ଏକ ସରକାରୀ କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ ରହିଥିବା ବେକେ ଏହି କଥା ଜାଣି ନଥିବା କହିଥିଲେ। ଯଦି ଏହି କଥା ଟି ସତ ତେବେ ସେ ତୁରନ୍ତ ସମସ୍ତ ଟେଣ୍ଡର ପେପରଗୁଡିକ ଦେଖି ଟେଣ୍ଡର ପ୍ରକ୍ରିୟା ଖୋଲା ଯିବା ଦିନ ଏହି ଟେଣ୍ଡର କ ନିଶ୍ଚୟ ବାତିଲ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଖବର ପଢ଼ନ୍ତୁ: ୪୦ ସ୍କୁଲ ବନ୍ଦ କରିଥିଲେ ତତ୍କାଳୀନ ସରକାର