୨୦୨୦-୨୧ ପାଇଁ ଟେଣ୍ଡର ସ୍ଥିର ହୋଇନି, ମାତ୍ର ରସିଦ ଛପା ହୋଇ ଆଦାୟ ଚାଲିଛି ମହାସୁଲ

ବାରିପଦା ପୌରପାଳିକାରେ ଚାଲିଛି କର୍ମଚାରୀଙ୍କ ମେରୀରାୟ ନୀତି

ଜାଣୁନାହାନ୍ତି ଜିଲ୍ଲାପାଳ, ଉପଜିଲ୍ଲାପାଳ
ଦୁଇମାସ ଆଦାୟ ହୋଇଥିବା ଅର୍ଥ ଫେରାଇବାକୁ ସଂପୃକ୍ତ ସଂସ୍ଥାକୁ ନୋଟିସ ହେବ

ବାରିପଦା : ବାରିପଦା ପୌରପାଳିକାରେ ଚାଲିଛି ନିର୍ଦ୍ଦିଷ୍ଟ କିଛି କର୍ମଚାରୀଙ୍କ ମେରୀରାୟ ନୀତି। ଖୋଦ ଜିଲ୍ଲାପାଳ ପ୍ରଶାସକ ଏବଂ ଉପଜିଲ୍ଲାପାଳ ନିର୍ବାହୀ ଅଧିକାରୀ ଥିବାବେଳେ କିନ୍ତୁ କିଛି ବରିଷ୍ଠ କର୍ମଚାରୀଙ୍କ ଦବଦବା ପ୍ରଶାସନିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଉଛି। ସ୍ଥିତି ଏପରି ହୋଇଛି ଯେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଟେଣ୍ଡର ସ୍ଥିର ହୋଇନି। ମାତ୍ର ଏହି ଆର୍ଥିକ ବର୍ଷ ପାଇଁ ରସିଦ ଛପା ସରି ଚାଲିଲାଣି ମହାସୁଲ ଆଦାୟ।

ବାରିପଦା ପୌରାଞ୍ଚଳରେ ବେପାର କରୁଥିବା ଅଣଲାଇସେନ୍ସପ୍ରାପ୍ତ ଉଠାଦୋକାନୀଙ୍କଠାରୁ ମହାସୁଲ(ହାଟ ଦାଣ୍ଡିଆ) ଆଦାୟ ନିମନ୍ତେ ଉଦ୍ଦିଷ୍ଟ ଟେଣ୍ଡର ପ୍ରକ୍ରିୟା ପ୍ରାୟ ୩ଥର ବାତିଲ ହୋଇସାରିଥିବା ସୂଚନା ଅଛି। ଏହା ଅର୍ଥ ଏଯାବତ ଏହି ମହାସୁଲ ଆଦାୟ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କୁ ଦାୟିତ୍ବ ପ୍ରଦାନ କରାଯାଇନାହିଁ। ମାତ୍ର ‘କମଲ ତୋଷ୍ନିଆଲ୍’ ନାମକ ଜଣେ ଲାଇସେନ୍ସଧାରୀ ୨୦୨୦-୨୧ ପାଇଁ ରସିଦ ଛାପି ଉଠାଦୋକାନୀ ଏବଂ ବେପାର କରୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ମହାସୁଲ ଆଦାୟ କରୁଥିବା ଦେଖିବାକୁ ମିଳିଛି। ଯାହାକି ଦୋକାନୀଙ୍କଠାରୁ ଆରମ୍ଭ କରି ସାଧାରଣଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ଆର୍ଥିକ ବର୍ଷ ପାଇଁ ହୋଇଥିବା ଲାଇସେନ୍ସ୍ ଅବଧି ସରିଯାଇଥିବା ଖୋଦ୍ ଗତଥରର ଲାଇସେନ୍ସଧାରୀ ସ୍ବିକାର କରୁଥିବା କହିଛନ୍ତି। ଏପରିକି କିଏ ମହାସୁଲ ଆଦାୟ କରୁଛନ୍ତି ସେନେଇ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ତଥାପି ଉଠାଦୋକାନୀଙ୍କଠାରୁ ଚାଲିଛି ମହାସୁଲ ଆଦାୟ। ଏହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି।

ବାରିପଦା ପୌରପାଳିକାରେ ବିନା କୌଣସି ସରକାରୀ ଅନୁମତିରେ ଗତ ଦୁଇମାସ ଧରି ଚାଲିଥିବା ମହାସୁଲ ଆଦାୟକୁ ନେଇ ଆଜି ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପରେ ବାରିପଦା ଉପଜିଲ୍ଲାପାଳ ତଥା ପୌରପାଳିକା ନିର୍ବାହୀ ଅଧିକାରୀ ଅନ୍ବେଷା ରେଡ୍ଡୀ ଏହି ଘଟଣାରେ ସଂପୃକ୍ତ ଜନୈକ ବରିଷ୍ଠ କର୍ମଚାରୀଙ୍କ କାର୍ଯ୍ୟାଳୟକୁ ଡାକି ତନାଘନା କରିଥିଲେ। କିପରି ଏବଂ କେଉଁ ପରିସ୍ଥିତିରେ ଏଭଳି ବେଆଇନ ଭାବେ ମହାସୁଲ ଆଦାୟ ହେଲା ସେନେଇ ନିର୍ବାହୀ ଅଧିକାରୀ ଶ୍ରୀମତୀ ରେଡ୍ଡୀ ଜବାବ ତଲବ କରିଥିବା ଜଣାପଡ଼ିଛି। ଗତ ଦୁଇମାସରେ ଉକ୍ତ ସଂସ୍ଥା ଦୋକାନୀଙ୍କଠାରୁ ଆଦାୟ କରିଥିବା ମହାସୁଲକୁ ପୌରପାଳିକାରେ ଜମା କରିବାକୁ ନୋଟିସ୍ କରିବା ନିମନ୍ତେ ନିର୍ବାହୀ ଅଧିକାରୀ କହିଥିବା ସୂଚନା ମିଳିଛି। ମାତ୍ର ଏଯାବତ ବେଆଇନ ଭାବେ ମହାସୁଲ ଆଦାୟ କରୁଥିବା ଉକ୍ତ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି କିମ୍ବା ସେମାନଙ୍କୁ ଡକାଯାଇ ପଚରାଉଚୁରା ମଧ୍ୟ ହୋଇନି। ଯଦି ବି ଉକ୍ତ ସଂସ୍ଥା ଆଦାୟ କରିଥିବା ମହାସୁଲ ପଇଠ କରିବ, ତେବେ ଉକ୍ତ ମହାସୁଲର ପରିମାଣ କେତେ ହେବ?

ଖବର ଅନୁସାରେ ଗତ ଦୁଇମାସରେ ପ୍ରାୟ ୬ଲକ୍ଷରୁ ଊର୍ଧ୍ବ ମହାସୁଲ ଆଦାୟ ହୋଇଥିବା ଜଣାପଡ଼ିଛି। ସେହିପରି ଅର୍ଥ ପଇଠ କରିଦେଲେ କଣ ବେଆଇନ ଭାବେ ଆଦାୟ କରିଥିବା ମହାସୁଲର ଦୋଷ ଛାଡ଼ ହୋଇଯିବ କି? ଏପରି ନାନା ପ୍ରଶ୍ନ ଉଠିଛି। ଏପରି ବେଆଇନ କାମ କରିଥିବା ସଂସ୍ଥା ଏବଂ କର୍ମଚାରୀଙ୍କ ବିରୋଧରେ ବିଧିବଦ୍ଧ ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଭଞ୍ଜସେନା ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ ଦାବି କରିଛନ୍ତି। ଏପରି ବେଆଇନ ମହାସୁଲ ଆଦାୟ ଘଟଣାରେ ନିରୀହ ବେପାରୀଙ୍କୁ ଶୋଷଣ କରାଯାଉଛି। ବାରିପଦା ପୌରପାଳିକା କିଛି କର୍ମଚାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଏପରି ଘଟଣାକୁ ପ୍ରୋତ୍ସାହନ ଦେଉଛି। ଏହାର ଉପଯୁକ୍ତ ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ବିଜେପି ନେତା ବିଜୟ କୁମାର ଦାସ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର