ନ୍ୟାୟାଳୟଙ୍କ ହସ୍ତକ୍ଷେପ: ଚର୍ଚ୍ଚିତ ଭୋଜପୁର ବାଲିଘାଟ ପାଇଁ ନୂଆ ଟେଣ୍ଡର

ସୁନ୍ଦରଗଡ଼/ସବଡେଗା: ଶେଷକୁ ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ଚର୍ଚ୍ଚିତ ଭୋଜପୁର ବାଲିଘାଟ ପାଇଁ ନୂଆ ଟେଣ୍ଡର ଡକାଯାଇଛି। ଯଶୋବନ୍ତ ସାହୁ ନାମକ ଜଣେ ଠିକାଦାର ବାଲିଘାଟ ଠିକା ପାଇଛନ୍ତି। ଟେଣ୍ଡର ନିୟମର ଖୋଲା ଉଲ୍ଲଂଘନ ପୂର୍ବକ ସବଡେଗା ତହସିଲଦାର ଚନ୍ଦ୍ରଗୁପ୍ତ ସାହୁ ନାମକ ଜଣେ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ତାଙ୍କ ମର୍ଜି ମୁତାବକ ଭୋଜପୁର ବାଲିଘାଟର ଅନୁମତି ଦେଇଥିଲେ। ଏପରିକି ମାମଲା ହାଇକୋର୍ଟରେ ପହଞ୍ଚିଥିବା ଓ ବାଲିଘାଟ ଅନୁମତି ଉପରେ ରହିତାଦେଶ ଥିବା ସତ୍ତ୍ବେ ତହସିଲଦାର ଠିକାଦାରଙ୍କ ନାମରେ ଟ୍ରାନଜିଟ୍ ପାସ୍ କାଟିଥିବା ଅଭିଯୋଗ ହୋଇଥିଲା।

ହାଇକୋର୍ଟ ମାମଲାର ଶୁଣାଣି କରି ନିର୍ଦ୍ଦିଷ୍ଟ ୧୨ ଏକର ପରିମିତ ଭୋଜପୁର ବାଲିଘାଟ ପାଇଁ ନୂଆ ନିଲାମ ଡାକିବାକୁ ଆଦେଶ ଦେଇଥିଲେ। ଶେଷକୁ ଭୋଜପୁର ବାଲିଘାଟ ସହ କୁକୁରିଡିହି, ଗିଲକୁଦର, ବରପାଲି ବାଲିଘାଟର ନିଲାମ ଡାକିଥିଲେ ତହସିଲଦାର। କୁକୁରିଡିହି ବାଲିଘାଟରେ ସୁକୁମାର ପଣ୍ଡା, ଗିଲକୁଦରରେ ଲତିକା ନାଏକ, ବରପାଲିରେ ଲବଣୀଧର ପଟେଲ ଠିକା ପାଇଛନ୍ତି। ସୂଚନାଯୋଗ୍ୟ, ସବଡେଗା ତହସିଲଦାର ଗତ ୨୦୧୭ ମାର୍ଚ୍ଚ ୭ରେ ୪୬.୨୫ ଏକର ପରିମିତ ଭୋଜପୁର ବାଲିଘାଟ ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ଯେଉଥିରୁ ପ୍ରତିବର୍ଷ ୮୦ ହଜାର ସିଏମ୍ ବାଲି ଉଠାଣ କ୍ଷମତା ରହିଛି। ଚନ୍ଦ୍ରଗୁପ୍ତ ସାହୁଙ୍କୁ ସର୍ବୋଚ୍ଚ ଟେଣ୍ଡରଧାରୀ ଭାବେ ନିଲାମ ଦିଆଯାଇଥିଲା। କିନ୍ତୁ ଲଘୁ ଖଣିଜ ଦ୍ରବ୍ୟ ପରିଚାଳନା ପାଇଁ ତାଙ୍କ ପାଖରେ କୌଣସି ଅନୁମୋଦନ କି ପରିବେଶ ଅନୁମତି ନଥିବା ଅଭିଯୋଗ ହୋଇଥିଲା।

ଏସ୍ଥିତିରେ ଶ୍ରୀ ସାହୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାଲିଘାଟର ୪୬.୨୫ ଏକରରୁ ୧୨ ଏକର ପରିମିତ ଜାଗାରୁ ବାର୍ଷିକ ୬୦.୪୨୩ ସିଏମ୍ ବାଲି ଉଠାଣ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ଯାହାକୁ କର୍ତ୍ତୃପକ୍ଷ ଗ୍ରହଣ କରି ଗତ ୨୦୨୦ ସେପ୍ଟେମ୍ବର ୮ରେ ଅନୁମତି ଦେଇଥିଲେ। କିନ୍ତୁ ତାହା ୨୦୧୭ ମାର୍ଚ୍ଚ ୭ରେ ଡକାଯାଇଥିବା ବିଜ୍ଞାପନର ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ହୋଇଥିଲା। ୪୬.୨୫ ଏକର ବାଲିଘାଟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ସେଥିରୁ ୧୨ ଏକର ପରିମିତ ଜାଗାରୁ ବାଲି ଉଠାଇବାକୁ ବିନା ଟେଣ୍ଡରରେ ଅନୁମତି ଦେବା ଲଘୁ ଖଣିଜ ଦ୍ରବ୍ୟ ଆଇନର ଉଲ୍ଲଂଘନ ବୋଲି ଉଚ୍ଚ ନ୍ୟାୟାଳୟରେ ମାମଲା ଦାଏର ହୋଇଥିଲା। କୋର୍ଟ ଆବେଦନକୁ ଗ୍ରହଣ କରି ୮.୯.୨୦୨୦ରୁ ୧୩.୧.୨୦୨୧ ଯାଏ ରହିତାଦେଶ ଜାରି କରିଥିଲେ। ପରବର୍ତ୍ତୀ ସମୟରେ ଏହି ରହିତାଦେଶ ୨୦୨୧ ମାର୍ଚ୍ଚ ୨୩ ୨୦୨୧ ଯାଏ ବୃଦ୍ଧି ହୋଇଥିଲା। କିନ୍ତୁ ଏହା ସତ୍ତ୍ବେ ସବଡେଗା ତହସିଲଦାର ବେଆଇନ ଭାବେ ଚନ୍ଦ୍ରଗୁପ୍ତ ସାହୁଙ୍କ ନାମରେ ଭୋଜପୁର ବାଲିଘାଟ ପାଇଁ ଟ୍ରାନଜିଟ ପାସ ଇସ୍ୟୁ କରିଥିଲେ। ମାର୍ଚ୍ଚ ୨୩ରେ କୋର୍ଟ ମାମଲାର ଶୁଣାଣି କରି ଭୋଜପୁର ବାଲିଘାଟର ୧୨ ଏକର ପରିମିତ ଜାଗା ପାଇଁ ନୂଆ ଟେଣ୍ଡର ଡାକିବାକୁ ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର