ରାଉରକେଲାକ: ସୁନ୍ଦରଗଡ଼ ହକିର ଭିତ୍ତିଭୂମି ବିକାଶ ଯେ ଆଖିଦୃଶିଆ ବିକାଶ ଘଟୁନି, ତାହା ଆଉ କାହାକୁ ଅଛପା ନାହିଁ। ଖୋଦ୍ ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ହିଁ ଏହାର ମୁଖ୍ୟ କାରଣ ପାଲଟିଛି। ଜିଲ୍ଲାରେ ଥିବା ସବୁ ସୁବିଧାସୁଯୋଗକୁ ଭୁବନେଶ୍ବରକୁ ଉଠାଇନେବାର ପ୍ରକ୍ରିୟା ଥମିବାର ନାଁ ନେଉନଥିବାବେଳେ କ୍ରୀଡ଼ା ବିକାଶ ପାଇଁ ହୋଇଥିବା ଘୋଷଣା, କେବଳ ଘୋଷଣାରେ ସୀମିତ ରହିଛି। ଏହାର ଜ୍ବଳନ୍ତ ଉଦାହରଣ ହେଲା, ସୁନ୍ଦରଗଡ଼ ଜିଲ୍ଲାର ୧୬ଟି ବ୍ଲକରେ ହକି ପଡ଼ିଆ ନିର୍ମାଣ ଘୋଷଣା। ଏଯାଏଁ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସଂପନ୍ନ ହୋଇନି। ତେବେ ଘୋଷଣାକୁ ଇତିମଧ୍ୟରେ ୩ ବର୍ଷ ବିତିଲାଣି; କିନ୍ତୁ ପ୍ରକଳ୍ପ ଯେଉଁ ବେଗରେ ଆଗେଇବା କଥା ତାହା ଦେଖିବାକୁ ମିଳୁନି। ଏଣୁ ଆଗାମୀ ଅନ୍ୟୁନ ୧ ବର୍ଷ ଭିତରେ ସବୁ ବ୍ଲକରେ ଆଷ୍ଟ୍ରୋଟର୍ଫ୍ ବିଶିଷ୍ଟ ହକି ପଡ଼ିଆ ସଂପୂର୍ଣ୍ଣ ହେବାର କାଣିଚାଏଁ ସମ୍ଭାବନା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୮ ନଭେମ୍ବର ୪ ତାରିଖରେ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ହକି ପଡ଼ିଆ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସୁନ୍ଦରଗଡ଼ ସଦର ବ୍ଲକରେ ଏହି ପ୍ରସ୍ତାବିତ ହକି ପଡ଼ିଆକୁ ବାତିଲ କରାଯାଇଥିଲା। ଅତଏବ, ଏବେ ଜିଲ୍ଲାରେ ୧୬ଟି ହକି ପଡ଼ିଆ ପାଇଁ ପଦକ୍ଷେପ ନିଆଯାଇଛି। ଅର୍ଥାତ୍, ହେମଗିର ମିନି ଷ୍ଟାଡିୟମ(ହେମଗିର), ଜୟରାମ ହାଇସ୍କୁଲ ପଡ଼ିଆ(ଲେଫ୍ରିପଡ଼ା), ଯୋଗୀମାଲ ପଡ଼ିଆ(ଟାଙ୍ଗରପଲ୍ଲୀ), କ୍ରୀଡ଼ା ଛାତ୍ରାବାସ(ସୁନ୍ଦରଗଡ଼ ସଦର), ତିଲେଇକାନି(ବାଲିଶଙ୍କରା), ଉପେନ୍ଦ୍ର ହାଇସ୍କୁଲ (ସବଡେଗା), ମଚାମରା(ବଡ଼ଗାଁ), କଳିଜାପଥର(କୁତ୍ରା), ଗରିଆମାଲ(ରାଜଗାଙ୍ଗପୁର), କାଦୋବାହାଲ (କୁଆରମୁଣ୍ଡା), ରାଣ୍ଟୋ-ବିରକେରା ବାଳିକା ଉଚ୍ଚବିଦ୍ୟାଳୟ(ଲାଠିକଟା), ତାଲବାହାଲି (ଲହୁଣୀପଡ଼ା), ଗୋପବନ୍ଧୁ ଷ୍ଟାଡିୟମ(କୋଇଡ଼ା), ରାଜା ଧରଣୀଧର ହାଇସ୍କୁଲ(ବଣାଇଁ), ବୀର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ(ଗୁରୁଣ୍ଡିଆ), ଭାଲୁଲତା ଏସ୍ଏସ୍ଡି ବାଳିକା ଉଚ୍ଚବିଦ୍ୟାଳୟ(ବିଶ୍ରା) ଓ ପଞ୍ଚାୟତ ହାଇସ୍କୁଲ(ନୂଆଗାଁ)ରେ ଷ୍ଟାଡିୟମ ସ୍ଥାପନ କରାଯିବ। ଏଥିମଧ୍ୟରୁ ୧୩ଟି ବ୍ଲକର ପଡ଼ିଆ ପାଇଁ ଜମି ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ସଂପନ୍ନ ହୋଇସାରିଛି। କିନ୍ତୁ ତିନୋଟି ଷ୍ଟାଡିୟମ, ଯଥା-ରାଜଗାଙ୍ଗପୁର, ଲହୁଣୀପଡ଼ା, କୋଇଡ଼ାରେ ଜମି ସମସ୍ୟାର ସମାଧାନ ହୋଇପାରିନି। ଏହି ତିନି ଷ୍ଟାଡିୟମ ପାଇଁ ଅତିରିକ୍ତ ଜମି ଆବଶ୍ୟକ ହେଉଥିବାରୁ ଅଧିକ ଜମି ଅଧିଗ୍ରହଣ କରାଯିବ। ଏହି ୧୬ଟି ଷ୍ଟାଡିୟମ ପାଇଁ ସଂପ୍ରତି ଟେଣ୍ଡର୍ ଆହ୍ବାନ କରାଯାଇଛି। ଏନେଇ ଟେଣ୍ଡର୍ ଦାଖଲ ହୋଇସାରିଥିବାବେଳେ ଏହାର ସ୍କ୍ରୁଟିନି କରାଯାଉଛି। ଆସନ୍ତା ୧୫/୨୦ ଦିନ ଭିତରେ ଟେଣ୍ଡର୍ ପ୍ରକ୍ରିୟା ସଂପନ୍ନ ହେବାପରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ଏହାପରେ ହିଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
ଉଲ୍ଲେଖଯୋଗ୍ୟ, ପ୍ରଥମେ ପଡ଼ିଆ ସମତଳ କରାଯାଇ ବେସ୍ ଲେଭଲ୍ ନିର୍ମାଣ କରାଯିବ। ପିଚୁ ଦେଇ ବେସ୍ ଲେଭଲ୍ ଶେଷ ହେବାପରେ ଆଷ୍ଟ୍ରୋଟର୍ଫ ପଡ଼ିବ। ଏହାବାଦ୍ ଜଳଯୋଗାଣ ପାଇଁ ଡିପ୍ ବୋର୍ୱେଲ୍ ପ୍ରତିଷ୍ଠା ସହ ପାଚେରି ନିର୍ମାଣ, ଗ୍ରାଉଣ୍ଡ୍ ଷ୍ଟାଫ୍ ମୁତୟନ, ପଡ଼ିଆ ରକ୍ଷଣାବେକ୍ଷଣ ପାଇଁ ଅନ୍ୟୁନ ୨ ଜଣ କର୍ମଚାରୀ ନିଯୁକ୍ତି, ସ୍ବତନ୍ତ୍ର ଟ୍ରାନ୍ସଫର୍ମର୍ ସ୍ଥାପନ କରି ଅନବରତ ବିଦ୍ୟୁତ ଯୋଗାଣ, ଗ୍ୟାଲେରୀ ନିର୍ମାଣ, ଗମନାଗମନ ପାଇଁ ରାସ୍ତା, ସ୍ବତନ୍ତ୍ର ଜେନେରେଟର୍ ବ୍ୟବସ୍ଥା ଆଦି ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ଏଣୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଢ଼େର୍ ବିଳମ୍ବ ହେବବୋଲି ବିଶେଷଜ୍ଞ ମତ ଦେଇଛନ୍ତି।