ମହାପ୍ରଭୁଙ୍କ ପାଣ୍ଠି ବ୍ୟାଙ୍କରେ ରଖିବାକୁ ହେଲା ସାନି ଟେଣ୍ଡର, ଘରୋଇ ବ୍ୟାଙ୍କକୁ ଟେକି ଦେଇଥିଲେ ୫୦୦ କୋଟି ଟଙ୍କା

ପରିଚାଳନା କମିଟିରେ ଉଠିଲା ଆପତ୍ତି

ପୁରୀ : ମହାପ୍ରଭୁଙ୍କ ପାଣ୍ଠିକୁ ବି ଶେଷରେ ଛାଡିଲେନି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କର୍ପସ୍‌ ପାଣ୍ଠିକୁ ନେଇ ଏକ ବଡ଼ ବେପାର ହୋଇଛି। ଏ ନେଇ ଡିଲ୍‌ର ଗନ୍ଧ ଥିବା ଚର୍ଚ୍ଚାକୁ ଆସିଛି। ପରିଚାଳନା କମିଟି, ଫାଇନାନ୍‌ସ ବା ଅର୍ଥ ସବ୍ କମିଟିର ବିନ‌ା ଅନୁମୋଦନରେ ମହାପ୍ରଭୁ ଶ୍ରୀଜଗନ୍ନାଥ କର୍ପସ ଫାଣ୍ଠିକୁ ଏକ ଘରୋଇ ବ୍ୟାଙ୍କକୁ ବର୍ଷକ ପାଇଁ କେଉଁ ପରିସ୍ଥିତିରେ ଟେକି ଦିଆଯାଇଥିଲା, କାହା ସ୍ବାର୍ଥ ସାଧନ ପାଇଁ ଏଭଳି ଏକ ନିଷ୍ପତ୍ତି ନିଆଯାଇଥିଲା ସେ ନେଇ ଗତ ୨୦ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତୁମ୍ବି ତୋଫାନ ହେବା ପରେ ଘ‌‌ରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି ଜମା କରିଥିବା ଅଧିକାରୀଙ୍କ ଏବେ ବିଳିବିଳା ଆରମ୍ଭ ହୋଇଛି। ଆଗକୁ ବଡ଼ ବିପଦ ଆସିବା ପୂର୍ବରୁ ଏହାକୁ ଟାଳିବା ପାଇଁ ତୁରନ୍ତ କାଳବିଳମ୍ବ ନକରି ବୈଠକର ୪ ଦିନ ପରେ ଅର୍ଥାତ ଡିସେମ୍ବର ୨୪ ତାରିଖ ଦିନ ସାନି ଟେଣ୍ଡର ଆହ୍ବାନ କରିଛନ୍ତି। ଏଥି ପାଇଁ ୧୭ଟି ରାଷ୍ଟ୍ରାୟତ ବ୍ୟାଙ୍କକୁ ଭାଗ ନେବା ପାଇଁ ଚିଠି କରାଯାଇଛି। ଏହାର ଟେଣ୍ଡର ନମ୍ବର ରହିଛି ୧୩୦୯୬। ତେବେ ଯେଉଁ ଘରୋଇ ବ୍ୟାଙ୍କକୁ ନେଇ ଏ ବିବାଦ ଉପୁଜିଛି ସେହି ବ୍ୟାଙ୍କକୁ କିନ୍ତୁ ଏଥର ସାମିଲ କରାଯାଇନଥିବା ଜଣାପଡ଼ିଛି। ଏହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଗତ ୩ ତାରିଖରେ ଟେଣ୍ଡର ଚୂଡ଼ାନ୍ତ ହୋଇସାରିଥିଲେ ହେଁ ଏହାକୁ ସାର୍ବଜନୀନ କରାଯାଇନାହିଁ। ତେବେ ତରବରିଆ ପୁଣି ଥରେ କାହିଁକି ଟେଣ୍ଡର କରାଗଲା, ଯଦି ସଂପୃକ୍ତ ବ୍ୟାଙ୍କ ସୁଧ ଦେଉଥିଲା ଓ ରାଜ୍ୟ ସରକାରଙ୍କ ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ଥିଲା, ଏଥର କାହିଁକି ସଂପୃକ୍ତ ବ୍ୟାଙ୍କକୁ ସାମିଲ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠିଛି।

ଶ୍ରୀମନ୍ଦିର ପ୍ରଶାସନର ଉପଅର୍ଥ ପ୍ରଶାସକ ତରୁଣ କୁମାର ପଣ୍ଡାଙ୍କୁ ପଚାରିବାରେ କହିଛନ୍ତି, ଏଥିରେ କିଛି ଅନିୟମିତତା ନଥିଲା। ଟେଣ୍ଡର ପ୍ରକ୍ରିୟାରେ ସଂପୃକ୍ତ ବ୍ୟାଙ୍କକୁ ଦିଆଯାଇଥିଲା। ଏହା ସରକାରଙ୍କ ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ଥିଲା। ସଂପୃକ୍ତ ବ୍ୟାଙ୍କ ଅଧିକ ସୁଧ ଦେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବୋଲି ମତ ରଖିଛନ୍ତି। ଗତ ୨୦ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଘରୋଇ ଏସ୍‌ ବ୍ୟାଙ୍କରେ କାହିଁକି ଶ୍ରୀମନ୍ଦିରର ୫୦୦ କୋଟି ଟଙ୍କା ଜମା କରାଗଲା, ତାକୁ ନେଇ ପରିଚାଳନା କମିଟି ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଦାସ ମହାପାତ୍ରଙ୍କ କହିବା କଥା ହେଲା, ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ସ୍ଥିତି ଉପୁଜିଲାଣି। ପୂର୍ବରୁ ଜାତୀୟକରଣ ବ୍ୟାଙ୍କରେ ଅର୍ଥ ଜମା କରାଯାଉଥିଲା। ମନ୍ଦିର ପାଣ୍ଠିକୁ ପ୍ରଥମେ ଷ୍ଟେଟ ବ୍ୟାଙ୍କ ପରେ ୟୁକୋ ବ୍ୟାଙ୍କରେ ରଖାଯାଇଥିଲା। ଏପରିକି ମନ୍ଦିର ହୁଣ୍ଡି ଟଙ୍କା ଏବେ ବି ୟୁକୋ ବ୍ୟାଙ୍କ ରହୁଛି । ମାତ୍ର କେଉଁ ପରିସ୍ଥିତିରେ ଏସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି ଜମା କରାଗଲା, ଏଥିରେ କାହାର ଅନୁମୋଦନ ଥିଲା ତାହାରେ ତଦନ୍ତ କରିବାକୁ କହିଛନ୍ତି। ଏଥିପାଇଁ ପରିଚାଳନା କମିଟିର ଅନୁମୋଦନ କାହିଁକି ନିଆଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅର୍ଥ ହସ୍ତାନ୍ତର କମିଟି ଟେଣ୍ଡର ପ୍ରକ୍ରିୟାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଏତେ ଟଙ୍କା ଜମା କରିବାରେ ସହଯୋଗ କରିଥିବା କିଛି ବରିଷ୍ଠ ଅଧିକାରୀ ବଡ଼ଧରଣର ପ୍ୟାକେଜ୍‌ ହାତେଇଥିବା କଥା ଆଲୋଚନାକୁ ଆସିଛି। ଦୁଇ କୋଟି ଟଙ୍କା ଜମା ରଖିଲେ ବ୍ୟାଙ୍କ ଜମାକାରୀଙ୍କୁ ଭଲ ସୁବିଧା ଦେଉଥିବା ବେଳେ ମହାପ୍ରଭୁଙ୍କ ୫୦୦ କୋଟି ପାଇଁ କେତେ ସୁବିଧା ନେଇଛନ୍ତି ତା’ର ନିରପକ୍ଷ ତଦନ୍ତ କରିବାକୁ ଦାବି ହୋଇଛି। ଗତ ପରିଳନା କମିଟିରେ ଏ ନେଇ ପ୍ରଶ୍ନ ଉଠିବା ପରେ ଅଧିକାରୀମାନଙ୍କ ଅକଲ ଗୁଡୁମ ହୋଇଯାଇ ଥିଲା। ଏବେ ପୁଣି ଥରେ ତିନି ବର୍ଷ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି।

ସମ୍ବନ୍ଧିତ ଖବର