କୋଏଲ୍‌ ପ୍ରକଳ୍ପ ପାଇଁ ଟେଣ୍ଡର : ବ୍ୟାରେଜ୍‌ କମ୍‌ ବ୍ରିଜ୍‌ ବଦଳରେ ଆଡ଼ିବନ୍ଧ, ୪୧୬ କୋଟିର ପ୍ରକଳ୍ପ ୨୬୨ କୋଟିକୁ ହ୍ରାସ

ରାଉରକେଲା : ୨୦୧୩ ଜୁଲାଇ ୯ରେ କୋଏଲ୍‌ ନଦୀର ବୈକୁଣ୍ଠ ଘାଟରେ ବ୍ୟାରେଜ୍‌ ତଥା ସେତୁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିସ୍ଥାପନ ସମସ୍ୟା ଆଳରେ ଏହି ପ୍ରକଳ୍ପର ସ୍ଥାନ ଓ ନକ୍ସା ପରିବର୍ତ୍ତନ କରାଯାଇଛି। ବୈକୁଣ୍ଠ ଘାଟ ପରିବର୍ତ୍ତେ ହମିରପୁରରେ ବ୍ୟାରେଜ୍‌ କମ୍‌ ବ୍ରିଜ୍‌ ବଦଳରେ ନିର୍ମାଣ ହେବ ବୃହତ ଆଡ଼ିବନ୍ଧ (େଓ୍ଵର୍‌ ଆକ୍ରସ୍‌ ରିଭର୍‌)। ପ୍ରାୟ ୨୬୨ କୋଟି ଟଙ୍କାର ପ୍ରାଥମିକ ଆକଳନରେ ଏହି ପ୍ରକଳ୍ପ ପାଇଁ ବୁର୍ଲାସ୍ଥିତ ଅପର୍‌ ମହାନଦୀ ବେସିନ୍‌ ମ୍ୟାନେଜର୍‌ ତଥା ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଟେଣ୍ଡର ଆହ୍ଵାନ କରିଛନ୍ତି। ଜୁଲାଇ ଶେଷ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ ମିଆଦ ଧାର୍ଯ୍ୟ କରାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଆଢ଼େଇ ବର୍ଷ ମିଆଦ ଧାର୍ଯ୍ୟ କରାଯାଇଥିବାରୁ ମୂଳ ଆକଳନ ସ୍ୱାଭାବିକ ଭାବେ ବୃଦ୍ଧି ପାଇବ। ତେବେ ଦୀର୍ଘ ୪ ବର୍ଷ ୧୦ ମାସର ଅନିଶ୍ଚିତତା ପରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ସମେତ ସ୍ଥାନୀୟ ବିଜେଡ଼ି କର୍ମକର୍ତ୍ତାମାନେ ଆନନ୍ଦ ପ୍ରକାଶ କରିଛନ୍ତି।

ବିଧାୟକ ଶ୍ରୀ ତରାଇ କହିଛନ୍ତି, ବିସ୍ଥାପନ ବିନା ହମିରପୁରଠାରେ ବ୍ୟାରେଜ୍‌ ତଥା ବ୍ରିଜ୍‌ ନିର୍ମାଣ ପାଇଁ ଜଳ ସମ୍ପଦ ବିଭାଗ ସମସ୍ତ ସମ୍ଭାବନାକୁ ଗୁରୁତ୍ୱ ଦେଉଛି। ତେଣୁ ରାଉରକେଲା ସମେତ କୁଆରମୁଣ୍ଡା ଓ ନୂଆଗାଁ ବ୍ଲକ୍‌ବାସୀ ଏହା ଦ୍ୱାରା ଉପକୃତ ହେବେ।

ସ୍ମରଣଯୋଗ୍ୟ, ରାଉରକେଲା ସହରର ବିସ୍ତତ ଜଳକ୍ଳିଷ୍ଟ ଅଞ୍ଚଳକୁ ୨୪ ଘଣ୍ଟିଆ ପାନୀୟ ଜଳ, ବିସ୍ଥାପନ ବିନା କୁଆରମୁଣ୍ଡା, ବିଶ୍ରା ଓ ନୂଆଗାଁ ବ୍ଲକର ୩୫୦୦ ହେକ୍ଟର ଜମିକୁ ଜଳସେଚନ ଏବଂ ରାଉରକେଲାକୁ କୁଆରମୁଣ୍ଡା ବ୍ଲକର ୧୨ଟି ଗ୍ରାମର ଲୋକଙ୍କ ସହଜ ଯାତାୟତ ଲକ୍ଷ୍ୟ ନେଇ ରାଜ୍ୟ ସରକାର ୫ ବର୍ଷ ତଳେ କୋଏଲ୍‌ ନଦୀରେ ବ୍ୟାରେଜ୍‌ ତଥା ସେତୁର ପରିକଳ୍ପନା କରିଥିଲେ। ୨୦୧୩ ଜୁଲାଇ ୯ରେ ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ନଦୀର ବୈକୁଣ୍ଠ ଘାଟରେ ୪୪୬ କୋଟି ବ୍ୟୟ ଅଟକଳର ଏହି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ। ସେଥିରେ ଥିଲା ୩୦ କୋଟି ବ୍ୟୟରେ ରିଙ୍ଗ୍‌ ରୋଡ୍‌। ବ୍ୟାରେଜ୍‌ କମ୍‌ ବ୍ରିଜ୍‌ ଦେଇ ଝିରପାଣିରୁ ପାନପୋଷ ଯାଏ ରିଙ୍ଗ୍‌ରୋଡ୍‌ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ସେଦିନ ଘୋଷଣା କରିଥିଲେ। ସଭାରେ ଉପସ୍ଥିତ ତତ୍କାଳୀନ ମନ୍ତ୍ରୀ ସୁବ୍ରତ ତରାଇ କହିଥିଲେ, ତାଙ୍କ ଉଦ୍ୟମରେ ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ହୋଇଥିବା କହିଥିଲେ।

ରାଉରକେଲାର ତତ୍କାଳୀନ ବିଧାୟକ ସାରଦା ପ୍ରସାଦ ନାୟକ ଏହାକୁ ତାଙ୍କ ସ୍ୱପ୍ନର ପ୍ରକଳ୍ପ ବୋଲି ବର୍ଣ୍ଣନା କରିଥିଲେ। ତେବେ ଦୀର୍ଘ ୩ ବର୍ଷ ପରେ ବି ପ୍ରକଳ୍ପ ପାଇଁ ଟେଣ୍ଡର ନହେବା ରାଉରକେଲାବାସୀଙ୍କ ମନରେ ଅବିଶ୍ୱବାସର ବାତାବରଣ ସୃଷ୍ଟି କରିଥିଲା। ଚତୁର୍ଥ ବର୍ଷରେ ଜଳ ସମ୍ପଦ ବିଭାଗର ଅନୁସନ୍ଧାନ ଶାଖା ରିପୋର୍ଟ ଦେଇଥିଲେ ଯେ ବିସ୍ଥାପନ ବିନା ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ ଅସମ୍ଭବ। ତେଣୁ ବ୍ୟାରେଜ୍‌ ବଦଳରେ କୋଏଲ୍‌ ନଦୀରେ ଆଡ଼ିବନ୍ଧ ନିର୍ମାଣ ପାଇଁ ସାନି ଅନୁସନ୍ଧାନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମୀକ୍ଷା ବେଳେ କୋଏଲ୍‌ ପ୍ରକଳ୍ପ ଆଦୌ ଆରମ୍ଭ ହୋଇନଥିବା ଜଣାପଡ଼ିଥିଲା। ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପରିବର୍ତ୍ତିତ ପ୍ରକଳ୍ପ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ଵାନ କରାଯାଇଛି। ଜୁନ୍‌ ଦ୍ୱିତୀୟ ସପ୍ତାହରୁ ମୌସୁମୀ ସକ୍ରିୟ ହୋଇ ଅଗଷ୍ଟ ଶେଷ ଯାଏ ବର୍ଷା ଋତୁ ବଳବତ୍ତର ରହିବ। ତେଣୁ ଅଗଷ୍ଟ ପରେ ଏହି ପ୍ରକଳ୍ପର ନିର୍ମାଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର