ଜୁଲାଇ ଦ୍ବିତୀୟ ସପ୍ତାହରେ ଟେଣ୍ଡର୍‌! ହକି ଛକ-ଜରୈକେଲା ରାସ୍ତା ପ୍ରଶସ୍ତିକରଣ

କେନ୍ଦ୍ର ପରିବହନ ମନ୍ତ୍ରଣାଳୟରୁ ୨୦୯.୯୨ କୋଟି ଅନୁମୋଦିତ

ରାଉରକେଲା: ଇସ୍ପାତ ସହରରରୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡକୁ ଉନ୍ନତମାନର ସଡ଼କ ପଥ ଯୋଗାଯୋଗ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜାତୀୟ ରାଜପଥ ୩୨୦ ଡି’ ର ରାଉରକେଲା ଓ ଓଡ଼ିଶା ସୀମାନ୍ତ ଜରୈକେଲା ମଧ୍ୟରେ ଥିବା ୩୬ କିଲୋମିଟର ବିଶିଷ୍ଟ ରାସ୍ତାର ପ୍ରଶସ୍ତିକରଣ କରାଯିବ। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ମାସରେ ୨୦୯ କୋଟି ୯୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ଇତିମଧ୍ୟରେ କାର୍ଯ୍ୟ ବିଭାଗ ଏହି ପ୍ରକଳ୍ପକୁ ଜାତୀୟ ରାଜପଥ ଡିଭିଜନ(ଏନଏଚ୍‌ଡି)କୁ ହସ୍ତାନ୍ତର କରିସାରିଛି। ଆସନ୍ତା ଜୁଲାଇ ଦ୍ବିତୀୟ ସପ୍ତାହରେ ଟେଣ୍ଡର ଆହ୍ବାନ କରାଯିବ। ନିର୍ଦ୍ଧାରିତ ସମୟରେ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

ପ୍ରାୟ ପ୍ରତିଦିନ ରାଉରକେଲାରୁ ଚକ୍ରଧରପୁର, ଟାଟାନଗର, ମନୋହରପୁର, ରାଞ୍ଚି ସମେତ ଝାଡ଼ଖଣ୍ଡ, ବିହାରର ବିଭିନ୍ନ ଅଞ୍ଚଳକୁ ଗମନାଗମନ ଲାଗିରହିଛି। ଲୋକେ ମୁଖ୍ୟତଃ ବନ୍ଧମୁଣ୍ଡା-ବିଶ୍ରା ଦେଇ ଜେରୈକେଲା ପାର୍‌କରି ଝାଡ଼ଖଣ୍ଡକୁ ପ୍ରବେଶ କରିଥାନ୍ତି। ତେବେ ଏହି ରାସ୍ତା ଅପେକ୍ଷାକୃତ କମ୍‌ ଓସାରିଆ ବିଶିଷ୍ଟ ଥିବାରୁ ବହୁ ସମୟରେ ଟ୍ରାଫିକ ସମସ୍ୟା ଲାଗିରହିଥାଏ। ମାତ୍ର ଏନଏଚ-୩୨୦ ଡି ଅନ୍ତର୍ଗତ ରାଉରକେଲା ହକି ଛକ-ଜରୈକେଲା ରାସ୍ତାର ପ୍ରଶସ୍ତିକରଣପରେ ଏହି ସମସ୍ୟା ଦୂର ହେବା ସ୍ବାଭାବିକ୍‌।

ତେବେ ଏହି ୩୬ କିଲୋମିଟର ବିଶିଷ୍ଟ ରାସ୍ତା ପାଇଁ ଜମି ଅଧିଗ୍ରହଣ ପ୍ରମୁଖ ସମସ୍ୟା ପାଲଟିବାର ଆଶଙ୍କା ଦେଖାଦେଇଛି। ବନ୍ଧମୁଣ୍ଡା ଡି’କ୍ୟାବିନରୁ ଜରୈକେଲା, ପ୍ରାୟ ୨୫ କିଲୋମିଟର ପାଇଁ ଜମି ଅଧିଗ୍ରହଣରେ କୌଣସି ସମସ୍ୟା ନାହିଁ। ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ବି ‌ହୋଇଗଲାଣି। ଅବଶିଷ୍ଟ ୧୧ କିଲୋମିଟର, ଅର୍ଥାତ୍‌ ସ୍ଥାନୀୟ ହକି ଛକରୁ ବନ୍ଧମୁଣ୍ଡା ଯାଏଁ ରାସ୍ତା ନିର୍ମାଣରେ କିନ୍ତୁ ଜମି ସମସ୍ୟା ମୁଣ୍ଡବ୍ୟଥାର କାରଣ ପାଲଟିଛି। ବନ୍ଧମୁଣ୍ଡା ଡି’ କ୍ୟାବିନ-ବୀର୍ସା ଛକ ୫ କିଲୋମିଟର ଏବଂ ହକି ଛକ-ବୀର୍ସା ଛକ ୬ କିଲୋମିଟର, ମୋଟ୍‌ ୧୧ କିଲୋମିଟର ଭିତରେ ଜମି ଅଧିଗ୍ରହଣ ପାଇଁ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ। ଯେତେଶୀଘ୍ର ଆର୍‌ଏସ୍‌ପି ଏନେଇ ପଦକ୍ଷେପ ନେବ, ‌ତଦନୁଯାୟୀ ଆଗୁଆ ପ୍ରକଳ୍ପ କାର୍ଯ୍ୟ ଆରମ୍ଭହେବବୋଲି ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଏହି ରାସ୍ତାରେ ଦୁଇଟି ରେଲୱେ ଓଭରବ୍ରିଜ୍‌ ମଧ୍ୟ ନିର୍ମାଣ କରାଯିବ। ସଂପ୍ରତି ଗୋଟିଏ ରେଲୱେ ଓଭରବ୍ରିଜ୍‌ କୁକୁଡ଼ା ଗେଟ୍‌ ଲେବଲ କ୍ରସିଂ ଓ ବିଶ୍ରା ବ୍ଳକ ଅନ୍ତର୍ଗତ ମହୀପାଣିରେ ନିର୍ମାଣ ହେବ।

ସମ୍ବନ୍ଧିତ ଖବର