ମାହାଙ୍ଗା ପୂର୍ତ୍ତ ସେକ୍ସନରେ ଟେଣ୍ଡର ଘୋଟାଲା-୨ : ୩ ବର୍ଷରେ ୨୧୫ ଗୁପ୍ତ ଟେଣ୍ଡର

ଦୁର୍ନୀତିଖୋରଙ୍କୁ ଚପଲରେ ପିଟ: ମନ୍ତ୍ରୀ ପ୍ରତାପ ଜେନା

ଯାଜପୁର/କଟକ : ପୂର୍ତ୍ତ ବିଭାଗର କଟକ ଡିଭିଜନ୍-୨ ଅଧୀନ ସାଲେପୁର ସବ୍‌ଡିଭିଜନର ମାହାଙ୍ଗା ସେକ୍ସନ ଦ୍ବାରା ତ୍ବରାନ୍ବିତ ହେଉଥିବା ରାସ୍ତାଗୁଡ଼ିକର ନିର୍ମାଣ ଓ ମରାମତି ନାମରେ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଛି। ଗତ ୩ ବର୍ଷରେ ନିର୍ଦ୍ଦିଷ୍ଟ ‌ରାସ୍ତା ଉପରେ ୨/୩ଜଣ ଠିକାଦାରଙ୍କ ଜରିଆରେ ୨୧୫ଟି ଗୁପ୍ତ ଟେଣ୍ଡର ‌କରାଯାଇଛି। ଏହା ଜରିଆରେ ୭ କୋଟିରୁ ଅଧିକ ଟଙ୍କା ହେରାଫେରି ହୋଇଛି। ବିଶ୍ବପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିକୁ ଯାଇଥିବା ରାସ୍ତାରେ ମଧ୍ୟ ଗୁପ୍ତ ଟେଣ୍ଡର କରାଯାଇ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରାଯାଇଛି। ଠିକାଦାର- ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟରେ ଏହି ଦୁର୍ନୀତି କରାଯାଇଥିବାବେଳେ ଏହି ସେକ୍ସନରେ ହୋଇଥିବା ଗୁପ୍ତ ଟେଣ୍ଡର ଗୁପ୍ତ ରହସ୍ୟ ଏବେ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି।

ହସ୍ତଗତ ତଥ୍ୟ ଅନୁସାରେ, ବାଲିଚନ୍ଦ୍ରପୁର-ଲଳିତଗିରି ୭ କିଲୋମିଟର ରାସ୍ତାରେ ୨୦୧୫-୧୬ ଆର୍ଥିକ ବର୍ଷରେ ୯ ଟି ଗୁପ୍ତ ଟେଣ୍ଡରରେ ୨୨ ଲକ୍ଷ ୫୬ ହଜାର ୧୭୪ ଟଙ୍କା ହେରାଫେରି କରାଯାଇଛି। ଏହି ରାସ୍ତା ୨୦୧୬-୧୭ ବର୍ଷରେ ୨୫ ଟି ଗୁପ୍ତ ଟେଣ୍ଡରରେ ୧ କୋଟି ୧୪ ଲକ୍ଷ ୧୨ ହଜାର ୭୦୪ ଟଙ୍କା ଘୋଟାଲା ହୋଇଛି। ସେହିପରି, ୨୦୧୭-୧୮ ବର୍ଷ ରେ ୩୫ଟି ଗୁପ୍ତ ଟେଣ୍ଡରରେ ୧କୋଟି ୭୧ ଲକ୍ଷ ୪୭୨ ଟଙ୍କା ଚଳୁ ହୋଇଛି। ଏହି ୩ ବର୍ଷରେ ମୋଟ ୬୯ଟି ଗୁପ୍ତ ଟେଣ୍ଡର କରାଯାଇ ୩ କୋଟି ୭ ଲକ୍ଷ ୬୯ ହଜାର ଟଙ୍କା ହେରାଫେରି କରାଯାଇଛି। ୨୦୧୮-୧୯ ବର୍ଷରେ ମଧ୍ୟ ଏହି ରାସ୍ତାରେ ଗୁପ୍ତ ଟେଣ୍ଡର କରାଯାଇଛି। ରାସ୍ତା ମରାମତି ଆଳରେ ସରକାରୀ ଅନୁଦାନ ହଡ଼ପ କରାଯାଇଛି। କେଉଁ ପରିସ୍ଥିତିରେ କୋଟି କୋଟି ଟଙ୍କାର ଅନୁଦାନକୁ ଖୋଲା ଟେଣ୍ଡର କରାଗଲା ଏବଂ କାହା ସ୍ବାର୍ଥରେ ଗୁପ୍ତ ଟେଣ୍ଡର(ସ୍ପ୍ଲିଟ ଅପ୍)କରି ବିଭାଗୀୟ ଅଧିକାରୀ- ଠିକାଦାର ମିଳିମିଶି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା କ୍ଷତି କଲେ, ସେ ନେଇ ପ୍ରଶ୍ନ ଉଠିଛି।

ବିବାଦୀୟ ପାଗା-ଗୋପୀନାଥପୁର-କୁଆଁପାଳ ରାସ୍ତାରେ ୨୦୧୬-୧୭ ବର୍ଷରେ ଗୁପ୍ତ ଟେଣ୍ଡରରେ ୨ ଲକ୍ଷ ୯୮ ହଜାର ୮୮୮ ଟଙ୍କା ଖର୍ଚ୍ଚ ଚଳୁ କରାଯାଇଛି। ୨୦୧୭-୧୮ ବର୍ଷରେ ୭ଟି ଗୁପ୍ତ ଟେଣ୍ଡରରେ ୩୦ ଲକ୍ଷ ୬ହଜାର ୬୪୦ ଟଙ୍କା ହେରାଫେରି ହୋଇଛି। ୫ଲକ୍ଷରୁ ଅଧିକ ଟଙ୍କାର କାମ ହେଲେ ଖୋଲା ଟେଣ୍ଡର ନିୟମ ଥିବାବେଳେ ଗୋଟିଏ ଗୋଟିଏ ରାସ୍ତାରେ ଏକାଧିକ ଗୁପ୍ତ ଟେଣ୍ଡର କରି କୋଟି କୋଟି ବିଲ୍‌କୁ ସମ୍ପୃକ୍ତ ଅଧିକାରୀ ଅନୁମୋଦନ କରିଛନ୍ତି। ଏହି ରାସ୍ତାରେ ବି ୮ ଟି ଗୁପ୍ତ ଟେଣ୍ଡରରେ ୩୩ ଲକ୍ଷ ୫ ହଜାର ୫୨୮ଟଙ୍କା ବ୍ୟୟର ଅନୁମୋଦନକୁ ନେଇ ପ୍ରଶ୍ନ ଉଠିଛି।

ସେହିପରି, ନିଶ୍ଚିତକୋଇଲି-ଲଳିତଗିରି ରାସ୍ତାରେ ୨୦୧୬-୧୭ ବର୍ଷରେ ୪ ଟି ଗୁପ୍ତ ଟେଣ୍ଡରରେ ୧୬ ଲକ୍ଷ ୮୦ ହଜାର ୧୨୭ ଟଙ୍କା ବ୍ୟୟ ‌େହାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ମାହାଙ୍ଗା-କଟିକଟା ରାସ୍ତାରେ ୨୦୧୬-୧୭ ବର୍ଷରେ ୪ଟି ଗୁପ୍ତ ଟେଣ୍ଡରରେ ୧୯ ଲକ୍ଷ ୭୨ ହଜାର ୨୯୯ ଟଙ୍କା ଦୁର୍ନୀତି କରାଯାଇଛି।

୨୦୧୫-୧୬, ୨୦୧୬-୧୭, ୨୦୧୭-୧୮ ଏହି ୩ଟି ଆର୍ଥିକବର୍ଷରେ ସାଲେପୁର-ଛତିଆ ରାସ୍ତାରେ ୧୦୯ଟି ଗୁପ୍ତ ଟେଣ୍ଡରରେ ୪ କୋଟି ୧୮ ଲକ୍ଷ ୮୮ ହଜାର ୮୫୦ ଟଙ୍କା ଓ କୁଆଁପାଳ- ବାଲିଚନ୍ଦ୍ରପୁର ରାସ୍ତାରେ ମଧ୍ୟ ୨୧ଟି ଗୁପ୍ତ ଟେଣ୍ଡର ଜରିଆରେ ୮୩ ଲକ୍ଷ ୭୮ ହଜାର ୩୪୭ ଟଙ୍କା ଖର୍ଚ୍ଚ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଯାହାକି, ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ ସରକାରଙ୍କର କୋଟି କୋଟି ଟଙ୍କା ଅନୁଦାନକୁ ହରିଲୁଟ୍ କରାଯାଇଛି।

ଏହି ମାହାଙ୍ଗା ସେକ୍ସନରେ ଅଧୀନରେ ଥିବା ସାଲେପୁର- ଛତିଆ, କୁଆଁପାଳ-ବାଲିଚନ୍ଦ୍ରପୁର, ବାଲିଚନ୍ଦ୍ରପୁର-ଲଳିତଗିରି, ପାଗା – ଗୋପୀନାଥପୁର- କୁଆଁପାଳ, ନିଶ୍ଚିତକୋଇଲି-ଲଳିତଗିରି ଓ ମାହାଙ୍ଗା-କଟିକଟା ରାସ୍ତାରେ କେବଳ ୩ ବର୍ଷ ମଧ୍ୟରେ ୨୧୫ ଗୁପ୍ତ ଟେଣ୍ଡର କରାଯାଇ ୭ କୋଟି ୭୯ ଲକ୍ଷ ୩୬ ହଜାର ୨୭ ଟଙ୍କା ସରକାରୀ ଅନୁଦାନ ହେରାଫେରି କରାଯାଇଛି। ଏହି ସେକ୍ସନରେ କୋଟି କୋଟି ଟଙ୍କାର ରାସ୍ତା କାମ ଏତେ ନିମ୍ନମାନର ହୋଇଛି ଯେ ଅନେକ ରାସ୍ତା ଦବିବା ସହ ଫାଟି ଆଁ କଲାଣି। ଯାହାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ଶହ ଶହ ଗୁପ୍ତ ଟେଣ୍ଡରରେ କୋଟି କୋଟି ଟଙ୍କାର ହରିଲୁଟ ଘଟଣାକୁ ଆହୁରି ରହସ୍ୟମୟ କରିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକ‌ାର ପର୍ଦ୍ଦାଫାସ ହେବା ସହିତ ବିନା ଟେଣ୍ଡରରେ ହୋଇଥିବା କାମରେ ସରକାର ୧କୋଟି ଟଙ୍କା ହରାଇଥିବା ସ୍ପଷ୍ଟ ହୋଇଯିବ। ଏହି ଅର୍ଥ କାହା ପକେଟ୍‌କୁ ଯାଇଛି ତାହା ଅନୁସନ୍ଧାନ ସାପେକ୍ଷ।

ଦୁର୍ନୀତିଖୋରଙ୍କୁ ଚପଲରେ ପିଟ: ମନ୍ତ୍ରୀ ପ୍ରତାପ ଜେନା

ମାହାଙ୍ଗା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ଶୂନ ସହିଷ୍ଣୁତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆହ୍ବାନ ଦେଇଛନ୍ତି। ମାହାଙ୍ଗାରେ କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ଦୋଷୀଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁମାନେ ଦୁର୍ନୀତି କରୁଛନ୍ତି ସେମାନଙ୍କୁ ଚପଲରେ ପିଟ ବୋଲି ଆଜି ମନ୍ତ୍ରୀ ଶ୍ରୀ ଜେନା ଲୋକଙ୍କୁ ଆହ୍ବାନ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ କୁଆଁପାଳ–ଭେଡା ପୂର୍ତ୍ତ ବିଭାଗ ରାସ୍ତା ଦବିବା ଘଟଣା ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତୁରନ୍ତ ତଦନ୍ତ ନିମନ୍ତେ ପୂର୍ତ୍ତ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହ‌ଞ୍ଚି କାର୍ଯ୍ୟସ୍ଥଳ ଅନୁଧ୍ୟାନ କରି ନମୁନା ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଯଦି ଏଥିରେ କୌଣସି ଅନିୟମିତତା ଧରାପଡ଼େ, ତେବେ ସଂପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ମାହାଙ୍ଗା ବ୍ଳକ୍ ଅଞ୍ଚଳରେ ଗମନାଗମନର ଯେଉଁ ସମସ୍ୟା ଥିଲା ତାହା ଆଜି ଦୂର ହୋଇପାରିଛି। କିନ୍ତୁ ମାହାଙ୍ଗା ବ୍ଳକ୍ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟରେ ଯଦି କେହି ଅଧିକାରୀ ଲା‌ଞ୍ଚ ମାଗନ୍ତି, ତାଙ୍କୁ ଚପଲରେ ବାଡାଅ ବୋଲି ମନ୍ତ୍ରୀ ଶ୍ରୀ ଜେନା ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର