ରାଉରକେଲା : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆର୍ଏସ୍ପି)ର କୋକ୍ ଓଭେନ୍ ବ୍ୟାଟେରୀ ପ୍ରଣାଳୀ ଅନ୍ତର୍ଗତ କୋଲ୍ ଡ୍ରାଏ କୁଲିଂ ପ୍ଲାଣ୍ଟ (ସିଡ଼ିସିପି) ପାଇଁ ଯନ୍ତ୍ରାଂଶ ଯୋଗାଣ ଓ ବାର୍ଷିକ ରକ୍ଷଣାବେକ୍ଷଣ ଠିକା (ଏଏମ୍ସି) ପ୍ରଦାନରେ ହୋଇଥିବା ବ୍ୟାପକ ହେରଫେରର ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ହାସଲ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଡିଏସ୍ପି ନାରାୟଣ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ୭ଟି ଟିମ୍ ଆଜି ଷ୍ଟିଲ୍ ପ୍ଲାଣ୍ଟ ପରିସରସ୍ଥ ନ୍ୟୁ ପ୍ଲେଟ୍ ମିଲ୍ର ଉପ-ମହାପ୍ରବନ୍ଧକ (ଡିଜିଏମ୍) ରାଜୀବ ରଂଜନଙ୍କ ଅଫିସ୍ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛନ୍ତି।
ରାଜୀବ ରଂଜନ କୋଲକାତା ଯାଇଥିବାରୁ ତଦନ୍ତକାରୀ ଦଳର ଗୋଟିଏ ଟିମ୍ ତାଙ୍କ ସେକ୍ଟର-୧୮ସ୍ଥିତ ବି-୧/୮୩ କ୍ୱାର୍ଟର୍ସକୁ ସକାଳୁ ଦିନସାରା ଜଗି ରହିଥିଲେ। ରାତି ପ୍ରାୟ ୮ଟାରେ ପତ୍ନୀଙ୍କ ସହ ସେ ରାଉରକେଲା ଷ୍ଟେସନ୍ରୁ ଅଟୋ ରିକ୍ସାରେ ଆସି କ୍ୱାର୍ଟର୍ସରେ ପହଞ୍ଚିବା ମାତ୍ରେ ତଦନ୍ତକାରୀ ଅଫିସରମାନେ ଖାନତଲାସୀ ଆରମ୍ଭ କରିଛନ୍ତି। ରାଜୀବ ରଂଜନଙ୍କ ବ୍ୟତୀତ ଆର୍ଏସ୍ପିର ପୂର୍ବତନ ଡିଜିଏମ୍ ତଥା କୋକ୍ ଓଭେନ୍ ଇଲେକ୍ଟ୍ରିକାଲ୍ ବିଭାଗର ତତ୍କାଳୀନ ଭାରପ୍ରାପ୍ତ ଡିଜିଏମ୍ ପି.କେ.ଦାସ, ମ୍ୟାଟେରିଆଲ୍ ମ୍ୟାନେଜମେଣ୍ଟ ବିଭାଗର ପୂର୍ବତନ ନିର୍ବାହୀ ନିର୍ଦ୍ଦେଶକ ପରମାନନ୍ଦ ସାହୁଙ୍କ କୋଏଲ୍ନଗରସ୍ଥିତ ଡି-୨୯୫ ଘର, ରାଉରକେଲାର ବିଶିଷ୍ଟ ବ୍ୟବସାୟୀ ସୁରେନ୍ଦ୍ର ଦୁଆଙ୍କ ଘର ଓ ତାଙ୍କ ‘ରିଲାଏବଲ୍ ହାଇଟେକ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ପ୍ରା.ଲି. (ଆର୍ଏଚ୍ଆଇପିଏଲ୍) ଅଫିସ୍ ଆଦି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସିବିଆଇ ଅଫିସରମାନେ ଅନେକ ଆପତ୍ତିଜନକ ଦଲିଲ୍ ଜବତ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୬ ଅକ୍ଟୋବର ୧୨ରେ ପ୍ରସ୍ତୁତ ଦଲିଲ୍ ଅନୁଯାୟୀ ସିଡ଼ିସିପିର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଆହୂତ ଟେଣ୍ଡରରେ ଅଂଶଗ୍ରହଣ କରିଥିବା ସଂସ୍ଥାଙ୍କ ମଧ୍ୟରୁ ଆର୍ଏଚ୍ଆଇପିଏଲ୍, ଉତ୍କଳ ପ୍ରୋଜେକ୍ଟସ୍ ପ୍ରା.ଲିଃ (ୟୁପିପିଏଲ୍) ଓ ଟାଟା ପ୍ରେଜେକ୍ଟ ଲିଃ (ଟିପିଏଲ୍) ବୈଷୟିକ ପ୍ରତିଯୋଗିତା (ଟେକ୍ନିକାଲ୍ ବିଡ୍)ରେ ଉତ୍ତୀର୍ଣ୍ଣ ହୋଇଥିବା ବୈଷୟିକ ଉପଦେଷ୍ଟା କମିଟି (ଟିଇସି) ସୁପାରିସ୍ କରିଥିଲା। ପ୍ରାୟ ଦେଢ଼ ଦଶନ୍ଧି ପୂର୍ବରୁ ସରକାରୀ ଉଦ୍ୟୋଗ ‘ନିଳାଚଳ ଇସ୍ପାତ ନିଗମ ଲିଃ (ଏନ୍ଆଇଏନ୍ଏଲ୍)ରେ ସ୍ଥାପିତ ସିଡ଼ିସିପି ପୂର୍ବ ଭାରତରେ ପ୍ରଥମ ଓ ଦେଶରେ ତୃତୀୟ ହୋଇଥିବା ବେଳେ ଏହାର ସ୍ଥାପନା ଓ ରକ୍ଷଣାବେକ୍ଷଣ କରି ଆସିଥିବା ୟୁପିପିଏଲ୍ ବୈଷୟିକ ଅଭିଜ୍ଞତା ଦୃଷ୍ଟିରୁ ନିଃସନ୍ଦେହରେ ଅଗ୍ରଗଣ୍ୟ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଉପରୋକ୍ତ ୩ ସଂସ୍ଥାର ଆର୍ଥିକ ବିଡ୍ ତର୍ଜମା ହୋଇ ଟେଣ୍ଡର ଚୂଡ଼ାନ୍ତ ହେବାର ଥିଲା। ମାତ୍ର ଆର୍ଏସ୍ପିର ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କ ପ୍ରିୟ ଠିକା ସଂସ୍ଥା ଭାବେ ଚର୍ଚ୍ଚିତ ଆର୍ଏଚ୍ଆଇପିଏଲ୍କୁ ଅନୁଗ୍ରହୀତ କରିବା ଲକ୍ଷ୍ୟରେ ଟିଇସିର ମୂଳ ନୋଟ୍ ସିଟ୍ରୁ ଗୋଟିଏ/ଦୁଇଟି ଫର୍ଦ୍ଦ ବାହାର କରାଯାଇ ନୂଆ ଫର୍ଦ୍ଦ ସଂଲଗ୍ନ କରାଯାଇଥିଲା।
କେବଳ ସେତିକି ନୁହେଁ ଉତ୍ତମ ଅଭିଜ୍ଞତା ଥିବା ୟୁପିପିଏଲ୍ ଓ ଟିପିଏଲ୍କୁ ବେଆଇନ ଭାବେ ପ୍ରତିଯୋଗିତାରୁ ବାଦ୍ ଦେବା ଲକ୍ଷ୍ୟରେ ତତ୍କାଳୀନ ନିର୍ବାହୀ ନିର୍ଦ୍ଦେଶକ (ଇଡ଼ି) ଭୁବନେଶ୍ୱର ପ୍ରସାଦ ବର୍ମାଙ୍କ ବୈଷୟିକ ସହାୟକ ତଥା ଡିଜିଏମ୍ ରାଜୀବ ରଂଜନଙ୍କ ହାତରେ ନୋଟ୍ ସିଟ୍ରେ ମୂଳ ଟେଣ୍ଡରଠାରୁ ଅଧିକ ସର୍ତ୍ତ ଉଲ୍ଲେଖ କରାଯାଇଥିଲା। ମୋଟାମୋଟି ଭାବେ ଆର୍ଏଚ୍ଆଇପିଏଲ୍କୁ ୩ କୋଟି ୫୦ ଲକ୍ଷ ୨୬,୮୦୦ ଟଙ୍କାର ଏଏମ୍ସି ଠିକା ଦେବା ନିମନ୍ତେ ତତ୍କାଳୀନ ଇଡ଼ି ବି.ପି ବର୍ମା, ଡିଜିଏମ୍ ରାଜୀବ ରଂଜନ, ପି.କେ ଦାସ, ପି.ସାହୁ ପ୍ରମୁଖ ଅଫିସରମାନେ ଆର୍ଏଚ୍ଆଇପିଏଲ୍ର ମାଲିକ ସୁରେନ୍ଦ୍ର ଦୁଆଙ୍କ ସହ ଫୌଜଦାରୀ ଷଡ଼ଯନ୍ତ୍ର କରିଥିଲେ।
ଏହି ଦୁର୍ନୀତି ଆଧାରରେ ଆଜି ସିବିଆଇ ପକ୍ଷାରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।