ସମ୍ବଲପୁର : ହୀରାକୁଦ ବନ୍ଧ ସୁରକ୍ଷା ନିମନ୍ତେ ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ପାଇଁ ଶୀଘ୍ର ଟେଣ୍ଡର ଡକାଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ଅପର୍ ମହାନଦୀ ବେସିନ୍ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଗତ ୧୯୯୭ କେନ୍ଦ୍ର ଜଳ ଆୟୋଗ ଓ ରାଜ୍ୟ ସରକାର ମିଳିତ ଭାବେ ସମ୍ଭାବ୍ୟ ସର୍ବାଧିକ ବନ୍ୟା(ପିଏମ୍ଏଫ୍) ସଂପର୍କରେ ଆକଳନ କରିଥିଲେ। ଏଥିରେ ୨୪.୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ଆସିବା ସମ୍ଭାବନା ଥିବା ଜଣାପଡ଼ିଥିଲା। ହୀରାକୁଦ ଜଳଭଣ୍ତାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଛି। ବର୍ତମାନର ୬୪ଟି ସ୍ଲୁଇସ୍ ଗେଟ୍, ୩୪ଟି କ୍ରେଷ୍ଟ (ରେଡିଏଲ୍) ଗେଟ୍ ରହିଛି। ସେଥିରୁ ରାଇ୍ଟ୍ ସ୍ପିଲ୍ ୱେରେ ୪୦ ଓ ଲେଫ୍ଟରେ ୨୪ଟି ସ୍ଲୁଇସ୍ ଗେଟ୍ ରହିଛି। ଅତ୍ୟନ୍ତ ଜରୁରୀ ନହେଲେ ଉଭୟ ପାର୍ଶ୍ବର ୨ଟି ଲେଖାଏଁ କ୍ରେଷ୍ଟ ଗେଟ୍ ନଖୋଲିବା ପାଇଁ ପରାମର୍ଶ ରହିଛି। ବର୍ତ୍ତମାନର ବ୍ୟବସ୍ଥାରେ ଏକ ସ˚ଗରେ ହୀରାକୁଦରୁ ସର୍ବାଧିକ ୧୫ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହୋଇପାରିବ। ଛତିଶଗଡ଼ ସରକାର ଅନେକ ବ୍ୟାରେଜ ନିର୍ମାଣ କରିବା ସହିତ ମନଇଚ୍ଛା ବର୍ଷା ଜଳ ନିଷ୍କାସନ କରୁଛନ୍ତି। ଏଭଳି ସ୍ଥିତିରେ ହୀରାକୁଦ ଜଳଭଣ୍ଡାର ପାଇଁ ଅଧିକ ବିପଦ ରହିଛି। ଏସବୁ ଦୃଷ୍ଟିରେ ରଖି କେନ୍ଦ୍ର ଜଳ ଆୟୋଗ ଓ ବିଶ୍ବ ବ୍ୟାଙ୍କ ସହଯୋଗରେ ହୀରାକୁଦ ପଟେ ଅତିରିକ୍ତ ସ୍ପିଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି।
ରାଜ୍ୟ ସରକାର ଏଥିପାଇଁ ନୂଆ କରି ସ୍ପିଲ୍ ୱେ ଡିଭିଜନ ଖୋଲିବା ପରେ ଟେଣ୍ତର ପାଇଥିବା ଟାଟା ଇନ୍ଫ୍ରା ପ୍ରୋଜେକ୍ଟ ଲିମିଟେଡ୍ ସହ ଚୁକ୍ତି ହୋଇଥିଲା। ସ୍ପିଲ୍ ୱେ ନିର୍ମାଣରେ ବେଶ୍ ଅଭିଜ୍ଞତା ଥିବା ଇରାନର କ˚ପାନି ‘ଏଜ୍’ ସହଯୋଗରେ ଟାଟା ଅତିରିକ୍ତ ୫ଟି ସ୍ପିଲ୍ ୱେ ନିର୍ମାଣ କରିବା ଯୋଜନା କରିଥିଲା। ମାତ୍ର ଜମି ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବକୁ ଆଳ କରି ଗତବର୍ଷ ଏହି ପ୍ରକଳ୍ପରୁ ଓହରି ଯିବା ସହିତ ପାଲଟା ସରକାରଙ୍କ ବିରୋଧରେ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିଲା। ପ୍ରାୟ ୩୮୦ କୋଟି ଟଙ୍କାରେ ଟେଣ୍ଡର ହାତେଇଥିବା ଏହି ସଂସ୍ଥା ମାତ୍ର ୧୨ କୋଟି ଟଙ୍କାର କାମ କରିଥିବା ବେଳେ ଏବେ ଏହି ପ୍ରକଳ୍ପରେ ନିଜର କ୍ଷତି ହୋଇଥିବା ଦର୍ଶାଇ ସରକାରଙ୍କଠାରୁ ଅର୍ଥ ଦାବି କରିଛି। ଏଥି ସହିତ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ନୂଆ ଟେଣ୍ଡର ଡାକିବା ଉପରେ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲଙ୍କଠାରୁ ରହିତାଦେଶ ଆଣିବାର ସଫଳ ହୋଇଥିଲା। ତେବେ, ହୀରାକୁଦ ବନ୍ଧ କତ୍ତୃର୍ପକ୍ଷ ଟ୍ରିବ୍ୟୁନାଲରେ ପାଲଟା ୪୨୦ କୋଟି ଟଙ୍କା ଅର୍ଥ ଦାବି କରିବା ଏବଂ ଅତିରିକ୍ତ ସ୍ପିଲ ନିର୍ମାଣ ନହେବା କାରଣରୁ ବିପର୍ଯ୍ୟୟ ହେଲେ ଯଦି କ୍ଷୟକ୍ଷତି ହେବ, ଟାଟା ଇନ୍ଫ୍ରା ପ୍ରୋଜେକ୍ଟ ଲିମିଟେଡ୍ ଦାୟୀ ରହିବ ବୋଲି ଟ୍ରିବ୍ୟୁନାଲଙ୍କୁ ଆବେଦନ କରିବା ପରେ ଏହି ଠିକା ସଂସ୍ଥା ରହିତାଦେଶ ପାଇଁ କରିଥିବା ଆବେଦନ ପ୍ରତ୍ୟାହାର କରିନେଇଥିଲା। ଗତ ମାସ ଟେଣ୍ଡର ଆହ୍ବାନ ପାଇଁ ରାଜ୍ୟ ସରକାରଙ୍କୁ ଲେଖାଯାଇଥିଲା। ସରକାରଙ୍କ ପକ୍ଷରୁ କେତେକ ପ୍ରସଂଗରେ ସ୍ପଷ୍ଟୀକରଣ ମଗାଯାଇଥିଲା। ସ୍ପଷ୍ଟୀକରଣ ଦିଆଯିବା ପରେ ଇତିମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ପୁଣି ଚିଠା ଲେଖାଯାଇଛି। ଆସନ୍ତା ଅଗଷ୍ଟ ଭିତରେ ଟେଣ୍ଡର ଡକାଯାଇ ଅକ୍ଟୋବର ମାସ ସୁଦ୍ଧା କାମ ଆରମ୍ଭ ହୋଇଯିବ ଜଳ ସଂପଦ ବିଭାଗ ସୂତ୍ରରୁ ଜଣାପଡ଼ିଛି।