କ୍ରୀଡା ଭିତ୍ତିଭୂମି ନିର୍ମାଣ: ବ୍ୟାଡମିଣ୍ଟନ କୋଟରେ ଲାଗିବ ଟେନିସ ମ୍ୟାଟ୍, ଖେଳାଳିଙ୍କ ପ୍ରତିବାଦ

ସୁନ୍ଦରଗଡ଼: ସହରସ୍ଥିତ ଭବାନୀଭବନ ପଡ଼ିଆରେ ୨୦ କୋଟି ବହୁମୁଖୀ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସରିନି। ହେଲେ ପିଚୁ ଉଠିଗଲାଣି, ଡ୍ରେନ ଭୁଶୁଡ଼ି ପଡ଼ିଲାଣି, ଭଲିବଲ କୋଟରେ ପାଣି ଜମୁଛି । ଆଉ ଏପେଟ ଜଗିଂ ଟ୍ରାକରେ ଏକ୍ସପାଏରି କେମିକାଲ ବ୍ୟବହାର। ଅଭିଯୋଗ ପରେ କେମିକାଲ କାମ ବନ୍ଦ ରଖାଯାଇଛି ସତ, କିନ୍ତୁ ଏଯାଏ ତାକୁ ପରିବର୍ତ୍ତନ ନକରି ଗୋଦାମରେ ପକାଇ ରଖାଯାଇଛି। ସୁଯୋଗ ଦେଖି ତାକୁ ହିଁ ବ୍ୟବହାର କରିବା ମସୁଧାରେ ଅଛନ୍ତି ଏନବିସିସି ଯନ୍ତ୍ରୀ ଓ ଠିକା ସଂସ୍ଥା। ଏସ୍ଥିତିରେ ଆଉ ଏକ ଗୁରୁତର ଅଭିଯୋଗ ଆସିଛି। ବେଡମିଣ୍ଟନ କୋଟ ପାଇଁ ଠିକା ସଂସ୍ଥା ଟେନିସ ମେଟ୍ ପକାଇବାକୁ ଯୋଜନା କରିଛି।

ଟେନିସ ମେଟରେ ବେଡମିଣ୍ଟନ ଖେଳିବା ସମ୍ଭବ ନଥିଲେମଧ୍ୟ ବେଡମିଣ୍ଟନ ମେଟ୍ ଠାରୁ ବହୁ କମ୍ ମୂଲ୍ୟରେ ଟେନିସ ମେଟ୍ ମିଳୁଥିବାରୁ ତାକୁ ହିଁ ପକାଇ କୌଣସି ମତେ କାମ ସାରିଦେବାକୁ ଠିକା ସଂସ୍ଥା ଉଦ୍ୟମ ଚଲାଇଛି। ଯାହାକୁ ବିରୋଧ କରିଛନ୍ତି ଖେଳାଳି। ଏହା ଛଡ଼ା ଏଠାରେ ୧୨୦ରୁ ଅଧିକ ବ୍ୟାଡମିଣ୍ଟନ ଖେଳାଳି ଥିବା ସତ୍ତ୍ବେ ଏଠାରେ ମାତ୍ର ଗୋଟିଏ ବ୍ୟାଡମିଣ୍ଟନ କୋଟ୍ ଓ ଜଣେ ବି ଖେଳାଳି ନଥିବା ଟେବୁଲ ଟେନିସ ପାଇଁ ୮ଟି ବୋର୍ଡ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଛି। ମହିଳା ବେଡମିଣ୍ଟନ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର କୋଟ୍ ପ୍ରସ୍ତୁତ କରାଯାଉ ନଥିବା ପ୍ରକାଶ ପାଇଛି। ତେଣୁ ମହିଳା ବେଡମିଣ୍ଟନ ସହ ଆଉ ୩ଟି ବେଡମିଣ୍ଟନ କୋଟ ପ୍ରସ୍ତୁତ କରିବାକୁ ଖେଳାଳିମାନେ ଦାବି କରି ଆସୁଛନ୍ତି। ଅନ୍ୟପଟେ ଆଉ ଏକ ଅଭିଯୋଗକ୍ରମେ, ଭଲିବଲ କୋଟକୁ କଂକ୍ରିଟ ଓ ନାମକୁ ମାତ୍ର ସିନ୍ଥେଟିକ୍ ଲେୟାର ପକାଯାଇଛି।

ଏସ୍ଥିତିରେ ସାମାନ୍ୟ ବର୍ଷାରେ ଫୁଟବଲ ପଡ଼ିଆର ପାଣି ଭଲିବଲ କୋଟକୁ ପଶି ଆସୁଥିବା ଦେଖାଯାଉଛି। ନିର୍ମାଣ ନସୁରୁଣୁ ଏପରି ଅବସ୍ଥା କ୍ରୀଡ଼ା ଭିତ୍ତିଭୂମିର ସ୍ଥାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠାରୁ ବଡ଼ କଥା ହେଲା, କ୍ରୀଡ଼ା ଭିତ୍ତିଭୂମି ନିର୍ମାଣର ତଦାରଖ କରୁଥିବା ବା ବୈଷୟିକ ପରାମର୍ଶ ଦେଉଥିବା ଏନବିସିସିର ଭାରପ୍ରାପ୍ତ ଯନ୍ତ୍ରୀ ରାଜେଶ ସବୁ ଦେଖି ମଧ୍ୟ ଆଖି ବୁଜି ଦେଉଥିବା ଅଭିଯୋଗ ହେଉଛି। ଠିକାସଂସ୍ଥା ନିଜ ମନମର୍ଜିରେ କାମ କରୁଥିଲେ ମଧ୍ୟ ଯନ୍ତ୍ରୀ ଏଯାଏ କୌଣସି ଆପତ୍ତି କରି ନାହାନ୍ତି, ବରଂ ଅନେକ ସମୟରେ ଠିକାସଂସ୍ଥାର କାମ ସପକ୍ଷରେ ଯୁକ୍ତି ବାଢ଼ିଥିବା ଅଭିଯୋଗ ରହିଛି।

ବହୁ ସମୟରେ ତାଙ୍କ ଅନୁପସ୍ଥିତିରେ ଠିକାସଂସ୍ଥା କେମିକାଲ, କଂକ୍ରିଟ ଆଦି କାମ କରି ନେଉଥିବା ପ୍ରକାଶ ପାଇଛି। ଏସ୍ଥିତିରେ କ୍ରୀଡ଼ା ଭିତ୍ତିଭୂମିର ନିମ୍ନମାନର କାମ ପଛରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଜଣେ କରିତକର୍ମା କର୍ମଚାରୀଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ସବୁ ବୈଷୟିକ ପରାମର୍ଶ, ନିର୍ଦ୍ଦେଶକୁ ଫାଇଲ ଭିତରେ ଥୋଇ ଯେନତେନ ପ୍ରକାରେ କାମ ଶେଷ କରିଦେବାକୁ ଠିକା ସଂସ୍ଥା, ଅଧିକାରୀ, ଯନ୍ତ୍ରୀ ଜୋର୍ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ବିବିଧ କ୍ରୀଡ଼ାର ସୁନାମ କ୍ଷେତ୍ର ସୁନ୍ଦରଗଡ଼ର ଖେଳାଳିମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ଅଧିକ ଦକ୍ଷ ଓ କୁଶଳୀ କରି ଗଢ଼ି ତୋଳିବା ଲକ୍ଷ୍ୟରେ ବହୁ କୋଟି ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପର ମାନକୁ ଦେଖିଲେ ଉଦ୍ଦେଶ୍ୟ ସାଧିତ ହେବାର ଆଶା କମ୍ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର