ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜ୍ୟ ବିଜେପି ନେତାଙ୍କ ମୁହଁରୁ ହସ ଉଡିଯାଇଥିଲା। ହିନ୍ଦୋଳ ଓ ଅତାବିରା ଏନ୍‌ଏସି ନିର୍ବାଚନର ଫଳାଫଳ ଆହୁରି ବିଗାଡି ଦେଇଥିଲା ଏହି ଚିତ୍ରକୁ। ଆଜି କର୍ଣ୍ଣାଟକ ନିର୍ବାଚନରେ ବିଜେପିର ପ୍ରଦର୍ଶନ ରାଜ୍ୟ ନେତାଙ୍କୁ ଟିକିଏ ଆଶ୍ୱସ୍ତ କରିଛି। ସେମାନେ କିଛି ସମୟ ପାଇଁ ଆଜି ଉତ୍ସବ ମନାଇଛନ୍ତି। କିନ୍ତୁ ନିର୍ବାଚନର ଫଳାଫଳ ସେମାନଙ୍କ କ୍ଷତରେ ଲୁଣ ଦେବା ଭଳି ପରିସ୍ଥିତି ସୃଷ୍ଟି କଲାଣି। ଦଳରେ ସ୍ଥାନୀୟ ନେତୃତ୍ୱର କାର୍ଯ୍ୟକଳାପ ନେଇ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜେପି ବାଜିମାତ୍‌ କରିଚାଲିଥିଲା ବେଳେ ଓଡ଼ିଶାରେ କାହିଁକି ଦଳ ଉଠିପାରୁନି? ନେତୃତ୍ୱକୁ ଲୋକେ ବିଶ୍ୱାସ ନ କରିବା ପଛର ନିର୍ଦିଷ୍ଟ କାରଣଟି କଣ? ନେତାଙ୍କ ଆଚରଣ ଓ ଉଚ୍ଚାରଣ ନା ହୁଗୁଳା ସଂଗଠନ? ଦଳରେ ଗୋଷ୍ଠୀବାଦ ବଢୁଛି ଅଥବା ପୁରୁଖା ଓ ମୂଳ ନେତାଙ୍କୁ ଅଣଦେଖା ଦଳକୁ ମହଙ୍ଗା ପଡୁଛି? ଏମିତି ଅନେକ ପ୍ରଶ୍ନ ଚର୍ଚ୍ଚାର ପରିଧିକୁ ଆସୁଛି। ରାଜ୍ୟ ନେତୃତ୍ୱର ପୁରୋଭାଗରେ ରହି ଗତ ତିନିବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁକିଛି ସମ୍ଭାଳୁଛନ୍ତି। ଏଣୁ ସ୍ୱାଭାବିକ ଭାବେ କର୍ଣ୍ଣାଟକର ନିର୍ବାଚନୀ ଫଳାଫଳ ତାଙ୍କର ଚାପକୁ ଆହୁରି ବଢାଇ ଦେଇଛି।
ଯଦିଓ କର୍ଣ୍ଣାଟକ ଫଳାଫଳ ଓଡ଼ିଶା ଉପରେ ସିଧାସଳଖ ଭାବେ ପ୍ରଭାବ ରଖିବାର ସମ୍ଭାବନା କମ୍‌, ତଥାପି ଏହାକୁ ନେଇ ଓଡ଼ିଶାରେ ବିଭିନ୍ନ ରାଜନୈତିକ ଦଳ ଯେତିକି ଚର୍ଚ୍ଚା, ଆଲୋଚନା, ବାହାସ୍ଫୋଟ ମାରିଥାନ୍ତେ, ସେ ସୁଯୋଗ କାହାକୁ ମିଳିନାହିଁ। କେବଳ ବିଜେପି ନୁହେଁ, ରାଜ୍ୟ ବିଜେଡି ପାଇଁ ଏହି ନିର୍ବାଚନ ଫଳାଫଳ ମଧ୍ୟ ଉତ୍ସାହ ରଖିନାହିଁ। ବରଂ ସରକାରୀ ବିରୋଧୀ ହାଓ୍ଵା ଅଳ୍ପବହୁତେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରୁଛି, ଏକଥା ଏହି ନିର୍ବାଚନରୁ ସଙ୍କେତ ମିଳିଛି। କ୍ଷମତାର ମୋହରେ ଅନ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନ୍ୟୂନ ମନେକରି କଂଗ୍ରେସ ସେଠାରେ ଯେଉଁ ଭୁଲ କରିଛି, ବିଜେଡି ପାଇଁ ଏହା ସତର୍କ ଘଣ୍ଟି ସଦୃଶ ହୋଇଛି। ଭୋଟ ଧ୍ରୂବୀକରଣ କରିବା କ୍ଷେତ୍ରରେ କଂଗ୍ରେସର ବିଫଳତା ବିଜେଡିକୁ ଆଉଥରେ ନିଜର ରଣନୀତିକୁ ତର୍ଜମା କରିବା ଲାଗି ନିଶ୍ଚିତ ବାଧ୍ୟ କରିପାରେ।

Advertisment

କର୍ଣ୍ଣାଟକ ନିର୍ବାଚନର ଫଳାଫଳ ସପକ୍ଷରେ ଯାଇଥିଲେ, ରାଜ୍ୟ କଂଗ୍ରେସର ନୂଆ ନେତୃତ୍ୱକୁ ଗୋଟିଏ ମଉକା ମିଳିଥାନ୍ତା। କର୍ମୀଙ୍କ ମଧ୍ୟରେ ଉତ୍ସାହ ବହୁଗୁଣିତ ହୋଇଥାନ୍ତା ଓ ନେତୃତ୍ୱକୁ ଅତ୍ୟନ୍ତ ସହଜରେ ସଂଗଠନରେ ଯୋଶ୍‌ ବଢାଇ ପାରିଥାନ୍ତେ। ହେଲେ ନିର୍ବାଚନ ଫଳାଫଳର ପରୋକ୍ଷ ପ୍ରଭାବ ରାଜ୍ୟ କଂଗ୍ରେସ ନେତାଙ୍କ ପାଇଁ ଆହ୍ଵାନ ସୃଷ୍ଟି କରୁଛି। ମୋଦି ମ୍ୟାଜିକ୍‌ ଯେଭଳି କାମ କରୁଛି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରତି ଲୋକଙ୍କ ଆକର୍ଷଣ ସେଭଳି ରହୁନି କି? ଏମିତି ଏକ ପ୍ରଶ୍ନ ଉଠୁଛି। ସେହିଭଳି ଦଳର ସବୁ ଗୋଷ୍ଠୀର ନେତାଙ୍କୁ ଏବଂ ସବୁ ବର୍ଗର ଭୋଟରଙ୍କୁ ସନ୍ତୁଷ୍ଟ ବା ସାଙ୍ଗରେ ନେଇ ନ ପାରିଲେ, ନିର୍ବାଚନ ନିଜ ସପକ୍ଷକୁ ଆସିବା କେତେ ଯେ କଷ୍ଟସାଧ୍ୟ, ସେକଥା କର୍ଣ୍ଣାଟକ ନିର୍ବାଚନର ଫଳାଫଳରୁ ରାଜ୍ୟ କଂଗ୍ରେସ ନେତା ନିଶ୍ଚିତ ଭାବେ ଶିଖିପାରନ୍ତି।
ଏହି ନିର୍ବାଚନ ଫଳାଫଳ କିନ୍ତୁ ବିଜେପି ପାଇଁ ବିଶେଷ ମହତ୍ୱ ରଖୁଛି। କାରଣ, ୮୦ ଦଶକରୁ ରାଜ୍ୟରେ ବିଜେପି ପାଦ ଥାପିଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ୯ବର୍ଷ ଶାସନରେ ରାଜ୍ୟରେ ଭାଗୁଆଳି ଦଳ ଭାବେ ବିଜେପି କ୍ଷମତା ଉପଭୋଗ କରିଛି। ୧୪୭ ନିର୍ବାଚନମଣ୍ଡଳୀରେ ନ ହେଲେ ନାହିଁ, ୬୩ଟି ନିର୍ବାଚନମଣ୍ଡଳୀରେ ଦଳର ଦବ୍‌ଦବା ରହିବା କଥା। କାରଣ ଏସବୁ ଆସନରେ ବିଜେଡିର ପ୍ରାର୍ଥୀ ନ ଥିଲେ। ହେଲେ ବିଜେଡି-ବିଜେପି ପରସ୍ପର ଠାରୁ ଦୂରେଇ ଯିବା ପରେ ନବୀନ ପଟ୍ଟନାୟକଙ୍କ ଶଙ୍ଖ ବିଜେପିର ୬୩ ଆସନରୁ ଅଧିକାଂଶରେ ବାଜିଲା ସିନା କିନ୍ତୁ ବିଜେଡି ହାତରେ ଥିବା ୮୪ ଆସନରୁ ସିଂହଭାଗରେ ପଦ୍ମ ଫୁଟିପାରୁନି।

ଏହାସତ୍ତ୍ୱେ କଂଗ୍ରେସ କର୍ମୀଙ୍କର ବିରକ୍ତି ଭାବରୁ ହେଉ କି ବିଜେଡିରେ ଗୋଷ୍ଠୀକନ୍ଦଳ, ଅଥବା ପଦ୍ମ ପ୍ରତି ଆସକ୍ତି କାରଣରୁ ରାଜ୍ୟରେ ବିଜେପି ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ହିସାବ କରି ଦେଖାଯାଉଥିଲା ଯେ ଯଦି ସେସବୁ ଅଞ୍ଚଳରେ ବିଜେପିର ପ୍ରଦର୍ଶନ ଅନୁରୂପ ରହେ, ତେବେ ସାଧାରଣ ନିର୍ବାଚନରେ ଅନ୍ୟୂନ ୫୩ଟି ଆସନ ଦଳ ହାତେଇ ପାରିବ। ହେଲେ ବିଜେପୁର ଉପନିର୍ବାଚନ, ଦୁଇଟି ଏନ୍‌ଏସି ନିର୍ବାଚନୀ ଫଳାଫଳ ଏବଂ ଗତ କିଛି ଦିନର ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ନିରେଖି ଦେଖିଲେ, ଏକଥା ଜଳ ଜଳ ହୋଇ ଦିଶୁଛି ଯେ ସେସବୁ ସ୍ଥାନରେ ବିଜେପିର ପତିଆରା ଆଗଭଳି ନାହିଁ। ପଦ୍ମ ଫୁଲର ତେଜ ଆଉ ଝଟ୍‌କୁ ନାହିଁ। ନା ସାଂଗଠନିକ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ଅଞ୍ଚଳର କର୍ମୀଙ୍କ ଉତ୍ସାହ ପ୍ରକଟିତ ହେଉଛି ନା ସ୍ଥାନୀୟ ନେତା ଚର୍ଚ୍ଚାରେ ଅଛନ୍ତି। ସେସବୁ ଅଞ୍ଚଳକୁ ଆଗକୁ ପ୍ରତିନିଧିତ୍ୱ କରିବ, ସେ ଦ୍ୱନ୍ଦ୍ୱ ନେତୃତ୍ୱ ଦୂର କରିପାରୁନାହାନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଶେଷ ଗସ୍ତ ଓ ବିଜେପିର କାର୍ଯ୍ୟକ୍ରମ କେଉଁଠି ନା କେଉଁଠି ସୂଚାଇ ଦେଇଛି ଯେ ଓଡ଼ିଶା ବିଜେପି ପ୍ରତି କେନ୍ଦ୍ରୀୟ ନେତୃତ୍ୱ ଆସ୍ଥା ଆଉ ପୂର୍ବଭଳି ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ବିଜେପିରେ ବଢୁଛି କି କମୁଛି, ତାହା ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଜେପି ରାଜ୍ୟ ସଭାପତିଙ୍କ କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ଫୁଟୁଥିଲେ ହେଁ, ପରିବର୍ତ୍ତନ କରିବା ଲାଗି ନେତୃତ୍ୱ ସାହସ ଦେଖାଇପାରୁନାହାନ୍ତି। କାରଣ ସବୁ ବର୍ଗର ନେତା ଜଣକ ସହିତ ରହିବା ଲାଗି ନାରାଜ, ବରଂ ଗୋଷ୍ଠୀବାଦ ବିଶାଳ ରୂପ ଧାରଣ କଲାଣି। କେନ୍ଦ୍ରୀୟ ନେତାଙ୍କ ଅନୁପସ୍ଥିତିରେ ରାଜ୍ୟ ବିଜେପି ଏଭଳି ଗୋଟିଏ ସଭା କରିନାହାନ୍ତି, ଯେଉଁଠି ମଞ୍ଚରେ ସମସ୍ତେ ଅଛନ୍ତି। ଏଭଳି ପରିସ୍ଥିତିରେ କର୍ଣ୍ଣାଟକ ଫଳାଫଳର ଉଲ୍ଲାସ ରହିବ?