ପୁରୀ: ରଥ ସାମନାରେ ଦଳାଚକଟା ପରେ ତନାଘନା ଆରମ୍ଭ ହୋଇଛି। ତଦନ୍ତ ଦାୟିତ୍ବ ନେଇଥିବା ଉନ୍ନୟନ କମିସନର୍ ଅନୁ ଗର୍ଗ ଆଜି ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ରଥଯାତ୍ରା ସ୍ବତନ୍ତ୍ର ଅଧିକାରୀ ଅରବିନ୍ଦ ଅଗ୍ରୱାଲ୍, ଜିଲ୍ଲାପାଳ ଚଞ୍ଚଳ ରାଣା, ସ୍ବତନ୍ତ୍ର ଅଧିକାରୀ (ଆଇନ ଶୃଙ୍ଖଳା) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ପ୍ରାୟ ଘଣ୍ଟାଏ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଲୋଚନା କରିଛନ୍ତି। ଏହା ପରେ ରଥ ଚାରି ପାଖରେ ବୁଲି ସ୍ଥିତି ଦେଖିଛନ୍ତି। କେଉଁ ପଟେ ଭକ୍ତ ଆସୁଥିଲେ? କେଉଁପଟେ ପ୍ରସ୍ଥାନ କରୁଥିଲେ? କେଉଁଠି ଭିଡ଼ ହୋଇଥିଲା? ବାହାରିବାରେ କେଉଁଠି ସମସ୍ୟା ହେଲା? ଏସ୍ଓପି କଣ ଥିଲା? ପାଳନ ହୋଇଛି କି ନାହିଁ? ଏ ସବୁ ଉପରେ ସେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଏହା ଛଡ଼ା ଭୋର୍ ସମୟରେ କେଉଁ ଅଧିକାରୀ ଡ୍ୟୁଟିରେ ଥିଲେ? ଦଳାଚକଟା ହେବା ସମୟରେ ସେମାନେ କେଉଁଠି ଥିଲେ? ଭିଡ଼ ବଢ଼ିବା ବେଳେ ସେମାନେ କିଭଳି ଜାଣି ପାରିଲେ ନାହିଁ? ପହଡ଼ ଖୋଲା ଯିବା ପୂର୍ବରୁ ଭିଡ଼ ନିୟନ୍ତ୍ରଣ ପାଇଁ କାହିଁକି ପ୍ରସ୍ତୁତି କରାଗଲା ନାହିଁ? ଏହା ଉପରେ ସେ ତଥ୍ୟ ହାସଲ କରିଛନ୍ତି। ଏହା ପରେ ସେ କେତେଜଣ ଜେଟିପିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ସେତେବେଳେ କେଉଁମାନେ ଡ୍ୟୁଟିରେ ଥିଲେ? ଭିଡ଼ ଥିବା ବେଳେ କେଉଁ ପରିସ୍ଥିତିରେ ଚାରମାଳ ଟ୍ରକ୍ ଆସିଲା? ଚାରମାଳ ଅନ୍ଲୋଡ୍ ହେବା ପୂର୍ବରୁ ଭିଡ଼ ନିୟନ୍ତ୍ରଣ ପାଇଁ ସେମାନେ ସୂଚନା ଦେଇଥିଲେ କି ନାହିଁ? କାହିଁକି ସମନ୍ବୟ ରକ୍ଷା କରାଯାଇ ପାରିଲା ନାହିଁ ସେ ନେଇ ଉତ୍ତର ଚାହିଥିଲେ। ଏହା ପରେ ସେ କେତେଜଣ ଦଇତା ସେବକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ରଥଉପରେ ସେବକମାନେ ରହିଥିବାରୁ ସେମାନେ ସିଧାସଳଖ ଦେଖିପାରୁଥିବେ। ଏଣୁ ଭିଡ଼ ଆରମ୍ଭ ହେବା ଓ ପହଡ଼ ଖୋଲିବା ପରେ କଣ ଘଟଣା ଘଟିଲା? କେଉଁଠି ଭୁଲ ରହିଲା? ସେ ବାବଦରେ ପଚାରି ବୁଝିଛନ୍ତି। କ୍ଷେତ୍ର ପରିଦର୍ଶନ କରିବା ପରେ ଅନୁ ଗର୍ଗ ଗଣମାଧ୍ୟମକୁ କହିଛନ୍ତି, ତଦନ୍ତ ପାଇଁ ମାସେ ସମୟ ରହିଛି। ତେବେ ସମୟ ଅବଧି ପୂର୍ବରୁ ତଦନ୍ତ ସାରି ରିପୋର୍ଟ ଦେବାକୁ ଯୋଜନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/01/gjdgjdgjg-2025-07-01-01-11-24.jpg)