ମହିଳାଙ୍କ ମୃତ୍ୟୁକୁ ନେଇ ବଡ଼ଚଣା ଡାକ୍ତରଖାନାରେ ଉତ୍ତେଜନା

ଚଣ୍ତିଖୋଲ : ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ଚାଲିଥିଲା ବେଳେ ଅକ୍ସିଜେନ କାଢ଼ି ଦେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ତଳ ଗ୍ରାମର ବିଷ୍ଣୁଚରଣ ଦାସଙ୍କ ପତ୍ନୀ ଜ୍ୟୋସ୍ନାମୟୀ(୬୨) କୋଭିଡ ଟିକା ନେବାପରେ ଗତ ଶୁକ୍ରବାର ରାତିରେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ତାଙ୍କୁ ଘରକୁ ନିଆଯାଇଥିଲା। ହେଲେ ଗତ ୭ତାରିଖ ଦିନ ଜ୍ୟୋସ୍ନାମୟୀ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ପୁଣି ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମହିଳାଙ୍କୁ ଅକ୍ସିଜେନ ଲଗାଇବା ସହ ଅନ୍ୟାନ୍ୟ ଚିକିତ୍ସା କରିଥିଲେ। କିନ୍ତୁ କିଛି ସମୟ ପରେ ଯାଜପୁର ଟାଉନ ଅଞ୍ଚଳରୁ ଅନ୍ୟ ଜଣେ ଗୁରୁତର ରୋଗୀ ବଡ଼ଚଣା ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର ଜ୍ୟୋସ୍ନାମୟୀଙ୍କ ଠାରୁ ଅକ୍ସିଜେନ କାଢ଼ି ଟାଉନରୁ ଆସିଥିବା ରୋଗୀଙ୍କ ଠାରେ ଲଗାଇବା ପାଇଁ ନର୍ସଙ୍କୁ ପରାମର୍ଶ ଦେଇଥିଲେ। ଜ୍ୟୋସ୍ନାମୟୀଙ୍କ ଛାତି ଏକ୍ସରେ କରିବାକୁ ଡାକ୍ତର ପରାମର୍ଶ ଦେଇ ଚାଲିଯାଇଥିଲେ। ମହିଳାଙ୍କୁ ଏକ୍ସରେ ପାଇଁ ଆଣୁଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆବଶ୍ୟକତା ଥିବାବେଳେ ମହିଳାଙ୍କ ଠାରୁ ଅକ୍ସିଜେନ କାଢ଼ି ନିଆଯାଇ ଅନ୍ୟ ରୋଗୀଙ୍କୁ କାହିକିଁ ଦିଆଗଲା ବୋଲି ଲୋକମାନେ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ। ଅକ୍ସିଜେନ କାଢ଼ି ନେବାରୁ ମା’ଙ୍କର ମୃତ୍ୟୁ ହେଲା ବୋଲି ତାଙ୍କ ପୁଅ ରଣଜିତ ଅଭିଯୋଗ କରିଛନ୍ତି। ତେବେ ମହିଳାଙ୍କର ହୃଦ୍‌ଘାତ ହେବାରୁ ମୃତ୍ୟୁ ହେଲାବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମିରଂଜନ ପଶାୟତ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର