ନିମୁର୍ଲା ଗ୍ରାମରେ ଗୁଣିଗାରେଡ଼ିକୁ ନେଇ ପୁଲିସର ସଚେତନତା କାର୍ଯ୍ୟକ୍ରମ, ଗାଁରେ ଉତ୍ତେଜନା

ବାସନ୍ଦ ପରିବାରକୁ ପୂରାଇ ‌ନଦେବା ଜିଦ୍‌ରେ ଅଟଳ ଗ୍ରାମବାସୀ

ସିନ୍ଧେକେଲା : ଗୁଣିଗାରେଡ଼ି ସନ୍ଦେହରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ନିମୁର୍ଲା ଗ୍ରାମରୁ ବ୍ରଜ ଭୋଇଙ୍କ ପରିବାର ତଡ଼ିଦେବା ଘଟଣାର ସମାଧାନ କରିବାକୁ ଗୁରୁବାର ପୁଲିସ ଉଦ୍ୟମ କରିଥିଲା। ଗୁଡ଼ିଗାରେଡ଼ି ସଂପର୍କରେ ଗ୍ରାମବାସୀଙ୍କୁ ‌ସଚେତନ କରିବାକୁ ଉଦ୍ୟମ କରିଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ କୌଣସି ପରିସ୍ଥିତିରେ ବି ବାସନ୍ଦ ପରିବାରକୁ ଗାଁରେ ପୂରାଇ ଦେବେ ନାହିଁ ବୋଲି ଜିଦ୍‌ ଧରିଥିଲେ।

ପ୍ରକାଶ ଯେ, ଗତ ୧ ତାରିଖ ରାତିରେ ବ୍ରଜଙ୍କୁ ମାଡ଼ ମରାଯିବା ସହ ତାଙ୍କ ପରିବାରକୁ ଗାଁରୁ ତଡ଼ି ଦିଆଯାଇଥିଲା। ଏନେଇ ବ୍ରଜ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ତା‌ଙ୍କ ପରିବାରର ୧୩ ଜଣ ସଦସ୍ୟ ସେହି ଦିନଠାରୁ ମୁଣ୍ଡପଦର ଗାଁର କ୍ଲବ୍‌ଘରେ ଆଶ୍ରୟ ନେଇଥିଲେ। ତଥାପି ପୁଲିସ କୌଣସି ପଦକ୍ଷେପ ନହେବାରୁ ବୁଧବାର ବ୍ରଜଙ୍କ ପରିବାର ବଲାଙ୍ଗୀର ଏସ୍‌ପିଙ୍କ ଦ୍ଵାରସ୍ଥ ହୋଇଥିଲା। ଗୁରୁବାର ବଲାଙ୍ଗୀର ପୁଲିସ ତରଫରୁ ଏଏସ୍‌ପିଙ୍କ ନେତୃତ୍ବରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଟିଟିଲାଗଡ଼ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ, ସିନ୍ଧେକେଲା ଆଇଆଇସି ପଞ୍ଚାନନ ନାଏକ ପ୍ରମୁଖ ନିମୁର୍ଲା ଗାଁକୁ ଯାଇଥିଲେ। ଗାଁରେ ଡାକବାଜି ଯନ୍ତ୍ର, ଲିଫଲେଟ, ପୋଷ୍ଟର ଜରିଆରେ ଲୋକଙ୍କୁ ଗୁଣିଗାରେଡ଼ି ସଂପର୍କରେ ସଚେତନ କରିଥିଲେ। ଏହା ସହିତ ଗାଁର ପ୍ରହରୀ ମଣ୍ଡପ ପାଖରେ ଗ୍ରାମବାସୀଙ୍କୁ ନେଇ ନେଇ ଏକ ସଚେତନତା ସଭା କରିଥିଲେ। କିନ୍ତୁ ଗ୍ରାମବାସୀ ପୁଲିସର କଥାକୁ ଗୁରୁତ୍ବ ଦେଇ ନଥିଲେ।

ଯଦି ବିଜ୍ଞାନ ଯୁଗରେ ଗୁଣିଗାରେଡ଼ି ନାହିଁ ତାହେଲେ ଆପଣମାନେ ମନ୍ଦିରକୁ କାହିଁକି ଯାଉଛନ୍ତି, ଭଗବାନଙ୍କୁ ଦେଖିଛନ୍ତି କି ବୋଲି ନାନା ପ୍ରଶ୍ନ କରିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ବାସନ୍ଦ କରିବାରକୁ ଗାଁରେ ପୂରାଇ ଦେବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଏନେଇ ଏସ୍‌ଡିପିଓ ଶ୍ରୀ ଶତପଥୀଙ୍କୁ ପଚରାଯିବାରୁ ଗ୍ରାମବାସୀଙ୍କୁ ସଚେତନ କରିବାକୁ ଉଦ୍ୟମ ଜାରି ରହିଛି, ପର୍ଯ୍ୟାୟକ୍ରମେ ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଥିଲେ। ପ୍ରକାଶଥାଉ କି ଗତ ୧୫ ଦିନ ମଧ୍ୟରେ କେବଳ ସିନ୍ଧେକେଲା ପୁଲିସରେ ୪ଟି ଗୁଣିଗାରେଡ଼ି ମାମଲା ଆସିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର