ସମ୍ବଲପୁର : ଚିକିତ୍ସା ଅବହେଳାରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ମରିବା ପରେ ବି ଅସ୍ତ୍ରୋପଚାର ପାଇଁ ଟଙ୍କା ମଗାଯାଇଥିଲା

ସମ୍ବଲପୁର : ଆଜି ବୁର୍ଲାର ସମଲେଶ୍ବରୀ ନର୍ସିଂହୋମ୍‌ରେ ଚିକିତ୍ସା ଅବହେଳାରୁ ଗୋଟିଏ ଦିନରେ ୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି। କେବଳ ସେତିକି ନୁହେଁ, ରୋଗୀର ମୃତ୍ୟୁ ଘଟିସାରିଥିବା ସତ୍ତ୍ବେ ନର୍ସିଂହୋମ୍ କତ୍ତୃର୍ପକ୍ଷ ଜଣେ ରୋଗୀର ଚିକିତ୍ସା ପାଇଁ ଔଷଧ, ଇଂଜେକ୍‌ସନ କିଣିବାକୁ କହିବା ଏବଂ ଅନ୍ୟ ରୋଗୀର ଅସ୍ତ୍ରୋପଚାର ପାଇଁ ଟଙ୍କା ଯୋଗାଡ଼ କରିବାକୁ କହିବା ଭଳି ସାଂଘାତିକ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ସୋନପୁର ଜିଲ୍ଲା ବୀରମହାଜପୁର ଅଞ୍ଚଳର ବିଶ୍ୱଜିତ ରାଜହଂସ(୨୩) ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ପାଇଁ ବୁର୍ଲା ସମଲେଶ୍ବରୀ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ। ବୁଧବାର ଅପରାହ୍‌ଣରେ ନର୍ସିଂହୋମ୍‌ କତ୍ତୃର୍ପକ୍ଷ ବିଶ୍ବଜିତଙ୍କ ଅସ୍ତ୍ରୋପଚାର ପାଇଁ ତାଙ୍କ ବାପାଙ୍କୁ ୮୦ ହଜାର ଟଙ୍କା ଯୋଗାଡ଼ କରିବାକୁ କହିଥିଲେ। ଟଙ୍କା ଦିଆଗଲେ ଆସନ୍ତାକାଲି ଅସ୍ତ୍ରୋପଚାର କରାଯିବ ବୋଲି ବିଶ୍ବଜିତଙ୍କ ବାପାକୁ କହିଥିଲେ। ହେଲେ ସେ ଟଙ୍କା ଦେବାକୁ ନିଜର ଅସମର୍ଥତା ପ୍ରକାଶ କରିଥିଲେ। ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷ ସମ୍ଭବ ନୁହେଁ ବୋଲି କହିବାର କିଛି ସମୟ ପରେ ବିଶ୍ବଜିତଙ୍କ ମୃତ୍ୟୁ ଘଟିଥିବା ନର୍ସିଂହୋମ୍ କର୍ମଚାରୀମାନେ ସୂଚନା ଦେଇଥିବା ଅଭିଯୋଗ ହୋଇଛି।

ସେହିପରି ସମ୍ବଲପୁର ସାକ୍ଷୀପଡ଼ା ଅଞ୍ଚଳର କୈଳାସ ବାଗ ବୁଧବାର ସକାଳୁ ସମଲେଶ୍ବରୀ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ। ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ କୌଣସି ଡାକ୍ତର ଚିକିତ୍ସା କରିବାକୁ ଆସିନଥିବା ବେଳେ ପ୍ରାୟ ୬ ହଜାର ଟଙ୍କାର ଔଷଧ, ଇଂଜେକ୍‌ସନ ଆଦି ମଗାଇ ଥିଲେ। ସନ୍ଦେହ ହେବାରୁ ସନ୍ଧ୍ୟା ୬ଟାରେ ରୋଗୀର ଜଣେ ସମ୍ପର୍କୀୟ ଆଇସିୟୁ ଯାଇ ଦେଖିବା ବେଳକୁ ରୋଗୀର ମୃତ୍ୟୁ ଘଟିଥିଲା। ଏହି ଦୁଇ ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରପକ୍ଷରେ ଜଣେ ଡାକ୍ତର ରୋଗୀଙ୍କର ଭଉଣୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଶଙ୍କା ସୃଷ୍ଟି ହେବାରୁ ପୁଲିସକୁ ଖବର ଦିଆଯାଇଥିଲା। ଡିଏସ୍‌ପି ସତ୍ୟବ୍ରତ ଦାଶ, ବୁର୍ଲା ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଂଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଘଟଣା ସଂକ୍ରାନ୍ତରେ ବୁର୍ଲା ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସ୍‌ପି ଶ୍ରୀ ଦାଶ ଗଣାମଧ୍ୟମକୁ କହିଛନ୍ତି।

ଅପରପକ୍ଷରେ ନର୍ସିଂହୋମ୍ ମାଲିକ ଡାକ୍ତର ରବୀନ୍ଦ୍ର ପ୍ରଧାନ ଚିକିତ୍ସା ଅବହେଳା କିମ୍ବା ଭୁଲ୍ ଚିକିତ୍ସା ଯୋଗୁଁ କୌଣସି ରୋଗୀର ମୃତ୍ୟୁ ଘଟିନଥିବା କହିଛନ୍ତି। ମେଡିକାଲର ପ୍ରଟୋକଲ୍ ଅନୁସାରେ ଆମେ କାମ କରିଥାଉ। ରୋଗୀର ମୃତ୍ୟୁ ହୋଇସାରିବା ପରେ ଅସ୍ତ୍ରୋପଚାର କରିବାକୁ ଟଙ୍କା ଯୋଗାଡ଼ କରିବାକୁ କିମ୍ବା ଔଷଧ କିଣିବାକୁ କୁହାଯାଇ ନାହିଁ ବୋଲି ସେ କହିଛନ୍ତି। ଲୋକମାନେ ଆଇସିୟୁ ଭିତରକୁ ପଶି ଯାହା କଲେ କ’ଣ ଠିକ୍ କଲେ କି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର