ଏସ୍‌ସିବିରେ ଶିଶୁମୃତ୍ୟୁକୁ ନେଇ ଉତ୍ତେଜନା : ତାଲା ପକାଇଲେ, ଧାରଣାରେ ବସିଲେ

୪ ଜଣିଆ ତଦନ୍ତ କମିଟି ଗଠନ

କଟକ : ଏସ୍‌ସିବିରେ ପୁଣି ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ସମ୍ପର୍କୀୟମାନେ ଏସ୍‌ସିବି ଆଶୁଚିକିତ୍ସା କେନ୍ଦ୍ର(କାଜୁଆଲିଟି)ରେ ତାଲା ପକାଇବା ସହ ଧାରଣାରେ ବସିଥିଲେ। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ଓ ପୁଲିସ ବି ମୁହାଁମୁହିଁ ହୋଇଥିଲେ। ଠେଲାପେଲା ସହ ଧକ୍କା ମରାମରି ହୋଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ଏହି ଘଟଣାକୁ ନେଇ ଡିନ୍‌ ତଥା ପ୍ରନ୍‌ସିପାଲଙ୍କ ନିର୍ଦ୍ଦେଶକ୍ରମେ ୪ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି।

ସୂଚନା ଅନୁସାରେ, ସିଡିଏ ସେକ୍ଟର-୬ ହଇରାଣପୁର ବସ୍ତିର ସରୋଜ ଦାସଙ୍କ ପୁଅ ପ୍ରତ୍ୟୁଷ(୪) ଗତକାଲି ଖେଳୁଥିବା ସମୟରେ ଛାତ ଉପରୁ ଖସି ପଡ଼ିଥିଲା। ମୁଣ୍ଡରେ ଆଘାତ ଲାଗିଥିବାରୁ ତାକୁ ତୁରନ୍ତ ସିଟି ହସ୍ପିଟାଲକୁ ନିଆ ଯାଇଥିଲା। ପ୍ରାଥମିକ ଚିକିତ୍ସା ପ୍ରତ୍ୟୁଷକୁ ଘରକୁ ନେଇଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଘରକୁ ଯିବାର କିଛି ସମୟ ପରେ ପ୍ରତ୍ୟୁଷର ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ତାକୁ ପୁଣି ଶିଶୁଭବନକୁ ନିଆଯାଇଥିଲା। ପୂର୍ବପରି ସେଠାରେ ମଧ୍ୟ ‘ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ। କିନ୍ତୁ ସେଠାରେ ପ୍ରତ୍ୟୁଷର ଅବସ୍ଥା ଅଧିକ ଖରାପ ହେବାରୁ ତାକୁ ତୁରନ୍ତ ବଡ଼ ମେଡିକାଲକୁ ଅଣାଯାଇଥିଲା। ଆଶୁ ଚିକିତ୍ସା କେନ୍ଦ୍ରରେ ପହଞ୍ଚିବା ପରେ ସିଟି ସ୍କାନ୍‌ କରାଯାଇଥିଲା। ରିପୋର୍ଟ ଦେଖି ସବୁ ଠିକ୍‌ ଅଛି କହି ତାକୁ ଘରକୁ ନେଇଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶରେ ଘରକୁ ନେଇ ଯାଇଥିଲେ ବି ଘରେ ପହଞ୍ଚିବା ପରେ ବାରମ୍ବାର ବାନ୍ତି ହୋଇଥିଲା। ବାଧ୍ୟହୋଇ ପରିବାର ଲୋକେ ପୁଣି ରାତିରେ ପ୍ରତ୍ୟୁଷକୁ ଏସ୍‌ସିବିକୁ ଆଣିଥିଲେ। ତେବେ, କିଛି ସମୟ ପରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ସମ୍ପର୍କୀୟଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଶୁ ଚିକିତ୍ସା କେନ୍ଦ୍ରରେ କେହି ଡାକ୍ତର ନଥିବା ଓ ସାଲାଇନ୍‌ ଦେବାରେ ବିଳମ୍ବ ହେବାରୁ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ପ୍ରତିବାଦରେ ସେମାନେ ଜରୁରୀକାଳୀନ ବିଭାଗ ଆଗରେ ଶିଶୁର ମୃତଦେହ ଧରି ଧାରଣାରେ ବସି ରହିଥିଲେ। କିଛି ସମୟ ପାଇଁ ସେମାନେ କାଜୁଆଲଟି ଗେଟ୍‌କୁ ବନ୍ଦ କରିଥିଲେ। ଘଟଣାସ୍ଥଳରେ ମେଡିକାଲ ଫାଣ୍ଡି ଓ ମଙ୍ଗଳାବାଗ୍‌ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରିବା ସମୟରେ ପୁଲିସ ସହିତ ସମ୍ପର୍କୀୟଙ୍କର ଠେଲାପେଲା ହୋଇଥିଲା। ବୁଝାସୁଝା ପରେ ଗେଟ ଖୋଲିଥିଲେ ବି ସ୍ଥିତି ନିୟନ୍ତ୍ରଣକୁ ଆସି ନଥିଲା। ପରେ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇ ମୃତଦେହ ଘରକୁ ପଠାଇବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ତେବେ, ଏସ୍‌ସିବି ଶିଶୁମୃତ୍ୟୁ ଘଟଣାକୁ ନେଇ ଡିନ୍‌ ତଥା ପ୍ରନ୍‌ସିପାଲଙ୍କ ନିର୍ଦ୍ଦେଶକ୍ରମେ ୪ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ନ୍ୟୁରୋସର୍ଜରୀ ବିଭାଗୀୟ ମୁଖ୍ୟ ସୁଧାଂଶୁ ମିଶ୍ରଙ୍କ ନେତୃତ୍ବରେ ମେଡିସିନ୍‌ ବିଭାଗ ମୁଖ୍ୟ, ଶିଶୁରୋଗ ବିଭାଗ ମୁଖ୍ୟ ଓ ପ୍ରାଶାସନିକ ଅଧିକାରୀଙ୍କୁ ନେଇ ଏହି ଟିମ୍‌ ଗଠନ କରାଯାଇ ୪୮ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଶିଶୁର ପରିବାର ବିରୋଧରେ ଏସ୍‌ସିବି କର୍ତ୍ତୃପକ୍ଷ ପ୍ରଶ୍ନ ଉଠାଇଛନ୍ତି। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ଶିଶୁଟିକୁ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା ଓ ସବୁ ବିଭାଗର ଡାକ୍ତର ଯାଇ ଚିକିତ୍ସା କରିଥିଲେ। ଶିଶୁଟି ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ ସମ୍ପର୍କୀୟମାନେ ତାକୁ କିପରି କାଜୁଆଲ୍‌ଟିକୁ ନେଇ ଆସିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଏସ୍‌ସିବି କର୍ତ୍ତୃପକ୍ଷ। ଏପରିକି ରୋଗୀର ସମ୍ପର୍କୀୟମାନେ ମେଡିକାଲ ଟିକଟ୍‌ ଓ ପରୀକ୍ଷଣ ରିପୋର୍ଟକୁ ଡାକ୍ତରଙ୍କ ପାଖରୁ ଛଡ଼ାଇ ନେଇଥିବାରୁ ବର୍ତ୍ତମାନ କର୍ତ୍ତୃପକ୍ଷଙ୍କ ପାଖ‌ରେ କୌଣସି ରେକର୍ଡ ନାହିଁ। ଟିକଟ୍‌ ଓ ତଥ୍ୟ ଛଡାଇ ନେବା ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ସରୋଜକାନ୍ତ ସାହୁ ପୁଲିସକୁ ଜଣାଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର