ବେଦାନ୍ତ ଗଣ୍ଡଗୋଳ ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ : ରେଙ୍ଗୋପାଲିରେ ତୀବ୍ର ଉତ୍ତେଜନା, ୧୪୪ ଧାରା ଜାରି, ବ୍ୟାପକ ପୁଲିସ ମୁତୟନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କମ୍ପାନି ମୁଖ୍ୟ ଫାଟକରେ ଗତ ମାର୍ଚ୍ଚ ୧୮ ତା‌ରିଖରେ ସାଧାରଣ ଲୋକ ଓ ବେଦାନ୍ତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ ଜଣେ ବେଦାନ୍ତ ସୁରକ୍ଷା କର୍ମୀ ଓ ଛତ୍ରପୁର ଗ୍ରାମର ବେଦାନ୍ତ ଶ୍ରମିକ ଦାନି ବାତ୍ରାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ୨୯ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା। ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିବା ପଟ୍ଟନାୟକ ହରିଜନଙ୍କ ଶୁକ୍ରବାର ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଏହି ଘଟଣା ପରେ ରେଙ୍ଗୋପାଲି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପକ୍ଷରୁ ବେଦାନ୍ତର ୨ କିମି ପରିଧିରେ ୧୪୪ ଧାରା ଜାରି କରାଯାଇଛି। ଡାକବାଜି ଯନ୍ତ୍ର ଯୋଗେ‌ ବେଦାନ୍ତ ପ୍ଲାଣ୍ଟ ମୁଖ୍ୟ ଫାଟକ ଓ ବେଦାନ୍ତ ଟାଉନସିପ୍‌ ଏରିଆ ୨ କିମି ଭିତରେ କୌଣସି ଜାଗାରେ ୫ରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ, ଶୋଭାଯାତ୍ରା କିମ୍ବା ସଭାସମିତି କରି ପାରିବେ ନାହିଁ ବୋଲି ଘୋଷଣା କରାଯାଇଛି। ସେହିପରି ବ୍ୟାପକ ପୁଲିସ ଫୋର୍ସ ବି ମୁତୟନ କରାଯାଇଛି।

ପ୍ରକାଶ‌ ଯେ, ଲାଞ୍ଜିଗଡ ବ୍ଲକ ରେଙ୍ଗୋପାଲି ଗ୍ରାମର ପଟ୍ଟନାୟକ ହରିଜନ (୪୫)ଙ୍କୁ ଗତ ମାର୍ଚ୍ଚ ୧୮ ତାରିଖରେ ବେଦାନ୍ତ ଗେଟ ସମ୍ମୁଖରେ ଗଣ୍ଡଗୋଳରେ ପୁଲିସ ଗିରଫ କରି ଜେଲ୍‌ ପଠାଇଥିଲା।

ଗତ ୩ ଦିନ ତଳେ ପଟ୍ଟନାୟକ ଜେଲରେ ଅସୁସ୍ଥ ହୋଇ ପଡ଼ିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ଜେଲ କର୍ମଚାରୀ ତାଙ୍କୁ ଭବାନୀପାଟଣା ଡାକ୍ତରଖାନକୁ ନେଇଥିଲେ। ସେଠାରେ ୨ ଦିନ ରଖି ଚିକିତ୍ସା କରିବା ପରେ ଅବସ୍ଥା ନସୁଧୁରିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଇ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ଚିକିତ୍ସା ସମୟରେ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ପଟ୍ଟନାୟକଙ୍କ ଶବ ରେଙ୍ଗୋପାଲି ଗାଁରେ ପହଞ୍ଚି ନଥିଲା। ଶବ ଆସିଲା ପରେ କମ୍ପାନି ମୁଖ୍ୟ ଫାଟକ ସାମନାରେ ଶବ ରଖି ଆନ୍ଦୋଳନ କରିବା ନିମନ୍ତେ ଗ୍ରାମବାସୀ ମେଳି ହେଉଥିବା ଘଟଣା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର