ବାଲିଆପାଳ ତାତି ଭୋଗରାଇରେ : ଶବ ରଖି କମର୍ଦ୍ଦା-ବାଲିଆପାଳ ରାସ୍ତା ଅବରୋଧ, ଆମ୍ବୁଲାନ୍ସ ଓ ପୁଲିସ କର୍ମଚାରୀ ଅଟକ

ବଦଳିଲେ ଆଇଆଇସି

ଭୋଗରାଇ : ବାଲେଶ୍ୱର ଜିଲ୍ଲା ବାଲିଆପାଳର ରାଜଧାନୀ ଢାବାରେ ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁକୁ ନେଇ ଗତକାଲି ତୁମୁଳ କାଣ୍ଡ ସୃଷ୍ଟି ହେବା ପରେ ଆଜି ମଧ୍ୟ ଉତ୍ତେଜନା ଲାଗି ରହିଛି। ଏହି ଘଟଣାକୁ ନେଇ ଗତକାଲି ଉତ୍ତ୍ୟକ୍ତ ଲୋକେ ବାଲିଆପାଳ ଥାନା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଏପରିକି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ଆଜି ଏହାର ତାତି ଭୋଗରାଇରେ ଦେଖିବାକୁ ମିଳିଛି। ବ୍ୟବଚ୍ଛେଦ ପରେ ଗାଁକୁ ମୃତଦେହ ନେଇ ଯାଇଥିବା ଆମ୍ବୁଲାନ୍ସ ଓ ପୁଲିସ କର୍ମୀଙ୍କୁ ଅଟକ ରଖି ନ୍ୟାୟ ଦାବିରେ ଗ୍ରାମବାସୀ, ମୃତକର ପରିବାର ଓ ସମ୍ପର୍କୀୟମାନେ ରାସ୍ତା ଅବରୋଧ କରିଥିଲେ। ତେବେ ନ୍ୟାୟ ମିଳିବ ବୋଲି ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହାର ହେବା ସହ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ଆଜି ଭୋର ୪ଟା ସମୟରେ ନାବାଳକ ବିଜୟ ଦଳାଇଙ୍କ ମୃତଦେହ ଏକ ଆମ୍ବୁଲାନ୍ସରେ ତାଙ୍କ ଘର ଭୋଗରାଇ ବ୍ଲକ୍ କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡ଼ା ଗାଁରେ ପହଞ୍ଚିଥିଲା। ବିନା ପରିବାର ଲୋକଙ୍କ ଉପସ୍ଥିତିରେ କିଭଳି ଶବ ବ୍ୟବଚ୍ଛେଦ କରାଗଲା ଏହାର ପ୍ରତିବାଦରେ ଏଠାରେ ଉତ୍ତ୍ୟକ୍ତ ଲୋକେ ଶବ ସହ ଆମ୍ବୁଲାନ୍ସକୁ ଅଟକ ରଖି କମର୍ଦ୍ଦା-ବାଲିଆପାଳ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ଏପରିକି ମୃତ ଶରୀରକୁ ନେଇ ଆସିଥିବା ୨ ଜଣ ପୁଲିସ ଏବଂ ଆମ୍ବୁଲାନ୍ସର ଡ୍ରାଇଭରକୁ ମଧ୍ୟ ଲୋକେ ଅଟକ ରଖିଥିଲେ। ଖବର ପାଇ ଭୋଗରାଇ ଥାନା ଆଇଆଇସି ନରେନ୍ଦ୍ର ଦାସ ଏବଂ କମର୍ଦ୍ଦା ଥାନା ଆଇଆଇସି ପାସ୍କେଲ ଏକ୍କା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ସେମାନଙ୍କର ଯୁକ୍ତି ଥିଲା ଯେ ଗତକାଲି ବାଲିଆପାଳଠାରେ ଏସ୍‌ପିଙ୍କ ଉପସ୍ଥିତିରେ ସମ୍ପୃକ୍ତ ନାବାଳକର ଶବକୁ ଆଜି ପରିବାର ଲୋକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ବ୍ୟବଚ୍ଛେଦର ଭିଡିଓଗ୍ରାଫି, ସୋନଗ୍ରାଫି କରାଯିବ ବୋଲି କୁହାଯାଇଥିଲା। ମାତ୍ର ତାହା ନ କରି ହତ୍ୟାକାଣ୍ଡକୁ ଚପେଇ ଦେବା ଏବଂ ଏହାର ପ୍ରମାଣ ନଷ୍ଟ କରିବା ପାଇଁ ପୁଲିସ ଏଭଳି ଚକ୍ରାନ୍ତ କରିଛି। କାହାକୁ କିଛି ନ ଜଣାଇ ରାତି ଅଧରେ ମାଜିଷ୍ଟ୍ରେଟ୍‌ଠାରୁ ଅନୁମତି ନେଇ ପୁଲିସ ଶବକୁ ବ୍ୟବଚ୍ଛେଦ କରିଛି। ଜାଣିଶୁଣି ଘଟଣାର ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ଏହା ପୁଲିସର ଏକ ଚାଲ୍‌ ବୋଲି ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଥିଲେ।

ବଦଳିଲେ ଆଇଆଇସି

ବାଲିଆପାଳ : ବାଲିଆପାଳର ଏକ ଢାବାରେ କାମ କରୁଥିବା ନାବାଳକଙ୍କ ମୃତ୍ୟୁ ଘଟଣାକୁ ନେଇ ଗତକାଲି ତୁମୁଳ କାଣ୍ଡ ଘଟିବା ପରେ ରାତାରାତି ବାଲିଆପାଳ ଥାନା ଆଇଆଇସିଙ୍କ ବଦଳି କରାଯାଇଛି। ସେହିପରି ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ମାନବାଧିକାର ସୁରାକ୍ଷା ସେଲ (ଏଚଆରପିସି)କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୁଲିସ ନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା। ଏଚଆରପିସି ଡିଏସପି ରଣଜିତ ନାୟକ ଘଟଣାର ତଦନ୍ତ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ବେଳେ ସେ ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି। ଆସନ୍ତାକାଲି ତାଙ୍କ ନେତୃତ୍ବରେ ଏଚ୍‌ଆର୍‌ପିସିର ଏକ ଟିମ୍‌ ବାଲିଆପାଳରେ ପହଞ୍ଚିବ ବୋଲି ଜଣାପଡ଼ିଛି। ତେବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ସମଗ୍ର ଇଲାକା ପୁଲିସ ଛାଉଁଣି ମଧ୍ୟରେ ରହିଛି। ଏହି ଘଟଣାରେ ମୃତ ନାବାଳକଙ୍କ ମା’ ଶାନ୍ତିଲତାଙ୍କ ଅଭିଯୋଗ କ୍ରମେ ବାଲିଆପାଳ ଥାନାରେ ୧୪୭/୧୯ରେ ଢାବାମାଲିକ ସାହାବୁଦ୍ଦିନ ସାହା ଏବଂ ଅନ୍ୟ ସମସ୍ତ କର୍ମଚାରୀଙ୍କ ନାମରେ ମାମାଲା ରୁଜୁ ହୋଇଛି।

ଢାବାର ଦୁଇଜଣ କର୍ମଚାରୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର