ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଓ ମେଡ଼ିକାଲରେ ଔଷଧ ନମିଳିବାରୁ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡ଼ିକାଲରେ ଉତ୍ତେଜନା ସୃଷ୍ଠି ହୋଇଥିଲା।
ଘଟଣାରୁ ପ୍ରକାଶ, ମଙ୍ଗଳବାର ଦିନ ଭଦ୍ରକ ଚରମ୍ପା କେନାଲ ରୋଡ଼ ଅଞ୍ଚଳର ବିଜୟ ଲକ୍ଷ୍ମୀ ମହାନ୍ତି(୭୪) ହଠାତ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କର ଶ୍ବାସ ଜନିତ ସମସ୍ୟା ଦେଖା ଦେଇଥିଲା । ତାଙ୍କୁ ପରିବାର ଲୋକେ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଶ୍ୱାସ ଜନିତ ରୋଗ କାରଣରୁ ତାଙ୍କୁ ଭର୍ତ୍ତି ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ଓ ପ୍ରାଇମାକର୍ଟ ଔଷଧ ପାଇଁ କହିଥିଲେ। ମାତ୍ର ଏହି ଔଷଧ ନିରାମୟ ଔଷଧ କେନ୍ଦ୍ରରେ ମିଳିନଥିଲା।
ସେଥିପାଇଁ ରୋଗୀଙ୍କ ପରିବାର ଲୋକଙ୍କୁ ବାହାରୁ କିଣିବା ପାଇଁ ପଡ଼ିଲା। ଏହି ଔଷଧ ବେଡ ପାଖକୁ ଗଲେ ଦିଆଯିବ ବୋଲି ଡାକ୍ତର କହିବା ପରେ ରୋଗୀଙ୍କ ସମ୍ପର୍କୀୟମାନେ ଉପର ମହଲାକୁ ରୋଗୀଙ୍କୁ ଚଲାଇ ଚଲାଇ ନେଇଥିଲେ। କିଛି ସମୟ ଯିବା ପରେ ରୋଗୀ ଜଣକ ଛଟପଟ ହୋଇ ସେହି ଠାରେ ପ୍ରାଣ ହରାଇଥିଲେ। ଯାହାକୁ ନେଇ ପରିବାର ଲୋକ ଉତ୍ୟକ୍ତ ହେବା ସହିତ ମେଡ଼ିକାଲ ନିକଟରେ ହୋ ହାଲ୍ଲା କରିଥିଲେ। ପରେ ମୃତକଙ୍କ ପରିବାର ପକ୍ଷରୁ ଏଡିଏମଓଙ୍କ ନିକଟରେ ଲିଖିତ ଅଭିଯୋଗ କରି ଏହାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/IMG-20230822-WA0020.jpg)