ସଂକ୍ରମିତ କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଚିନ୍ତା

କୋଭିଡ୍‌ ଯୋଦ୍ଧା ସ୍ବତନ୍ତ୍ର ଡାଟାବେସ୍ ପ୍ରସ୍ତୁତ ପାଇଁ ନିର୍ଦେଶ

ଜିଲ୍ଲାସ୍ତରରେ ୨/୩ଜଣିଆ ଟିମ୍ ଓ ରାଜ୍ୟସ୍ତରରେ ଆଇଟି ବିଭାଗ କରିବ ତଦାରଖ
ଭୁବନେଶ୍ବର : କରୋନା ସମୟରେ ଆଗଧାଡ଼ିରେ ରହି ଏହାର ମୁକାବିଲା କରୁଥିବା ବ୍ୟକ୍ତିମାନଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ଦିଆଯାଇଛି। ଡାକ୍ତର, ନର୍ସ, ପାରା ମେଡିକ୍ସ, ପୁଲିସ, ନିର୍ବାଚିତ ଜନ ପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ, ଏଏନ୍ଏମ୍‌ ଓ ଆଶା କର୍ମୀମାନେ ହେଉଛନ୍ତି ଜଣେ ଜଣେ କରୋନା ଯୋଦ୍ଧା। ତେବେ ରାଜ୍ୟରେ ବହୁ ସଂଖ୍ୟାରେ କୋଭିଡ୍‌ ଯୋଦ୍ଧା ସଂକ୍ରମିତ ହେବା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ସେମାନଙ୍କୁ କିଭଳି ଉପଯୁକ୍ତ ଚିକିତ୍ସା ମିଳିପାରିବ ସେଥିପାଇଁ ତାହାକୁ ସରକାର ଗୁରୁତ୍ବ ଦେଇଛନ୍ତି। ଏପରିକି ସେମାନଙ୍କର ଏକ ସ୍ବତନ୍ତ୍ର ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ସିଡିଏମ୍‌ଓମାନଙ୍କୁ ନିର୍ଦେଶ ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମାରେ କୁହାଯାଇଛି ଯେ, ସେମାନଙ୍କ ସ୍ବାସ୍ଥ୍ୟର ଅବସ୍ଥା ଯାଞ୍ଚ ପାଇଁ ଜିଲ୍ଲାସ୍ତରରେ ଜଣେ ଡାକ୍ତରଙ୍କ ସମେତ ୨/୩ଜଣଙ୍କୁ ନେଇ ଏକ ଟିମ୍ ଗଠନ କରାଯିବ। ରାଜ୍ୟସ୍ତରରେ ଆଇଟି ବିଭାଗ ଓ ଆଉଟଗୋଇଙ୍ଗ କଲ୍ ସେଣ୍ଟର ପକ୍ଷରୁ ଏହାର ତଦାରଖ ହେବ। ସଂକ୍ରମିତ ଯୋଦ୍ଧାଙ୍କ ପରିବାରଙ୍କୁ ସେମାନଙ୍କ ସ୍ଥିତି ସଂପର୍କରେ ନିୟମିତ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଛି। ଆଇସିୟୁରେ ଥିବା ଯୋଦ୍ଧାଙ୍କ ପାଇଁ ଆବଶ୍ୟକ ପ୍ରୋଟୋକଲ ଗ୍ରହଣ କରାଯାଇଛି କି ନାହିଁ ତାହାର ଯାଞ୍ଚ କରିବା ସହିତ ସେମାନଙ୍କ ପରିବାରଙ୍କୁ ମଧ୍ୟ ଅବଗତ କରାଯିବ। ଯାହାଫଳରେ କରୋନା ବିରୋଧରେ ଲଢ଼େଇ ଜାରି ରଖିଥିବା ଯୋଦ୍ଧମାନଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇ ପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର