ସରକାରଙ୍କୁ ଘାରିଲାଣି ହାତୀ ସୁରକ୍ଷା ଚିନ୍ତା
ପୁଣି ଜାରି ହେଲା ନୂଆ ନିର୍ଦେଶାବଳୀ, ତୃଣମୂଳସ୍ତରରୁ କାର୍ଯ୍ୟ କରିବ କଣ୍ଟ୍ରୋଲ ରୁମ୍
ଭୁବନେଶ୍ବର : ଓଡ଼ିଶାରେ ହାତୀ-ମଣିଷ ସଂଘର୍ଷ ଶୀର୍ଷରେ ପହଞ୍ଚିଛି। ପ୍ରତି ସପ୍ତାହରେ କେଉଁଠି ନା କେଉଁଠି ହାତୀଙ୍କ ମୃତ୍ୟୁ ହେଉଛି। ମଣିଷ ବି ହାତୀ ଆକ୍ରୋଶର ଶିକାର ହେଉଛି। ସ୍ଥିତି ଏମିତି ହେଲାଣି ଯେ ଗତ ୨୫ଦିନ ମଧ୍ୟରେ ବିଭିନ୍ନ କାରଣ ପାଇଁ ରାଜ୍ୟରେ ୫ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣଙ୍କ ଜୀବନ ଯାଇଛି। ଦିନକୁ ଦିନ ସ୍ଥିତି ଆହୁରି ବିଗିଡ଼ି ଯାଉଥିବାରୁ ରାଜ୍ୟ ସରକାରଙ୍କ ନିଦ ହଜି ଯାଇଛି। ବିଗତ ବର୍ଷଗୁଡ଼ିକରେ ହାତୀ-ମଣିଷ ସଂଘର୍ଷକୁ ରୋକିବା ଲାଗି ଏକାଧିକ ବ୍ଲୁପ୍ରିଣ୍ଟ ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରି ନାହିଁ। ଯେଉଁଥିପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ୯୩ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ଆକ୍ରମଣରେ ୮୫ ଜଣଙ୍କର ମୃତ୍ୟୁ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ ତୃଣମୂଳସ୍ତରରୁ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତରେ ପୁଣି ଏକ ନିର୍ଦେଶାବଳୀ ଜାରି ହୋଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ବନ୍ୟପ୍ରାଣୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରେଞ୍ଜ ଅଫିସ୍ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଏହି କଣ୍ଟ୍ରୋଲ ରୁମ୍ଗୁଡ଼ିକ ୨୪ଘଣ୍ଟା କାର୍ଯ୍ୟ କରିବେ। ହାତୀ ଓ ମଣିଷର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରତି ରେଞ୍ଜ ଅନୁଯାୟୀ, ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବ। ରେଞ୍ଜ ଅଫିସରମାନେ ଏହାର ଦାୟିତ୍ବରେ ରହିବେ ଏବଂ ସେମାନଙ୍କୁ ଅଫିସିଆଲ୍ ମୋବାଇଲ୍ ନମ୍ବର ଦିଆଯିବ। ଯିଏ ରେଞ୍ଜ ଦାୟିତ୍ବରେ ରହିବେ, ସେମାନଙ୍କ ନିକଟରେ ଏହି ନମ୍ବର ରହିବ। ମୋବାଇଲ୍ ନମ୍ବରକୁ ରେଞ୍ଜ ଅଞ୍ଚଳରେ ବ୍ୟାପକ ଭାବେ ପହଞ୍ଚାଯିବ। ବିଭାଗ ୱେବସାଇଟ୍ ସମେତ ଲୋକଙ୍କ ପାଖରେ ଯେମିତି ଏହି ନମ୍ବର ପହଞ୍ଚିବ, ସେ ଦିଗରେ ପଦକ୍ଷେପ ନେବେ।
ସେହିପରି ଡିଭିଜନ୍ସ୍ତରରେ ଏସିଏଫ୍ଙ୍କ ନେତୃତ୍ବରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ୍ ଖୋଲିବ। ତାଙ୍କ ସହ ଜଣେ ରେଞ୍ଜ ଅଫିସର୍, ଜଣେ ଡେପୁଟି ରେଞ୍ଜର, ଦୁଇ ଜଣ ଫରେଷ୍ଟର ଓ ୩ ଜଣ ଫରେଷ୍ଟ ଗାର୍ଡ ରହିବେ। କଣ୍ଟ୍ରୋଲ ରୁମ୍ ନମ୍ବର ଡିଭିଜନ୍ର ସମସ୍ତ ଷ୍ଟାଫ୍, ରେଞ୍ଜ ଅଫିସର, ପାଖ ରେଞ୍ଜର ଅଧିକାରୀ, ବନ ସୁରକ୍ଷା ସମିତି(ଭିଏସ୍ଏସ୍)ର ସଭାପତି ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟଙ୍କ ନିକଟରେ ରହିବ। ଡିଭିଜନ୍ସ୍ତରରେ ଏକ ହ୍ବାଟସ୍-ଆପ୍ ଗ୍ରୁପ୍ ଗଠନ ହେବ। ଯଦି କୌଣସି ଖବର ଆସେ, ସଙ୍ଗେ ସଙ୍ଗେ ଡିଏଫ୍ଓଙ୍କୁ ଜଣାଇବାକୁ କୁହାଯାଇଛି। ହାତୀମାନେ ଯଦି ଟ୍ରେନ୍ ଲାଇନ୍, ବିଦ୍ୟୁତ୍ ତାର, ଜାତୀୟ/ରାଜ୍ୟ ରାଜପଥ ନିକଟରେ ରହିଥା’ନ୍ତି, ଲୋକଙ୍କୁ ଆକ୍ରମଣ କରିଥା’ନ୍ତି, ହାତୀଙ୍କର ମୃତ୍ୟୁ କିମ୍ବା ଆହତ ହୋଇଥିବା ଜଣାପଡ଼େ, ତେବେ ଡିଭିଜନ କଣ୍ଟ୍ରୋଲ ରୁମ୍କୁ ତୁରନ୍ତ ଖବର ଦେବାକୁ କୁହାଯାଇଛି। ଡିଏଫ୍ଓଙ୍କ ସହ କଣ୍ଟ୍ରୋଲ ରୁମ୍ର ଯୋଗାଯୋଗ ରହିବ। ବିଦ୍ୟୁତ୍ ବିଭାଗ, ରେଲୱେ, ଜାତୀୟ ରାଜପଥ କର୍ତୃପକ୍ଷ, ପାଖ ଡିଭିଜନ୍ଗୁଡ଼ିକ ସହ ଡିଏଫ୍ଓ ଯୋଗସୂତ୍ର ରକ୍ଷା କରିବେ। ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ସୂଚନା ଥିବ, ତେବେ କାର୍ଯ୍ୟାନୁଷ୍ଠାନ ଲାଗି ସ୍ଥାନୀୟ ଆରସିସିଏଫ୍ ଓ ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ।
ଡିଭିଜନ ଅଫିସ୍ ପରି ସର୍କଲ ଅଫିସ୍ ରୁମ୍ ମଧ୍ୟ ୨୪ ଘଣ୍ଟା ହାତୀଙ୍କ ଗତିବିଧି ଉପରେ ନଜର ରଖିବ। ଆରସିସିଏଫ୍ ଏହି କଣ୍ଟ୍ରୋଲ ରୁମ୍ର ପରିଚାଳନା ଦାୟିତ୍ବରେ ରହିବେ। ତାଙ୍କ ସହ ଜଣେ ଡେପୁଟି ସିଏଫ୍/ଏସିଏଫ୍, ଦୁଇଜଣ ରେଞ୍ଜ ଅଫିସର୍, ଦୁଇ ଜଣ ଫରେଷ୍ଟର୍, ୩ଜଣ ଫରେଷ୍ଟ ଗାର୍ଡ ଏହି କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ରହିବେ। ପିସିସିଏଫ୍ ବନ୍ୟପ୍ରାଣୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ୍ ଖୋଲିବ। ଡିସିଏଫ୍ଙ୍କ ନେତୃତ୍ବରେ ଦୁଇଜଣ ଏସିଏଫ୍, ୩ଜଣ ରେଞ୍ଜ ଅଫିସରଙ୍କ ସମେତ ୩ଟି ସିଫ୍ଟରେ ସହାୟକ ଷ୍ଟାଫ୍ ରହିବେ। ଫିଲ୍ଡରୁ ସଂଗୃହୀତ ତଥ୍ୟଗୁଡ଼ିକୁ ସଂଗ୍ରହ କରିବା ସହ ତାହାର ଅନୁଧ୍ୟାନ କରିବ।