କଟକ : କଟକର ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣାକେନ୍ଦ୍ରରେ ଏବେ ପଶ୍ଚିମବଙ୍ଗ ରୋଗୀଙ୍କୁ ନେଇ ବିପଦ ସୃଷ୍ଟି ହୋଇଛି। ଯଦିଓ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୫/୬ରେ ସୀମିତ ରହିଛି, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଯେଉଁଠୁ ବି ରୋଗୀ ଆସିଲେ, ତାଙ୍କର ସ୍ବାବ ରିପୋର୍ଟ ଆସିଲା ପରେ ଯାଇ ଓଟିକୁ ନେବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରରେ ଏକ ସ୍ବତନ୍ତ୍ର ସ୍ବାବ୍ ସଂଗ୍ରହ ଲାବ୍ ଖୋଲାଯାଇଛି। ଏହା ମାଧ୍ୟମରେ ଆଜି ସୁଦ୍ଧା ୩୨ଟି ନମୁନା ପରୀକ୍ଷା ପାଇଁ ଏସ୍ସିବିକୁ ପଠାଯାଇଛି। ହେଲେ, ସେଥିରୁ ୧୬ଟି ର ସ୍ବାବ୍ ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ବାକି ୧୬ଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି।
ନିଜାମୁଦ୍ଦିନ ପରେ ପଶ୍ଚିମବଙ୍ଗ ଏବେ ଓଡିଶା ପାଇଁ ଚିନ୍ତା ବଢାଇଛି। ଆଉ କଟକ ପାଇଁ ଚିନ୍ତା ବଢାଇଛନ୍ତି ପଶ୍ଚିମବଙ୍ଗ ରୋଗୀ। କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, କଟକ ବଡ଼ ଡାକ୍ତରଖାନା ଏବଂ ଅନ୍ୟ ଘରୋଇ ହସ୍ପିଟାଲରେ ପଶ୍ଚିମବଙ୍ଗ ରୋଗୀ ଅନେକ ସଂଖ୍ୟାରେ ଚିକିତ୍ସା ପାଇଁ ଆସିଥାନ୍ତି। ୩ଦିନ ହେଲା ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କୁ ନେଇ ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରାଜ୍ୟ ସରକାର ସୀମା ସିଲ୍ କରିଛନ୍ତି। ତା ପରଠାରୁ ଯଦିଓ ରୋଗୀ ଆସି ନଥିବା କୁହାଯାଉଛି, କିନ୍ତୁ ପୂର୍ବରୁ ଅନେକ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ, ଆଚାର୍ଯ୍ୟ ହରିହରରେ ମେଦିନାପୁର, ପଶ୍ଚିମକଚ୍ଛ ଅଂଚଳର ୫/୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।
ଏସ୍ସିବିରେ ଗତକାଲି ହୋଇଥିବା ସ୍ବତନ୍ତ୍ର ବୈଠକରେ କରୋନା ମୁକୁବିଲା ପାଇଁ ସବୁ ବିଭାଗ ନିଜ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଚାର୍ଯ୍ୟ ହରିହରରେ ମଧ୍ୟ ଯେଉଁ ରୋଗୀଙ୍କ ଅସ୍ତ୍ରୋପଚାର କରାଯିବ ସେମାନଙ୍କର କରୋନା ସ୍ବାବ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଯେଉଁ ରୋଗୀଙ୍କ ଉପରେ ଡାକ୍ତରଙ୍କ ସନ୍ଦେହ ହେବ ସେମାନଙ୍କର ମଧ୍ୟ ସ୍ବାବ୍ ସଂଗ୍ରହ କରି ଏସ୍ସିବି ପଠାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା କରାଯିବ। ୪ଦିନ ଭିତରେ ଯେଉଁ ରୋଗୀଙ୍କ ସ୍ବାବ୍ ସଂଗ୍ରହ କରି ପଠାଯାଇଛି ସେଥିରୁ ଅଧିକାଂଶ ହେଉଛନ୍ତି ଅସ୍ତ୍ରୋପଚାର ଅପେକ୍ଷାରେ ଥିବା ରୋଗୀ। ଅନ୍ୟପଟେ କଟକରୁ ୫୦ଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଗୁଡିକର ରିପୋର୍ଟ ଏଯାଏ ଆସି ନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/cancer-hospital-ctc-f.jpg)