ଆର୍‌ଆଇ ପରୀକ୍ଷା କେନ୍ଦ୍ରକୁ ନେଇ ଦ୍ୱନ୍ଦ୍ବ: ଉତ୍ତେଜନା, ଆଡମିଟ୍‌କାର୍ଡ ଚିରିଦେଲେ

ପ୍ରଶାସନ ହସ୍ତକ୍ଷେପ ପରେ ନୂଆ କେନ୍ଦ୍ର ହେଲା, ପରୀକ୍ଷା ଦେବାରୁ ଅନେକ ପରୀକ୍ଷାର୍ଥୀ ବଂଚିତ

ବଲାଙ୍ଗୀର/ଟିଟିଲାଗଡ଼ : ଆର୍‌ଆଇ ପଦବି ପାଇଁ ପରୀକ୍ଷା ଦେବାକୁ ଆସିଥିବା ଶତାଧିକ ପରୀକ୍ଷାର୍ଥୀଙ୍କୁ ଆଜି ହଇରାଣ ହରକତ ହେବାକୁ ପଡ଼ିଛି। ପରୀକ୍ଷାର୍ଥଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାସହିତ ସେମାନେ ଆଡ୍‌ମିଟ୍‌ କାର୍ଡ ଚିରି ଦେଇଥିଲେ। ଆଡମିଟକାର୍ଡରେ ପରୀକ୍ଷା କେନ୍ଦ୍ରର ନାମକୁ ନେଇ ଦ୍ୱନ୍ଦ୍ବ ଥିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା।

ବଲାଙ୍ଗୀର ମହିଳା ମହାବିଦ୍ୟାଳୟରେ ପରୀକ୍ଷା ଦେବାକୁ ଥିବା ବହୁ ପ୍ରାର୍ଥୀ ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ଭାବି ସେଠାକୁ ଚାଲିଯାଇଥିଲେ। କାରଣ ଆଡମିଟକାର୍ଡରେ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ଼ ରୋଡ ବୋଲି ଉଲ୍ଲେଖ ରହିଥିଲା। ବାହାର ଜିଲ୍ଲାର ପିଲା ଠିକଣା ଠିକ୍‌ ଜାଣିନପାରି ଟିଟିଲାଗଡ଼ ଚାଲିଯାଇଥିଲେ। ଟିଟିଲାଗଡ଼ରେ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିବା ସହ ବହୁ ଜଣ ନିଜ ନିଜ ଆଡମିଟକାର୍ଡ ଚିରିଦେଇଥିଲେ। ପରେ ପ୍ରଶାସନ ଘଟଣାରେ ହସ୍ତକ୍ଷେପ କରି ବିଳମ୍ବରେ ପରୀକ୍ଷା କରାଇଥିଲା। ତଥାପି ଅନେକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ଭାବି ପରୀକ୍ଷାର୍ଥୀ ଯିବାପରେ ସେଠାରେ କୌଣସି ବ୍ୟବସ୍ଥା ନଥିଲା। ଏପଟେ ପ୍ରଥମ ସିଟିଂ ପରୀକ୍ଷା ୧୦ଟାରୁ ୧୨ଟା ରହିଥିଲା। ସମୟ ଅତିକ୍ରମ କଲା ପରେ ହୋହଲ୍ଲା ଆରମ୍ଭ ହୋଇଥିଲା। କଲେଜ କର୍ତ୍ତୃପକ୍ଷ ଆଡମିଟକାର୍ଡ ଦେଖି ତାହା ବଲାଙ୍ଗୀରର ମହିଳା ମହାବିଦ୍ୟାଳୟ ବୋଲି କହିଥିଲେ। ଉତ୍ତେଜନା ବଢ଼ିବା ପରେ ଟିଟିଲାଗଡ଼ ପୁଲିସ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଥିଲା। ଖବର ପାଇ ଟିଟିଲାଗଡ଼ ଉପଜିଲ୍ଲାପାଳ ବି ପରୀକ୍ଷାର୍ଥୀମାନଙ୍କ ନିକଟକୁ ପହଞ୍ଚି ଆଲୋଚନା କରିଥିଲେ। ଏକ ବସ୍‌ ଯୋଗେ ସମସ୍ତଙ୍କୁ ବଲାଙ୍ଗୀର ପଠାଇବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବିଳମ୍ବ ହେବାରୁ ଟିଟିଲାଗଡ଼ରେ ଏକ ନୂଆ କେନ୍ଦ୍ର କରାଯାଇ ଅତିରିକ୍ତ ଦୁଇଘଣ୍ଟା ସମୟ ଦିଆଯାଇ ପରୀକ୍ଷା ହୋଇଥିଲା। ସେ ସମୟ ପର୍ଯ୍ୟନ୍ତ ଅନେକ ପରୀକ୍ଷାର୍ଥୀ ନିଜ ନିଜ ଆଡମିଟ କାର୍ଡ ଚିରିଦେଇସାରିଥିଲେ। କିଛି ଘରକୁ ମଧ୍ୟ ଚାଲିଯାଇଥିଲେ। ପ୍ରାୟ ୩୦ ଜଣ ପରୀକ୍ଷାର୍ଥୀ ବିଳମ୍ବରେ ପରୀକ୍ଷା ଦେଇଥିଲେ। ଏଭଳି ଭୁଲ ଯୋଗୁଁ ଅନେକ ପରୀକ୍ଷାରୁ ବଂଚିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର